ମୁମ୍ବଇ ପ୍ଲେଅଫ୍‍ର ନିକଟତର

0

ମୁମ୍ବଇ : ଆଇପିଏଲ୍‍ର ୫୦ତମ ମ୍ୟାଚ୍‍ ରେ ପଞ୍ଜାବକୁ ୩ ରନ୍‍ ରେ ପରାସ୍ତ କରି ମୁମ୍ବଇ ପ୍ଲେଅଫ୍‍ ର ନିକଟତର ହୋଇଛି। ଏହି ବିଜୟ ସହିତ ମୁମ୍ବଇ ପଏଣ୍ଟ ତାଲିକାରେ ୧୩ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୭ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ଷଷ୍ଠରୁ ୪ର୍ଥ ସ୍ଥାନକୁ ଉନ୍ନିତ ହୋଇଛି। ଅନ୍ୟପକ୍ଷରେ  କିଙ୍ଗସ୍ ଇଲେଭେନ୍ ପଞ୍ଜାବ ୧୩ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୭ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ପଏଣ୍ଟ ତାଲିକାର ପଞ୍ଚମରୁ  ଷଷ୍ଠ ସ୍ଥାନକୁ ଖସିଛି।

୧୮୭ ରନ୍‍ର ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ ଦଳ ୨୦ ଓଭରରେ ୧୮୩ ରନ୍‍ ସଂଗ୍ରହ କରି ପରାଜିତ ହୋଇଥିଲା। ଦଳ ତରଫରୁ ଓପନ୍‍ର କେଏଲ୍‍ ରାହୁଲ ୯୪ ରନ୍‍ ସଂଗ୍ରହ କରିଥିଲେ ମଧ୍ୟ ଦଳକୁ ବିଜୟୀ କରାଇ ପାରିନଥିଲେ। ଶେଷ ବେଳକୁ ମୁମ୍ବଇ ଦଳର ବୋଲରମାନେ ମାପିଚୁପି ବୋଲିଂ କରିଥିବା ବେଳେ ପଞ୍ଜାବ ଦଳର ବ୍ୟାଟସମ୍ୟାନ୍‍ ସହଜରେ ଆଉଟ୍‍ ହୋଇଯାଇଥିଲେ। ପଞ୍ଜାବ ତରଫରୁ ଆରୋନ୍‍ ଫିଞ୍ଚ ୪୬ ରନ୍‍ ସଂଗ୍ରହ କରିଥିବା ବେଳେ ଅନ୍ୟ ବ୍ୟାଟସମ୍ୟାନ୍‍ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ଗେଲ୍‍ ୧୮, ଷ୍ଟୋଇନିସ୍‍ ୧, ଅକ୍ଷର ପଟେଳ ୧୦, ଯୁବରାଜ ୧ ରନ୍‍ କରି ଆଉଟ୍‍ ହୋଇଥିଲେ। ରାହୁଲ ଓ ଫିଞ୍ଚ ଦଳକୁ ବିଜୟୀ କରାଇବା ଦିଗରେ ଅଗ୍ରସର ହୋଇଥିଲେ। ତେବେ ଏହି ଦୁଇ ଖେଳାଳି ଆଉଟ୍‍ ହେବା ପରେ ପଞ୍ଜାବର ବିଜୟ ଆଶା ମଉଳି ଯାଇଥିଲା।
ପୂର୍ବରୁ ଟସ୍‍ରେ ଜିତି ପଞ୍ଜାବ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ମୁମ୍ବଇକୁ ଆମନ୍ତ୍ରଣ କରିଥିଲା। ମୁମ୍ବଇ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‍ ହରାଇ ୧୮୬ ରନ୍‍ ସଂଗ୍ରହ କରିଥିଲା। ଦଳ ତରଫରୁ ସୂର୍ଯ୍ୟକୁମାର ଯାଦବ ଓ ଲୁଇସ୍‍ ବ୍ୟାଟିଂ ଓପନ୍‍ କରିଥିଲେ। ପ୍ରଥମ ୱିକେଟ୍‍ ନିମନ୍ତେ ଉଭୟ ଖେଳାଳି ୩୭ ରନ୍‍ ସଂଗ୍ରହ କରିଥିବା ବେଳେ ଲୁଇସ୍‍ ୧ଟି ଛକା ସହାୟତାରେ ୯ ରନ୍‍ କରି ଟାଇଙ୍କ ବଲରେ ଆଉଟ୍‍ ହୋଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଇଶାନ୍‍ କିଷନ ଓ ସୂର୍ଯ୍ୟକୁମାର ଦଳର ସ୍କୋରକୁ ୫୯ରେ ପହଞ୍ଚାଇଥିବା ବେଳେ ଇଶାନ୍‍ କିଷନ ବ୍ୟକ୍ତିଗତ ଭାବେ ୧ଟି ଚୌକା ଓ ୨ଟି ଛକା ସହାୟତାରେ ୨୦ ରନ୍‍ କରି ଆଉଟ୍‍ ହୋଇଥିଲେ। ଇଶାନ୍‍୍‍ ଆଉଟ୍‍ ହେବା ପରେ ବ୍ୟାଟିଂ କରିବାକୁ ଆସିଥିଲେ ଅଧିନାୟକ ରୋହିତ ଶର୍ମା। ତେବେ ଦଳର ସ୍କୋର ସେହି ୫୯ ରନ୍‍ ହୋଇଥିବା ବେଳେ ତୃତୀୟ ୱିକେଟ୍‍ର ପତନ ଘଟିଲା। ସୂର୍ଯ୍ୟକୁମାର ୩ଟି ଚୌକା ଓ ୨ଟି ଛକା ସହାୟତାରେ ୨୭ ରନ୍‍ କରି ଟାଏଙ୍କ ବଲରେ ରାହୁଲଙ୍କ ଦ୍ୱାରା କ୍ୟାଚ୍‍ ହୋଇଥିଲେ। ସହଳ ୩ଟି ୱିକେଟ୍‍ର ପତନ ପରେ ରୋହିତ ଶର୍ମା ଓ କ୍ରୁନାଲ ପାଣ୍ଡ୍ୟା ଜଗି ରଖି ଖେଳିଥିଲେ। ତେବେ ରୋହିତ ବେଶୀ ସମୟ ପିଚ୍‍ରେ ତିଷ୍ଠି ପାରିନଥିଲେ। ଦଳର ସ୍କୋର ୭୧ ହୋଇଥିବା ବେଳେ ରୋହିତ ୬ ରନ୍‍ କରି ରାଜପୁତଙ୍କ ବଲରେ ଆଉଟ୍‍ ହୋଇଥିଲେ। ରୋହିତ ଆଉଟ୍‍ ହେବା ପରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ ପୋଲାର୍ଡ। ପୂର୍ବ ମ୍ୟାଚ୍‍ ଗୁଡ଼ିକରେ ସଫଳତା ପାଇନଥିବା ପୋଲାର୍ଡ ଆରମ୍ଭରୁ ବିସ୍ପୋରକ ବ୍ୟାଟିଂ କରିଥିଲେ। ସେ ଓ କ୍ରୁନାଲ୍‍ ଦଳର ସ୍କୋରକୁ ୧୩୬ ରନ୍‍ରେ ପହଞ୍ଚାଇଥିବା ବେଳେ କ୍ରୁନାଲ୍‍ ୨୩ଟି ବଲ୍‍ରୁ ୧ଟି ଚୌକା ଓ ୨ଟି ଛକା ସହାୟତାରେ ୩୨ ରନ୍‍ କରି ଆଉଟ୍‍ ହୋଇଥିଲେ। ଅନ୍ୟପଟେ ପୋଲାର୍ଡ ବିସ୍ଫୋରକ ବ୍ୟାଟିଂ କରି ୨୩ଟି ବଲ୍‍ରୁ ୫ଟି ଚୌକା ଓ ୩ଟି ଛକା ସହାୟତାରେ ୫୦ ରନ୍‍ କରି ଅଶ୍ୱିନ୍‍ଙ୍କ ବଲରେ ଆଉଟ୍‍ ହୋଇଥିଲେ। ସେତେବେଳେ ଦଳର ସ୍କୋର ଥିଲା ୧୫୨ ରନ୍‍। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ହାର୍ଦିକ ପାଣ୍ଡ୍ୟା ମାତ୍ର ୯ ରନ୍‍ କରି ଆଉଟ୍‍ ହୋଇଥିବା ବେଳେ ବେନ୍‍ କଟିଙ୍ଗ୍‍ ୪ ରନ୍‍ କରି ଅଶ୍ୱିନ୍‍ଙ୍କ ବଲରେ ଆଉଟ୍‍ ହୋଇଥିଲେ। ମ୍ୟାକ୍‍ କ୍ଲେନେଘାନ୍‍ ୧ଟି ଚୌକା ଓ ୧ଟି ଛକା ସହାୟତାରେ ୧୧ ଓ ମାର୍କଣ୍ଡେ ୧ଟି ଚୌକା ସହାୟତାରେ ୭ ରନ୍‍ କରି ଅପରାଜିତ ରହିଥିଲେ। ପଞ୍ଜାବର ବୋଲର ଟାଇ ୧୬ ରନ୍‍ ବିନିମୟରେ ୪ଟି, ଅଶ୍ୱିନ୍‍ ୧୮ ରନ୍‍ ବିନିମୟରେ ୨ଟି, ରାଜପୁତ ଓ ଷ୍ଟୋଇନିସ୍‍ ଗୋଟିଏ ଲେଖାଏଁ ୱିକେଟ୍‍ ହାସଲ କରିଥିଲେ।

Leave A Reply