ଆଇପିଏଲ୍‍ ୨୦୧୮- ଚେନ୍ନଇ-ହାଇଦରାବାଦ ମଧ୍ୟରେ ଫାଇନାଲ ମୁକାବିଲା

0

ମୁମ୍ବଇ: ଆଇପିଏଲ୍‍ ୨୦୧୮ର ହାଇଭୋଲ୍‍ଟେଜ୍‍ ଫାଇନାଲ ମ୍ୟାଚ୍‍ ଆଜି ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍‍ରେ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହେବ। ସନ୍‍ରାଇଜର୍ସ ହାଇଦରାବାଦ ଓ ଚେନ୍ନଇ ସୁପର କିଙ୍ଗ୍‍ସ ମଧ୍ୟରେ ଏହି ମୁକାବିଲା ଅନୁଷ୍ଠିତ ହେବ।

ଦୀର୍ଘ ଏକମାସ ଧରି ବିଶ୍ୱର ସବୁଠାରୁ ଧନଶାଳୀ ଏବଂ ସର୍ବବୃହତ୍‍ ଟ୍ୱେଣ୍ଟି-୨୦ କ୍ରିକେଟ୍‍ ଲିଗ୍‍ ଆଇପିଏଲ୍‍ର ୧୧ଶ ସଂସ୍କରଣର ଆଜି ଅନ୍ତଃ ହେବାକୁ ଯାଉଛି। ୱାଙ୍ଖେଡ଼େ ଷ୍ଟାଡିୟମ୍‍ରେ ଆଜି ସନ୍ଧ୍ୟାରେ ସନ୍‍ରାଇଜର୍ସ ହାଇଦରାବାଦ ଓ ଚେନ୍ନଇ ସୁପର କିଙ୍ଗ୍‍ସ ମଧ୍ୟରେ ହାଇଭୋଲ୍‍ଟେଜ୍‍ ଫାଇନାଲ ମ୍ୟାଚ୍‍ ଖେଳାଯିବ। ଆଇପିଏଲ୍‍ର ୧୧ଶ ସଂସ୍କରଣରେ କିଏ ଟାଇଟଲ ଜିତିବ; ତାହା କହିବା କଷ୍ଟକର ନିଶ୍ଚୟ। ତେବେ ଆଇପିଏଲ୍‍ ରେକର୍ଡ ସହ ଚଳିତବର୍ଷର ପ୍ରଦର୍ଶନ ଦେଖିଲେ ଫାଇନାଲରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ)ର ବିଜୟ ସମ୍ଭାବନା ଅଧିକ ବୋଲି ସ୍ୱୀକାର କରିବାକୁ ପଡ଼ିବ। ତେବେ କ୍ରିକେଟ ହେଉଛି ଅନିଶ୍ଚିତତାର ଖେଳ ଏବଂ ଟ୍ୱେଣ୍ଟି୨୦ରେ ଅନିଶ୍ଚିତତା ଅଧିକ ରହିଥାଏ। ସୂଚନାଯୋଗ୍ୟ; ଲିଗ୍‍ ପର୍ଯ୍ୟାୟରେ ସନ୍‍ରାଇଜର୍ସ ହାଇଦରାବାଦ ଓ ଚେନ୍ନଇ ସୁପର କିଙ୍ଗ୍‍ସ ପଏଣ୍ଟ ଟେବୁଲ୍‍ର ପ୍ରଥମ ୨ଟି ସ୍ଥାନରେ ରହିଥିଲେ ଏବଂ ଯଥାର୍ଥ ଭାବେ ଦୁହେଁ ଫାଇନାଲରେ ପହଞ୍ଚିଛନ୍ତି।
ପ୍ରଥମ କ୍ୱାଲିଫାୟରରେ ମଧ୍ୟ ସନ୍‍ରାଇଜର୍ସ ହାଇଦରାବାଦ ଓ ଚେନ୍ନଇ ସୁପର କିଙ୍ଗ୍‍ସ ମଧ୍ୟରେ ମୁକାବିଲା ହୋଇଥିଲା ଏବଂ ଏଥିରେ ଫାଫ୍‍ ଡୁ ପ୍ଲେସିଙ୍କ ଚମତ୍କାର ଇନିଂସ ବଳରେ ଜିତି ଚେନ୍ନଇ ଫାଇନାଲରେ ପହଞ୍ଚିଛି। ସନ୍‍ରାଇଜର୍ସ ପ୍ରଥମ ପ୍ରୟାସରେ ବିଫଳ ହୋଇଥିବା ବେଳେ କ୍ୱାଲିଫାୟର-୨ରେ କଲକାତା ନାଇଟ ରାଇଡର୍ସକୁ ପଛରେ ପକାଇ ଫାଇନାଲରେ ପହଞ୍ଚିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ସନ୍‍ରାଇଜର୍ସ ଓ ଚେନ୍ନଇ ମଧ୍ୟରେ ୩ ଥର ମୁକାବିଲା ହୋଇଥିବା ବେଳେ ଚେନ୍ନଇ ୩-୦ରେ ଆଗୁଆ ରହିଛି।

ଦୁଇ ବର୍ଷର ନିଷେଧାଦେଶ ପରେ ଆଇପିଏଲ୍‍କୁ ଫେରିଥିବା ଚେନ୍ନାଇ ଦଳ ୨୦୧୦ ଓ ୨୦୧୧ରେ ଚାମ୍ପିୟନ୍‍ ହୋଇଥିବାବେଳେ ହାଇଦରାବାଦ ଦଳ ୨୦୧୬ରେ ଥରେ ଚାମ୍ପିୟନ୍‍ ହୋଇଥିଲା ।

Leave A Reply