ରାଷ୍ଟ୍ରପତିଙ୍କ ବିମାନ ୩ ଘଣ୍ଟା ବିଳମ୍ବ, ଏୟାର ଇଣ୍ଡିଆର ତଦନ୍ତ ନିର୍ଦେଶ
ନୂଆଦିଲ୍ଲୀ: ଯାନ୍ତ୍ରିକ ତ୍ରୁଟି କାରଣରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିମାନ ରବିବାର ଜୁରିଚଠାରେ ତିନି ଘଣ୍ଟା ବିଳମ୍ବ ହୋଇଥିଲା। ଏୟାରଇଣ୍ଡିଆ ୱାନର ବୋଇଂ ୭୪୭ ବିମାନଟି ରାଷ୍ଟ୍ରପତିଙ୍କୁ ନେଇ ଜୁରିଚରୁ ସ୍ଲୋଭେନିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା। ରାଷ୍ଟ୍ରପତି ଉପଯୁକ୍ତ ସମୟରେ ଜୁରିଚ ବିମାନ ବନ୍ଦରରେ ପହଞ୍ଚିଥିଲେ ମଧ୍ୟ ବିମାନଟିରେ ଯାନ୍ତ୍ରିକ ତ୍ରୁଟି କାରଣରୁ ତାଙ୍କୁ ପୁନଃ ହୋଟେଲକୁ ଫେରିବାକୁ ପଡିଥିଲା। ଏୟାର ଇଣ୍ଡିଆ ପକ୍ଷରୁ ରାଷ୍ଟ୍ରପତିଙ୍କ ପାଇଁ ଲଣ୍ଡନଠାରେ ଅନ୍ୟ ଏକ ବିମାନ ବୋଇଂ ୭୭୭ ରଖାଯାଇଥିଲା; କିନ୍ତୁ ଏୟାର ଇଣ୍ଡିଅ ଇଞ୍ଜିନିୟରମାନେ ଜୁରିଚଠାରେ ଯାନ୍ତ୍ରିକ ତ୍ରୁଟି ସୁଧାରିବା ପରେ ରାଷ୍ଟ୍ରପତି ସ୍ଲୋଭେନିଆ ଗସ୍ତ କରିଥିଲେ। ଏୟାର ଇଣ୍ଡିଆ ପକ୍ଷରୁ ଏନେଇ ଏକ ତଦନ୍ତ ନିର୍ଦେଶ ଦିଆଯାଇଛି। ରାଷ୍ଟ୍ରପତି ସେପ୍ଟେମ୍ବର ୯ରୁ ଆଇସଲାଣ୍ଡ, ସ୍ବିଜରଲାଣ୍ଡ ଓ ସ୍ଲୋଭେନିଆ ଗସ୍ତ କରିଛନ୍ତି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଭଳି ଭିଭିଆଇପିମାନଙ୍କ ଗସ୍ତ ନିମନ୍ତେ ଏୟାର ଇଣ୍ଡିଆ ବିମାନ ବ୍ୟବହାର କରାଯାଇଥାଏ।