ମାଆ କୋଳରୁ ଖସି ରାସ୍ତାରେ ପଡ଼ିଲା ଶିଶୁ; ପଛରୁ ଆସି ମାଡ଼ିଗଲା ଟ୍ରକ୍
ମହାରାଜଗଞ୍ଜ: ଉତ୍ତର ପ୍ରଦେଶର ମହାରାଜଗଞ୍ଜ ସ୍ଥିତ ବୃଜମନଗଞ୍ଜ ରାସ୍ତାର ଏକ ଛକ ନିକଟରେ ମଙ୍ଗଳବାର ଏକ ଲୋମ ହର୍ଷଣକାରୀ ସଡ଼କ ଦୁର୍ଘଟଣାରେ ଗୋଟିଏ ୨ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ନିଜ ମାଆ କୋଳରେ ବସି ବାଇକ୍ରେ ଯାଉଥିବା ବେଳେ ହଠାତ୍ ବାଇକ୍ ଅନିୟନ୍ତ୍ରିତ ହୋଇଯିବାରୁ ଶିଶୁଟି କୋଳରୁ ଖସି ତଳେ ପଡ଼ି ଯାଇଥିଲା। ଏହାପରେ କେହି ତାକୁ ତଳୁ ଉଠାଇବା ପୂର୍ବରୁ ପଛରୁ ଆସୁଥିବା ଏକ ଟ୍ରକ୍ ତା’ ଉପରେ ଚଢି ଚାଲି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନା ଅନୁସାରେ, ପୁରନ୍ଦରପୁର ଥାନା ଅନ୍ତର୍ଗତ ଚନ୍ଦନପୁର ନିବାସୀ ସିକନ୍ଦରଙ୍କ ପତ୍ନୀ ତାଙ୍କର ୨ ପିଲାଙ୍କ ସହ ଜଣେ ସମ୍ପର୍କୀୟଙ୍କ ସାଥିରେ ବାଇକ୍ରେ ଯାଉଥିଲେ। ରାସ୍ତାରେ ହଠାତ୍ ବାଇକ୍ ଅନିୟନ୍ତ୍ରିତ ହୋଇ ପଡ଼ି ଯାଇଥିଲା। ଫଳରେ ୨ ବର୍ଷୀୟ ସୁହାନୀ ମାଆ କୋଳରୁ ଖସି ତଳେ ପଡ଼ି ଯାଇଥିଲା ଓ ବୃଜମନଗଞ୍ଜରୁ ଫରେନ୍ଦା ଯାଉଥିବା ଏକ ଟ୍ରକ୍ ତା’ ଉପରେ ଚଢି ଯାଇଥିଲା। ପୁଲିସ ଟ୍ରକକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।
Comments are closed.