ନିର୍ମାଣ ହେବ “ଲୁକା ଛୁପି”ର ଦ୍ବିତୀୟ ଭାଗ
ମୁମ୍ବଇ : କାର୍ତ୍ତିକ ଆର୍ୟ୍ୟନ୍-କୃତି ସାନୋନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲୁକା ଛୁପି’ର ଦ୍ବିତୀୟ ଭାଗ ନିର୍ମାଣ ହେବ। ଏହାର ପ୍ରଥମ ଭାଗକୁ ଦର୍ଶକମାନେ ବେଶ୍ ପସନ୍ଦ କରିବା ସହ ବକ୍ସ ଅଫିସରେ ଏହା ଭଲ ଆୟ କରିଥିବାରୁ ଏହାର ଦ୍ବିତୀୟ ଭାଗ ନିର୍ମାଣ ହେବାକୁ ଯାଉଛି। ଲୁକା ଛୁପିର ପ୍ରଯୋଜକ ଦିନେଶ ବିଜାନ୍ ଏନେଇ ଶନିବାର ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଦିନେଶ କହିଛନ୍ତି ଯେ, ଏବେ ଲୁକା ଛୁପିର ଦ୍ବିତୀୟ ଭାଗ ପାଇଁ ସଂଳାପ ଲେଖା ଚାଲିଛି। ଏହାର ଦ୍ବିତୀୟ ଭାଗର କାହାଣୀ ଛାଡପତ୍ରକୁ ନେଇ ଗତିଶୀଳ ହେବ। ଏଥିରେ ବିବାହ ପରେ ପତି-ପତ୍ନୀଙ୍କ ମଧ୍ୟରେ କଳହ ସୃଷ୍ଟି ହେବା ଏବଂ ପରେ ପରସ୍ପରକୁ ଛାଡପତ୍ର ଦେବା ପାଇଁ ଯେଉଁ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ ତାହା ଚଳଚ୍ଚିତ୍ରର କାହାଣୀରେ ସ୍ଥାନ ପାଇବ।
ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଲୁକାଛୁପିର ପ୍ରଥମ ଭାଗ ଏକ ରୋମାଣ୍ଟିକ୍ କମେଡ଼ି ଡ୍ରାମା ଭିତ୍ତିକ ଚଳଚ୍ଚିତ୍ର। କାର୍ତ୍ତିକ ଓ କୃତିଙ୍କ ବ୍ୟତୀତ ଏଥିରେ ପଙ୍କଜ ତ୍ରିପାଠୀ, ଅପାରଶକ୍ତି ଖୁରାନା ଓ ବିନୟ ପାଠକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଚଳଚ୍ଚିତ୍ରକୁ ୩୦୦୦ ପରଦାରେ ମୁକ୍ତିଲାଭ କରାଯାଇଥିଲା ଓ ଏହାର ବଜେଟ୍ ପ୍ରାୟ ୨୦ କୋଟି ରହିଥିଲା। ଏହା ଚଳଚ୍ଚିତ୍ରଟିକୁ ଲୋକଙ୍କର ଭଲ ପ୍ରତିକ୍ରିୟା ମିଳିଥିବା ଯୋଗୁଁ ବକ୍ସ ଅଫିସରେ ଉଲ୍ଲେଖନୀୟ ବ୍ୟବସାୟ କରିଥିଲା।
Comments are closed.