ବିଜେପିର ବିଜୟ ବନାମ କଂଗ୍ରେସର ପରାଜୟ

0

କର୍ଣ୍ଣାଟକ ବିଧାନସଭା ନିର୍ବାଚନ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମୋଦି ମ୍ୟାଜିକ୍‍ ପୁଣି ଥରେ ଯାଦୁ ଦେଖାଇଛି। ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ଅନୁଧ୍ୟାନ କଲେ କଂଗ୍ରେସକୁ କ୍ଷମତାଚ୍ୟୁତ କରିଥିଲେ ମଧ୍ୟ ସରକାର ଗଠନ ବିଜେପି ପାଇଁ ସୁଦୂର ପରାହତ ବୋଲି ଦେଖାଯାଉଛି। ତେବେ କଂଗ୍ରେସର ପତ୍ତନ ଓ ବିଜେପିର ବିଜୟ ପାଇଁ କେତେକ କାରଣକୁ ରାଜନୈତିକ ବିଶାରଦମାନେ ଦାୟୀ କରିଛନ୍ତି।

 ୧- ମୋଦି ମ୍ୟାଜିକ୍‍:

ଆରମ୍ଭରୁ ବିଜେପିର ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାରରୁ ନିଜକୁ ଦୂରେଇ ରଖିଥିଲେ। କର୍ଣ୍ଣାଟକରେ ମୋଦି ମ୍ୟାଜିକ୍‍ କାମ କରିବ ନାହିଁ ବୋଲି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ମୋଦି ପ୍ରଚାର କରୁ ନଥିବା ସେତେବେଳେ ଚର୍ଚ୍ଚା ହେଉଥିଲା। ରାଜନୀତି ସମୀକ୍ଷକଙ୍କ ମତ ଓ ପ୍ରାକ୍‍ ନିର୍ବାଚନୀ ବିଶ୍ଲେଷଣରୁ ମଧ୍ୟ କଂଗ୍ରେସର ପଲା ଭାରିଥିବା ଜଣାପଡ଼ିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ମୋଦି ଜୋରଦାର ପ୍ରଚାର କରିଥିଲେ। ଗୋଟିଏ ଦିନରେ ଚାରିଟି ରାଲି କରି ମୋଦି କର୍ଣ୍ଣାଟକ ଭୋଟରଙ୍କୁ ଆକର୍ଷିତ କରିପାରିଥିଲେ। ଏହାପରେ ବିଶ୍ଲେଷକ ଓ ପ୍ରାକ୍‍ ନିର୍ବାଚନୀ ଆକଳନକୁ ଭୁଲ୍‍ ସାବ୍ୟସ୍ତ କରି ନିର୍ବାଚନ ଚିତ୍ରକୁ ମୋଦି ମ୍ୟାଜିକ ବଦଳାଇ ଦେଇଥିଲା।

 ୨-ରାହୁଲଙ୍କ ପ୍ରଭାବହୀନ ରଣକୌଶଳ:

ସର୍ବଦା ଧର୍ମନିରପେକ୍ଷ ଓ ଅଣଜାତିଆଣ କାର୍ଡ ଖେଳି ଆସିଥିବା କଂଗ୍ରେସର ନବନିଯୁକ୍ତ ସଭାପତି ରାହୁଲ୍‍ ଗାନ୍ଧିଙ୍କ ହିନ୍ଦୁତ୍ୱ କାର୍ଡ ଓ ଲିଙ୍ଗାୟତ କାର୍ଡ ଭୋଟରଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଲା। କ୍ଷମତା ବା ଭୋଟ ପାଇଁ ରାହୁଲ୍‍ ଡ୍ରାମାବାଜି କରୁଥିବା ଚର୍ଚ୍ଚା ଆରମ୍ଭ ହେଲା। କାଗଜ ନ ଦେଖି ୧୫ ମିନିଟ ଭାଷଣ ଦେବା ପାଇଁ ମୋଦିଙ୍କ ଆହ୍ୱାନକୁ ରାହୁଲ୍‍ ଗ୍ରହଣ ନ କରିବାର ପ୍ରଭାବ ମଧ୍ୟ ଭୋଟ ଉପରେ ପ୍ରତିଫଳିତ ହେଲା ବୋଲି ବିଶେଷଜ୍ଞମନେ କହିଛନ୍ତି।

 ୩-କଂଗ୍ରେସର ଅଧୋପତନ ଧାରା:

କେବଳ ପଞ୍ଜାବ ବିଧାନସଭା ନିର୍ବାଚନକୁ ଛାଡ଼ିଦେଲେ ୨୦୧୪ ପରଠାରୁ କଂଗ୍ରେସ ପ୍ରାୟ ସବୁ ସ୍ଥାନରେ ପରାଜୟ ଲାଭ କରିଛି। ରାଜସ୍ଥାନ ଓ ମଧ୍ୟପ୍ରଦେଶର ଉପ ନିର୍ବାଚନରେ କଂଗ୍ରେସକୁ କିଛିଟା ସଫଳତା ମିଳିଥିଲେ ମଧ୍ୟ କଂଗ୍ରେସ ଉପରେ ଜନତା ପୁନଃ ଆସ୍ଥା ସ୍ଥାପନ କରିପାରି ନାହାନ୍ତି। କଂଗ୍ରେସର ଅଧୋପତନ ଧାରା ଅବ୍ୟାହତ ରହିଥିବାରୁ ସାଧାରଣ ଭୋଟରଙ୍କ ଆସ୍ଥା ଜିଣିବାରେ କଂଗ୍ରେସ ସଫଳ ହୋଇପାରିନଥିଲା।

୪-କଂଗ୍ରେସର ପାଣ୍ଠି ସମସ୍ୟା:

୨୦୧୪ ପରଠାରୁ ଗୋଟିଏ ପରେ ଗୋଟିଏ ରାଜ୍ୟରୁ କଂଗ୍ରେସ କ୍ଷମତାଚ୍ୟୁତ ହେବାରେ ଲାଗିଛି। ଏହାର ପ୍ରଭାବ ଦଳର ପାଣ୍ଠି ଓ ନିର୍ବାଚନ ପ୍ରଚାର ଉପରେ ପଡ଼ିଛି। ଅପରପକ୍ଷରେ କେନ୍ଦ୍ର ସମେତ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବିଜେପି ଦଖଲକୁ ନେଇଥିବାରୁ ନିର୍ବାଚନୀ ଖର୍ଚ୍ଚ ଓ ପାଣ୍ଠି ପରିଚାଳନାରେ କଂଗ୍ରେସ ତୁଳନାରେ ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି। ଏହି କାରଣରୁ କର୍ଣ୍ଣାଟକ ନିର୍ବାଚନ ପ୍ରଚାରରେ କଂଗ୍ରେସ ବିଜେପି ତୁଳନାରେ ପଛରେ ପଡ଼ିଯାଇଥିଲା ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି।

୫ -ଜାତୀୟ ବନାମ ଆଞ୍ଚଳିକ ସମସ୍ୟା:

କର୍ଣ୍ଣାଟକ ବିଧାନସଭାରେ ବିଜେପି ଏକାଧିକ ଜାତୀୟ ପ୍ରସଙ୍ଗକୁ ସ୍ଥାନ ଦେଇଥିବା ବେଳେ କଂଗ୍ରେସ କାବେରୀ ଜଳ ବିବାଦ, ଲିଙ୍ଗାୟତ ମାନ୍ୟତା ପରି ଆଞ୍ଚଳିକ ପ୍ରସଙ୍ଗରେ ସୀମିତ ରହିଯାଇଥିଲା। ଏଣୁ ସଚେତନ ଭୋଟରମାନେ କଂଗ୍ରେସ ଅପେକ୍ଷା ବିଜେପିକୁ ପସନ୍ଦ କରିଥିଲେ।

Leave A Reply