ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଛି। ଦୁର୍ଘଟଣାରେ ଗୁରୁତର ଆହତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ତେବେ ଆହତଙ୍କୁ ଯଥାଶୀଘ୍ର ଡ଼ାକ୍ତରଖାନାରେ ପହଞ୍ଚାଇବା ଏବେ ବି ଏକ ଆହ୍ବାନ ହୋଇରହିଛି। ଏହାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ ଓ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକରେ ଟ୍ରମା କେୟାର ବ୍ୟବସ୍ଥା ଅଛି କି ନାହିଁ ତାହା ଯାଞ୍ଚ କରାଯାଇ ଏକ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ହୋଇଛ। ଏହି ତଥ୍ୟ ଆଧାରରେ ଆମ୍ବୁଲାନ୍ସଗୁଡ଼ିକରେ ଜୀବନ ରକ୍ଷାକାରୀ ଉପଯୁକ୍ତ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ବିଶେଷ କରି ଆମ୍ବୁଲାନ୍ସଗୁଡ଼ିକ ଯେପରି ଜାତୀୟ ଆମ୍ବୁଲାନ୍ସ କୋଡ୍ (ଏନ୍ଏସି)ର ଅନୁପାଳନ କରିବେ ତାହା ସରକାର ତଦାରଖ କରିବେ।
ରାଜ୍ୟରେ ସଡ଼କ ଦୁର୍ଘଟଣାରେ ମୃତାହତ ସଂଖ୍ୟା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇରହିଛି। ଗୋଲ୍ଡେନ୍ ଆୱାର ଅବା ଘଡ଼ିସନ୍ଧି ମୁହୂର୍ତ୍ତରେ ଆହତଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଟ୍ରମା ଚିକିତ୍ସା ପ୍ରଦାନ ପାଇଁ ରାଜ୍ୟ ସରକାର ସମସ୍ତ ସରକାରୀ ଡ଼ାକ୍ତରଖାନା ସହ ଭୁବନେଶ୍ବରର ଆପୋଲୋ ଓ ଆମ୍ରି ଏବଂ କଟକରେ ଅଶ୍ବିନୀ ହସପିଟାଲରେ ବ୍ୟବସ୍ଥା କରିବା ସହ ସ୍ବତନ୍ତ୍ର ପାଣ୍ଠି ଗଠନ କରିଛନ୍ତି। ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ଚିକିତ୍ସା ପ୍ରଦାନ ଜରୁରୀ। ତେବେ ଏବେ ଗୁରୁତ୍ବପୂର୍ଣ୍ଣ ହେଉଛି ଜୀବନ ମୃତ୍ୟୁ ମଝିରେ ଝୁଲି ରହିଥିବା ଆହତଙ୍କୁ ଡ଼ାକ୍ତରଖାନା ପହଞ୍ଚାଉଥିବା ଆମ୍ବୁଲାନ୍ସ ବ୍ୟବସ୍ଥାକୁ ସୁଦୃଢ଼ କରିବା। ନିୟମ ଅନୁସାରେ ଆମ୍ବୁଲାନ୍ସ ଗୁଡ଼ିକ ଲେବଲ-୪ ଟ୍ରମା କେୟାର ବ୍ୟବସ୍ଥା ସମ୍ପନ୍ନ ହେବା ଆବଶ୍ୟକ। ଯଦ୍ଦ୍ବାରା ଡ଼ାକ୍ତରଖାନ ଯିବା ବାଟରେ ହିଁ ଆମ୍ବୁଲାନ୍ସ ମଧ୍ୟରେ ଆହତଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବା ସମ୍ଭବ ହୋଇଥାଏ।



