‘ଏକ ରାଷ୍ଟ୍ର ଏକ ଭାଷା’ ପ୍ରସଙ୍ଗରେ ନରମିଲେ ଶାହା‘ ଆଞ୍ଚଳିକ ଭାଷା ଉପରେ ହିନ୍ଦୀ ଲଦିବାକୁ ଆଦୌ କହି ନାହିଁ
ନୂଆଦିଲ୍ଲୀ: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ‘ଏକ ରାଷ୍ଟ୍ର ଏକ ଭାଷା’ ମନ୍ତବ୍ୟକୁ ନେଇ ବିଭିନ୍ନ ରାଜ୍ୟରେ ତୀବ୍ର ବାଦାନୁବାଦ ପ୍ରକାଶ ପାଇବା ପରେ ବୁଧବାର ଶାହା ନରମ ପଡ଼ିଛନ୍ତି। କୌଣସି ଅଣ-ହିନ୍ଦୀଭାଷୀ ରାଜ୍ୟରେ ହିନ୍ଦୀକୁ ଲଦି ଦିଆଯିବ ନାହିଁ କିମ୍ବା ସେ ସେଭଳି କିଛି କହି ନାହାନ୍ତି। ଆଞ୍ଚଳିକ ଭାଷା ଉପରେ ହିନ୍ଦୀକୁ ଲଦିଦେବାର ଅଭିପ୍ରାୟ ଆଦୌ ସରକାରଙ୍କର ନାହିଁ ବୋଲି ଶାହା ସ୍ପଷ୍ଟ କରିଛନ୍ତି। ‘ଏହି ପୁରାତନ ପ୍ରସଙ୍ଗକୁ ନେଇ ଯଦି କେହି ରାଜନୀତି କରିବାକୁ ଚାହୁଁଛନ୍ତି; ତେବେ ଏହା ସେମାନଙ୍କର ପସନ୍ଦ। ମୁଁ କୌଣସିଠାରେ ହିନ୍ଦୀକୁ ସାରା ଦେଶରେ ବାଧ୍ୟତାମୂଳକ କରାଯିବା ସମ୍ପର୍କରେ କହି ନାହିଁ; କେବଳ ଏତିକି କହିଥିଲି ଯେ ହିନ୍ଦୀକୁ ଯୋଗସୂତ୍ରରକ୍ଷାକାରୀ ଭାଷା ଭାବେ ବ୍ୟବହାର ସହ ଏହାକୁ ନିଜର ମାତୃଭାଷା ପରେ ଦ୍ବିତୀୟ ଭାଷା ଭାବେ ଅଧ୍ୟୟନ କରାଯାଇପାରିବ। ମୁଁ ନିଜେ ଅଣ-ହିନ୍ଦୀଭାଷୀ ରାଜ୍ୟ ଗୁଜରାତରୁ ଆସିଛି, ଏହାକୁ ନେଇ ମୋର ରାଜନୀତି କରିବାର ନାହିଁ, ଯିଏ କରୁଛନ୍ତି କରନ୍ତୁ’ ବୋଲି ଶାହା କହିଛନ୍ତି।
ଶନିବାର ଶାହା କହିଥିଲେ ଯେ ଭାରତ ହେଉଛି ବହୁ ଭାଷାଭାଷୀଙ୍କ ଦେଶ। ପ୍ରତି ଭାଷାର ନିଜସ୍ବ ମହତ୍ତ୍ବ ରହିଛି। ଏହା ସତ୍ତ୍ବେ ସାରା ଦେଶକୁ ଏକତାର ସୂତ୍ରରେ ଯୋଡ଼ିବା ପାଇଁ ଏକ ସାଧାରଣ ଭାଷାର ପ୍ରୟୋଜନ ରହିଛି। ଏହା ବିଶ୍ବେର ଭାରତର ପରିଚୟ ହେବ। ଦେଶକୁ ଏକତାର ସୂତ୍ରରେ ବାନ୍ଧିବା ପାଇଁ ହିନ୍ଦୀ ହିଁ ଗୋଟିଏ ମାତ୍ର ଭାଷା। ଏହା ଦେଶରେ ସର୍ବାଧିକ ବ୍ୟବହୃତ ବୋଲି ସେ କହିଥିଲେ। ଏହାକୁ ନେଇ ରାଜନୀତି ଉଷ୍ମ ହୋଇଥିଲା। ବିଶେଷ ଭାବେ ଦକ୍ଷିଣ ଭାରତୀୟ ରାଜ୍ୟରେ ଶାହାଙ୍କ ଏହି ମନ୍ତବ୍ୟକୁ ତୀବ୍ର ବିରୋଧ କରାଯାଇଥିଲା। ତାମିଲନାଡ଼ୁ, କେରଳ ସହିତ ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକରେ ମଧ୍ୟ ଶାହାଙ୍କ ମନ୍ତବ୍ୟର ସମାଲୋଚନା କରାଯାଇଥିଲା।