ପୁରୁଣାବଜାରରେ ପୁଲିସ-ଜନତା ମୁହାଁମୁହିଁ ଘଟଣା ବଦଳିଲେ ଥାନା ଅଧିକାରୀ

0

ଭଦ୍ରକ: ସୋମବାର ରାତି ୯ଟାରେ ଭଦ୍ରକ ସହରର ପୁରୁଣା ବଜାରରେ ପୁଲିସ-ପବ୍ଲିକ ମୁହାିଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାରେ ଏକ ସ୍କୁଟି ପାର୍କିଙ୍ଗକୁ ନେଇ ପୁଲିସ ସହିତ ବଚସାରୁ ହୋ-ହଲ୍ଲା ହୋଇଥିଲା। ଫଳରେ ପୁଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡିଥିଲା। ପରିସ୍ଥିତି କ୍ରମଶଃ ବିଗୁଡୁଥିବା ବେଳେ ଆଇଜି ଦୀପ୍ତେଶ ପଟନାୟକ ପହଞ୍ଚି ପୁରୁଣାବଜାର ଆଇଆଇସିଙ୍କୁ ହେଡକ୍ୱାର୍ଟରକୁ ବଦଳି ଘୋଷଣା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି।
ପ୍ରାପ୍ତ ଖବର ଅନୁଯାୟୀ; ସୋମବାର ରାତିରେ ପୁରୁଣାବଜାର ଆଇଆଇସି ପ୍ରଜ୍ଞା ମହାନ୍ତି ପାଟ୍ରୋଲିଂ କରୁଥିବା ବେଳେ ପୁରୁଣାବଜାର ତିନିିଛକି ନିକଟରେ ଏକ ଲୁଗା ଦୋକାନ ଆଗରେ ଥିବା ସ୍କୁଟିର ଚାବି କାଢି ନେଇଥିଲେ। ଗାଡିଟି ଲୁଗା ଦୋକାନ ମାଲିକଙ୍କର ଥିଲା। ଚାବି କାଢ଼ିବା ବେଳେ ଆଇଆଇସି କୁଆଡେ ଲୁଗା ଦୋକାନ ସାମ୍ନାରେ ଥିବା ପୋଷାକକୁ କାଢି ପକାଇଥିଲେ। ଏହାକୁ ନେଇ ଆଇଆଇସିଙ୍କ ସହିତ ଲୁଗା ଦୋକାନୀ ଓ ଅନ୍ୟମାନଙ୍କର ବଚସା ହୋଇଥିଲା। ବଚସା କ୍ରମରେ ଅଧିକରୁ ଅଧିକ ଲୋକ ରୁଣ୍ଡ ହୋଇଯିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଲୋକେ ପୁଲିସ ଗାଡିକୁ ଢେଲା ମାରିଥିଲେ। ଏଥିରେ ଗାଡିର କାଚ ଭାଙ୍ଗିଥିବା କୁହାଯାଇଛି। ଏପଟେ ଲୋକଙ୍କୁ ଘଉଡାଇବା ଲାଗି ପୁଲିସ ମଧ୍ୟ ମୃଦୁ ଲାଠି ଚାଳନା କରିଥିଲା। ତେବେ ସୋମବାର ବୁଢ଼ା ଗଣେଶ ପୂଜା କମିଟି ପକ୍ଷରୁ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ଯୋଗଦେବାକୁ ଆଇଜି ଦୀପ୍ତେଶ ପଟନାୟକ ଭଦ୍ରକ ଗସ୍ତରେ ଆସିଥିଲେ। ଖବରପାଇବା କ୍ଷଣି ଆଇଜି ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ। ପୁରୁଣାବଜାର ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କୁ ହେଡକ୍ୱାର୍ଟରକୁ ବଦଳି ଲାଗି ଆଇଜି ଘୋଷଣା କରିବା ସହ ଆଗକୁ ଏହାର ପୂର୍ଣ୍ଣାଙ୍ଗ ତଦନ୍ତ ହେବ ବୋଲି କହିଥିଲେ। ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ; ଗତ କିଛିମାସ ହେବ ଆଇଆଇସି ଶ୍ରୀମତୀ ମହାନ୍ତି ପୁରୁଣାବଜାର ଅଞ୍ଚଳରେ ପୁଲିସ-ପବ୍ଲିକ ସମନ୍ୱୟ ଲାଗି ଅନେକଗୁଡିଏ କାର୍ଯ୍ୟକ୍ରମ ଆୟୋଜନ କରି ବେଶ ଲୋକାଦୃତି ପାଇଥିଲେ। ତେବେ ଆଜିର ଅଘଟଣକୁ ନେଇ ସହରରେ ମିଶ୍ର ପ୍ରତିକ୍ରିୟା ଅନୁଭୂତ ହୋଇଛି।

kalyan agarbati
Leave A Reply