ନିଯୁକ୍ତିଦାତା ସଞ୍ଚୟ କରିପାରିବେ ୯୦୦ କୋଟି

0

ନୂଆଦିଲ୍ଲୀ: ୨୦୧୮, ଜୁନ୍‍ ୧ ତାରିଖରୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି କର୍ତ୍ତୃପକ୍ଷ(ଇପିଏଫ୍‍ଓ) ପ୍ରଶାସନିକ ଦେୟ(ଆଡ୍‍ମିନିଷ୍ଟ୍ରେଟିଭ୍‍ ଚାର୍ଜ)ରେ ୦.୧୫% ହ୍ରାସ କରିବାକୁ ଯାଉଛନ୍ତି। ଏହାଦ୍ୱାରା ନିଯୁକ୍ତିଦାତାମାନେ ସାମୁହିକ ଭାବେ ବାର୍ଷିକ ପ୍ରାୟ ୯୦୦ କୋଟି ଟଙ୍କା ସଞ୍ଚୟ କରିପାରିବେ। ଗତ ଫେବ୍ରୁଆରୀ ୨୧ ତାରିଖରେ ଇପିଏଫ୍‍ଓ ଟ୍ରଷ୍ଟି ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି।
ପ୍ରଚଳିତ ନିୟମ ଅନୁଯାୟୀ ନିଯୁ୍‍କ୍ତିଦାତାମାନେ କର୍ମଚାରୀଙ୍କୁ ଦେଉଥିବା ପାରିଶ୍ରମିକର ୦.୬୫% ପ୍ରଶାସନିକ ଦେୟ ଭାବରେ ଜମା କରୁଛନ୍ତି। ସେହି ଅର୍ଥକୁ ଇପିଏଫ୍‍ଓ କର୍ମଚାରୀଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ବିନିଯୋଗ କରୁଛନ୍ତି। ଗତ ଆର୍ଥିକ ବର୍ଷରେ ଇପିଏଫ୍‍ଓ ଏ ବାବଦରେ ୩୮୦୦ କୋଟି ଟଙ୍କା ଆୟ କରିଛନ୍ତି। ଏବେ ଇପିଏଫ୍‍ଓ ପାଖରେ ଏ ବାବଦ ଜମା ରାଶି ବୃଦ୍ଧି ପାଇ ୨୦,୦୦୦ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ତା’ ଉପରେ ବାର୍ଷିକ ୧୬୦୦ କୋଟି ଟଙ୍କାର ସୁଧ ପାଉଛନ୍ତି। ଇପିଏଫ୍‍ଓର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଇପିଏଫ୍‍ରେ ପଞ୍ଜିକୃତ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜମା ରାଶି ମଧ୍ୟ ବୃଦ୍ଧି ପାଇଛି। ତେଣୁ ଦେୟ ରାଶିକୁ ହ୍ରାସ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାପରେ ସମ୍ପୃକ୍ତ ନିଯୁକ୍ତିଦାତାମାନେ ସେହି ଅର୍ଥକୁ କର୍ମଚାରୀଙ୍କ କଲ୍ୟାଣ ଦିଗରେ ଖର୍ଚ୍ଚ କରିପାରିବେ। ଏବେ ଇପିଏଫ୍‍ର ୫୦୦ ନିୟୁତ ଉପଭୋକ୍ତା ଥିବା ବେଳେ ଇପିଏଫ୍‍ଓ ପାଖରେ ୧୦ଟ୍ରିଲିୟନ(୧ ଟ୍ରିଲିୟନ = ୧ ଲକ୍ଷ କୋଟି ଟଙ୍କା)ର କର୍ପସ୍‍ ପାଣ୍ଠି ରହିଛି। ୨୦୧୫ ଜାନୁଆରୀ ୧ ତାରିଖରେ ପ୍ରଶାସନିକ ଦେୟ ୧.୧୦%ରୁ ୦.୮୫%କୁ ଏବଂ ୨୦୧୭, ଏପ୍ରିଲ୍‍ ୧ ତାରିଖରେ ୦.୬୍କକୁ ହ୍ରାସ ପାଇଥିଲା।

Leave A Reply