ବଡ଼ସାହିରେ ହିନ୍ଦୀ ଦିବସ ସମାରୋହରେ ୫ଜଣ ସମ୍ବର୍ଦ୍ଧିତ
ବଡ଼ସାହି: ବଡସାହି ବିବେକାନନ୍ଦ ବିହାର ସ୍ଥିତ ବାଣୀପୀଠ ଦ୍ୱାରା ରାଷ୍ଟ୍ରଭାଷା ସାହିତ୍ୟ ସଂସ୍କୃତି ଏକାଡେମୀ, ନେହେରୁ ଯୁବକେନ୍ଦ୍ର-ମୟୂରଭଞ୍ଜ, ରାଷ୍ଟ୍ରଭାଷା ପ୍ରଚାର କେନ୍ଦ୍ର-କେନ୍ଦୁଡିହା ଓ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ମିଳିତ ଅନୁକୂଲ୍ୟରେ ‘ହିନ୍ଦୀ ଦିବସ ସମାରୋହ’ ଅନୁଷ୍ଠିତ ହୋଇଛି। କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଏଡିସନାଲ ଡାଇରେକ୍ଟର ଜେନେରାଲ ଅଫ ପୁଲିସ୍ ଗୋପବନ୍ଧୁ ମଲ୍ଲିକ ଯୋଗଦେଇ ରାଷ୍ଟ୍ରର ଏକତା ପାଇଁ ରାଷ୍ଟ୍ରଭାଷା ଏକାନ୍ତ ଆବଶ୍ୟକ ଓ ଏହି ରାଷ୍ଟ୍ରଭାଷା ପାଇଁ ଦେବନାଗରୀ ଲିପିର ଆବଶ୍ୟକତା ରହିଛି ବୋଲି କହିଛନ୍ତି। କାର୍ୟ୍ୟକ୍ରମରେ ହିନ୍ଦୀ ଶିକ୍ଷକ ଡା.ସୁରେନ୍ଦ୍ର ନାଥ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟବକ୍ତା ଭାବେ ନୟାଗଡ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପିକା ଡକ୍ଟର ରାଜଲକ୍ଷ୍ମୀ ପଣ୍ଡା ଓ ସମ୍ମାନୀତ ବକ୍ତା ଭାବେ ପ୍ରଫେସର ଜୟକୃଷ୍ଣ ମହାନ୍ତ, ପ୍ରଫେସର ଯନ୍ତ୍ରଣା ପରୀକ୍ଷିତ, ନେହେରୁ ଯୁବକେନ୍ଦ୍ରର ବିତ୍ତାଧିକାରୀ ଅଶୋକ କୁମାର ସାହୁ ଓ ଉତ୍କଳ ଶିକ୍ଷା ପରିଷଦର ସମ୍ପାଦକ ଯୋଗେନ୍ଦ୍ର ଦାଶ ପ୍ରମୁଖ ଯୋଗଦାନ କରିଥିଲେ। ରାଷ୍ଟ୍ରଭାଷା କିମ୍ବା ମାତୃଭାଷାରେ ଆମର ପ୍ରତିଦିନର କାର୍ୟ୍ୟ କରାଗଲେ ତା’ର ପ୍ରଚାର ପ୍ରସାର ସହିତ ରାଷ୍ଟ୍ରୀୟ ଭାବନାକୁ ସୁଦୃଢ କରିବ ବୋଲି ସମସ୍ତେ ପରାମର୍ଶ ଦେଇଥିଲେ। ବଂଙ୍କିମ୍ ଚନ୍ଦ୍ର ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ କବୟିତ୍ରୀ ସ୍ନିଗ୍ଧା ଲେଙ୍କା ହିନ୍ଦୀ କବତା ସଂଯୋଜନା କରିଥିଲେ। ୩୦ଜଣ କବି ହିନ୍ଦୀ କବିତା ପାଠ କରିଥିଲେ। ଏହି ଅବସରରେ ହିନ୍ଦୀ ମାସିକ ପତ୍ରିକା ‘ରାଷ୍ଟ୍ର ଜ୍ୟୋତି’ ଓ ସେପ୍ଟେମ୍ବର ସଂଖ୍ୟା ‘ଆମ ସୁନାଚାନ୍ଦ’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ରାଷ୍ଟ୍ରଭାଷା ସାହିତ୍ୟ ସଂସ୍କୃତିର ପ୍ରଚାର ପ୍ରସାରରେ ବିଶେଷ ଅବଦାନ ପାଇଁ ଆର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ ହିନ୍ଦୀ ଶିକ୍ଷକ ଡକ୍ଟର ଶଶିଧର ବିଶ୍ୱାଳ, ପ୍ରାକ୍ତନ ହିନ୍ଦୀ ଶିକ୍ଷକ ରବୀନ୍ଦ୍ର ନାଥ ମହାନ୍ତ, ବିଜୟ କୁମାର ଗୋଚ୍ଛାୟତ, ବାସୁଦେବ ନାପିତ ଏବଂ ବରିଷ୍ଠ ହିନ୍ଦୀ ଶିକ୍ଷକ ଡ. ରମାକାନ୍ତ ମହାନ୍ତଙ୍କୁ ‘ରାଷ୍ଟ୍ର ଜ୍ୟୋତି ସମ୍ମାନ -୨୦୧୯’ରେ ସମ୍ମାନୀତ କରାଯାଇଥିଲା।