ଝଲସିବ ଭୁବନେଶ୍ଵର ରେଳ ଷ୍ଟେସନ; ନିର୍ମାଣ ହେବ ମଲଟି-ମୋଡାଲ ହବ୍
ଭୁବନେଶ୍ଵର: ଭୁବନେଶ୍ଵର ରେଳ ଷ୍ଟେସନର ଚିତ୍ର ବଦଳିବାକୁ ଯାଉଛି। ରେଳ ଷ୍ଟେସନକୁ ଏକ ଅତ୍ୟାଧୁନିକ ରୂପ ଦିଆଯିବା ସହିତ ମଲଟି-ମୋଡାଲ ହବରେ ପରିଣତ କରାଯିବ। ଏଥିପାଇଁ ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇଥିଲେ। ଏହାସହିତ ଦିଲ୍ଲୀରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ରେଳବାଇ ପକ୍ଷରୁ ଖୋର୍ଦ୍ଧାରୋଡ ଭିଜିଲାନ୍ସ ମ୍ୟାନେଜର ଶଶୀକାନ୍ତ ସିଂ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବିଡିଏର ଉପାଧ୍ୟକ୍ଷ ଏହି ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି।
ରେଳ ଷ୍ଟେସନ ଭିତ୍ତିଭୂମିର ବିକାଶ ପାଇଁ ୧୩୦କୋଟି ଟଙ୍କା ଖର୍ଚ୍ଚ ହେବ। ରେଲୱେ ୭୦କୋଟି ଏବଂ ରାଜ୍ୟ ୬୦କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ଜଣାପଡିଛି। ଏଥିରେ ନୂଆ ଟର୍ମିନାଲ ବିଲଡିଂ, ସିଟି ବସ୍ ଟର୍ମିନାଲ, କାର ପାର୍କିଂ ଏବଂ ଯାତ୍ରୀଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ରହିବ। ପ୍ରସ୍ତାବିତ ନୂଆ ଷ୍ଟେସନ୍ ବ୍ୟତୀତ ଦୁଇଟି ନୂଆ ରେଳଲାଇନ୍ ଓ ପ୍ଲାଟଫର୍ମର ବିକାଶ କରାଯିବ।