ପ୍ରାଣ ପାଇଲେ ପ୍ରାଣକୃଷ୍ଣ, ୭ଟା ଘଣ୍ଟା ପରେ ପାଇପ ଭିତରୁ ଉଦ୍ଧାର ହେଲେ

0

କଟକ: ଦୀର୍ଘ ୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପାଇପ ମଧ୍ୟରୁ ଉଦ୍ଧାର ହେଲେ ପ୍ରାଣକୃଷ୍ଣ । କଂକ୍ରିଟ ଢଳେଇ କାଟି ତାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ତାଙ୍କୁ ଏସିବି ମେଡିକାଲକୁ ନିଆଯାଇଛି ।

ସୂଚନା ଯୋଗ୍ୟ, ଗୁରୁବାର ଦିନ କଟକରେ ଥିବା ପୁଲିସ ସିଗନାଲ ମୁଖ୍ୟାଳୟ ନିକଟସ୍ଥ ପମ୍ପିଂ ଷ୍ଟେସନର ପାଇପ୍‌ ସଫା କରୁଥିବା ବେଳେ ପମ୍ପ ଅନ୍‌ ହେବାରୁ ପ୍ରାଣକୃଷ୍ଣ ମୁଦଲି ନାମକ ଜଣେ ଶ୍ରମିକ ଏହା ଭିତରେ ଫସି ଯାଇଥିଲେ । ସକାଳ ସାଢେ ୮ଟା ବେଳେ ଏହି ଘଟଣା ଘଟିଥିଲା । ସ୍ଥାନୀୟ ବାସିନ୍ଦା ଏହା ଜାଣିବା ପରେ ଉଦ୍ଧାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ମାତ୍ର ବହୁତ ଭିତରକୁ ଚାଲିଯାଇଥିବାରୁ ତାଙ୍କୁ ବାହାରକୁ କାଢିବା ସମ୍ଭବ ହୋଇ ନ ଥିଲା । ଲୋକ ସେବକ ମଣ୍ଡଳର  କୋଷାଧ୍ୟକ୍ଷ ତଥା ସମାଜ ପରିଚାଳନା ମଣ୍ଡଳର ସମ୍ପାଦକ ଭୀମସେନ ଯାଦବ ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ପ୍ରଶାସନିକ ଅଧିକାରୀମାନଙ୍କ ସହ ଯୋଗାଯୋଗ କରିଥିଲେ ।  ଅଗ୍ନିଶମ ବିଭାଗ ସହ ଓଡ୍ରାଫ  ଟିମ୍‌ ସେଠାରେ  ପହ଼ଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

କିପରି ଫସିଥିଲେ ଶ୍ରମିକ

ପ୍ରାଣକୃଷ୍ଣ ଅନେକ ସମୟରେ ଏହି ପମ୍ପିଂ ଷ୍ଟେସନ ନିକଟରେ ସଫେଇ କାର୍ଯ୍ୟ କରିଥାଆନ୍ତି । ଗୁରୁବାର ସକାଳେ ସେ କାମ କରୁଥିବା ବେଳେ ଅସାବଧାନତା ବଶତଃ ପମ୍ପଟି ଚାଲୁ ହୋଇ ଯାଇଥିଲା । ସେ ଦୁଇ ଫୁଟ୍ ଗୋଲେଇର ଏହି ସ୍ୱିରେଜ୍‌ ପାଇପରେ ଫସି ଯାଇଥିଲେ । ସ୍ଥାନୀୟ ଲୋକମାନେ ଏହା ଦେଖିବା ପରେ ପମ୍ପ ବନ୍ଦ କରିବା ପାଇଁ କହିଥିଲେ । ଏହାପରେ ଲୋକ ସେବକ ମଣ୍ଡଳର କୋଷାଧ୍ୟକ୍ଷ ତଥା ସମାଜ

ପରିଚାଳନା ମଣ୍ଡଳର ସମ୍ପାଦକ ଭୀମସେନ ଯାଦବ ଘଟଣାସ୍ଥଳରେ ପହଞ୍ଚିଥିଲେ । ଶ୍ରମିକଙ୍କ ଉଦ୍ଧାର ପାଇଁ ସେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ପ୍ରଶାସନିକ ଅଧିକାରୀମାନଙ୍କ ସହ ଯୋଗାଯୋଗ କରିଥିଲେ । ଜେସିବି ମେସିନରେ ରାସ୍ତାକୁ ଖୋଳା ଯିବା ପରେ ପାଇପକୁ କଟା ଯାଇଥିଲା । ସକାଳ ୮ଟା ୩୦ରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାୟ ୭ ଘଣ୍ଟା ଧରି  ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିଲା । ଉଦ୍ଧାର କାର୍ଯ୍ୟ ସମୟରେ ପ୍ରାଣକୃଷ୍ଣଙ୍କୁ ପାଣି ପିଇବାକୁ ଦେବା ସହ ଅକ୍ସିଜେନ ଦିଆଯାଇଥିଲା । ଘଟଣାସ୍ଥଳରେ ଦେଖଣାହାରୀଙ୍କର ସହ ବିଭିନ୍ନ ନେତାଙ୍କ ସୁଅ ଛୁଟିଥିଲା ।   ବିଭିନ୍ନ ସ୍ଥାନୀୟ ଟିଭି ଚ୍ୟାନେଲ ପକ୍ଷରୁ ଏହାକୁ ସିଧା ପ୍ରସାରଣ କରାଯାଇଥିଲା । ଘଟଣାସ୍ଥଳରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଡାକ୍ତରୀ ଦଳ ଓ ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇ ରହିଥିଲା ।

ପ୍ରାଣକୃଷ୍ଣଙ୍କ ଉଦ୍ଧାର ପରେ ଚିକିତ୍ସାପାଇଁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଜଣେ ଅଗ୍ନିଶମ ବିଭାଗର କର୍ମଚାରୀମଧ୍ୟ ସାମାନ୍ୟ ଆହତ ହୋଇଥିଲା । ପ୍ରାଣକୃଷ୍ଣ ଉଦ୍ଧାର ହେବାପରେ , ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମର ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।

 

 

Leave A Reply