ଗଡ଼ିଲା ‘ପରୀ ଏକ୍ସପ୍ରେସ୍‍’

0

ଭୁବନେଶ୍ୱର: ରାଜ୍ୟରେ ନାବାଳିକାଙ୍କ ପ୍ରତି ଘଟୁଥିବା ଯୌନ ନିର୍ଯାତନା ଭଳି ଘୃଣ୍ୟ ଘଟଣାକୁ ପ୍ରତିକାର ପାଇଁ ସାରା ରାଜ୍ୟରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା ପୁଲିସ ଏବଂ ୟୁନିସେଫ୍‍ର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ପରୀ ଏକ୍ସପ୍ରେସ୍‍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ଏଜି ଛକସ୍ଥିତ ଟ୍ରାଫିକ୍‍ କାର୍ଯ୍ୟାଳୟ ପରିସରରୁ ‘ପରୀ ପାଇଁ କଥା ଟିଏ’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି, ନାବାଳିକା ଯୌନ ନିର୍ଯାତନା ଘଟଣାକୁ ରାଜ୍ୟ ସରକାର ଗୁରୁତର ଭାବେ ନେଇ ଆସୁଛନ୍ତି। ୟୁନିସେଫ୍‍ ସହଯୋଗରେ ରାଜ୍ୟ ପୁଲିସର ଏହି ଅଭିନବ ପଦକ୍ଷେପକୁ ସ୍ୱାଗତ କରିବା ସହିତ ୟୁନିସେଫ୍‍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ‘ପରୀ ପାଇଁ କଥା ଟିଏ’ କାର୍ଯ୍ୟକ୍ରମର ପୁସ୍ତିକାକୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥିମାନେ ଉନ୍ମୋଚନ କରିଥିଲେ। ରାଜ୍ୟର ୩୦ଟି ଜିଲାରେ ନାବାଳିକାଙ୍କ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ଲାଗି ରାଜ୍ୟ ପୁଲିସ ପକ୍ଷରୁ ୧୫ଟି ପରୀ ଏକ୍ସପ୍ରେସ୍‍ ତିଆରି କରାଯାଇଛି। ସ୍ୱତନ୍ତ୍ର ଭାବେ ନିର୍ମିିତ ଏହି ଭ୍ୟାନ୍‍ରେ ଅନେକ ସଚେତନତା ବାର୍ତ୍ତା ଉଲ୍ଲେଖ କରାଯାଇଛି। ସେହିପରି ଏହି ଭ୍ୟାନ୍‍ରେ ଏକ ଏଲ୍‍ଇଡି ଟିଭିରେ ଶିଶୁ କନ୍ୟାଙ୍କର ସୁରକ୍ଷା ପାଇଁ ଅଭିଭାବକଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟମାନଙ୍କର କିଭଳି ଦାୟିତ୍ୱ ରହିଛି ସେନେଇ ଅନେକ ଡକ୍ୟୁମେଣ୍ଟାରି ଫିଲ୍ମ ପ୍ରଦର୍ଶନ କରାଯିବ।
ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ୍‍ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ନାବାଳିକା ଓ ମହିଳାଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ନେଇ ଆସୁଥିବା କହିଛନ୍ତି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅଦିତ୍ୟପ୍ରସାଦ ପାଢ଼ୀ କହିଥିଲେ, ରାଜ୍ୟ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ। ଅତିରିକ୍ତ ଶାସନସଚିବ(ଗୃହ) ଅସୀତ ତ୍ରିପାଠୀ କହିଥିଲେ, ସମାଜରେ ଏଭଳି କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ କଠୋର ଶାସ୍ତି ଦିଆଯିବା ଦରକାର। ରାଜ୍ୟରେ ପ୍ରତିବର୍ଷ ହାରାହାରି ୧୨୦୦ ନାବାଳିକା ଯୌନ ନିର୍ଯାତନା ମାମଲା ରୁଜୁ ହେଉଛି। ସରକାର ପୋକସୋ ଆଇନ୍‍ ଆଣିଛନ୍ତି। ତେଣୁ ତୁରନ୍ତ ଏହି ମାମଲାରେ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ କରାଯିବା ଲାଗି ରାଜ୍ୟ ସରକାର ବିଚାର ବିଭାଗୀୟକୁ ପତ୍ର ଲେଖିଛନ୍ତି। ଦୃଷ୍ଟାନ୍ତମୂଳକ ଭାବେ ସାଲେପୁର ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ୧୨ ଦିନରେ କୋର୍ଟରେ ଅଭିଯୋଗ ଫର୍ଦ ଦାଖଲ କରାଯାଇଛି। ତୁରନ୍ତ ଏହାର ମାମଲା ଫଇସଲା କରିବାକୁ ଲକ୍ଷ୍ୟ ରଖାଯାଇଛି। ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିିଥିଲେ, ମୁଖ୍ୟମନ୍ତ୍ରୀ ରାଜଧାନୀରୁ ଶୁଭାରମ୍ଭ କରିବା ପରେ ଅନ୍ୟ ୧୪ଟି ସ୍ଥାନରୁ ପରୀ ଏକ୍ସପ୍ରେସ୍‍ ରାଜ୍ୟ ବିଭିନ୍ନ ସ୍ଥାନକୁ ଯାତ୍ରା ଆରମ୍ଭ କରିଛି। ସଚେତନତା ସମୟରେ ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ୍‍ କରାଯିବ। ଆସନ୍ତା ଜୁନ୍‍ ୧୨ ତାରିଖରେ ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ବିଭିନ୍ନ ସ୍କୁଲ ସ୍ତରର ଛାତ୍ରୀମାନଙ୍କୁ ସଚେତନ କରାଯିବ ବୋଲି ମହାନିର୍ଦେଶକ ଡାକ୍ତର ଶର୍ମା କହିଛନ୍ତି। ଏହି କାର୍ଯ୍ୟକ୍ରମର ୪ଟି ମୂଳଲକ୍ଷ୍ୟ ହେଉଛି ସଚେତନତା ସୃଷ୍ଟି କରିବା, ଏହି ଅପରାଧରେ କି ପ୍ରକାର ଦଣ୍ଡବିଧାନ ରହିଛି, ଏଭଳି ଘଟଣାକୁ ନ ଲୁଚାଇ ଅଭିଯୋଗ କରିବା ଏବଂ ଥାନା ସ୍ତରରେ ତଦନ୍ତକାରୀ ଅଧିକାରୀଙ୍କ ମଧ୍ୟରେ କ୍ରିୟାଶୀଳ କରାଯିବା।
ଏହି ପରୀ ଏକ୍ସପ୍ରେସ୍‍ ଶୁଭାରମ୍ଭ ଅବସରରେ ୟୁନିସେଫ୍‍ର ଓଡ଼ିଶା ମୁଖ୍ୟ ୟୁମି ବେ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମଶ୍ର, ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତନ ମୁମ୍ବାଇ ପୁଲିସ କମିଶନର ଅରୂପ ପଟ୍ଟନାୟକ, କ୍ରାଇମ୍‍ବ୍ରାଞ୍ଚ ଅତିରିକ୍ତ ମହାନିର୍ଦେଶକ ସନ୍ତୋଷ ଉପାଧ୍ୟାୟ, ପୁଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ, ଆଇଜି ଅରୁଣ ବୋଥ୍ରା, ଆଇଜି ଅସୀତ ପାଣିଗ୍ରାହୀ, ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply