ମୁଜାଫରାବାଦରେ କାଶ୍ମୀରବାସୀଙ୍କୁ ଇମ୍ରାନଙ୍କ ଆହ୍ବାନ; ଭାରତ ବିରୋଧରେ ଅସ୍ତ୍ର ଧର

0

ମୁଜାଫରାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାଶ୍ମୀରବାସୀଙ୍କୁ ଭାରତ ବିରୋଧରେ ଅସ୍ତ୍ର ଉତ୍ତୋଳନ କରିବା ପାଇଁ ଆହ୍ବାନ ଦେଇଛନ୍ତି। ପାକ୍‌ ଅଧିକୃତ କାଶ୍ମୀରର ମୁଜାଫରାବାଦଠାରେ ଶୁକ୍ରବାର ଆୟୋଜିତ ‘ଏକତା ସମାବେଶ’କୁ ଉଦ୍‌ବୋଧନ ଦେଇ ଇମ୍ରାନ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏଭଳି ହେଲେ ବିଶ୍ବ ପାଇଁ ସେ କାଶ୍ମୀରବାସୀଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ। ଏଥିସହିତ ସେ ଭାରତକୁ ଚେତାବନୀ ଶୁଣାଇଛନ୍ତି ଯେ ଜାମ୍ମୁ-କାଶ୍ମୀରରେ ଭାରତୀୟ ସେନା ଦ୍ବାରା ମାନବାଧିକାର ଉଲ୍ଲଙ୍ଘନର ପ୍ରତିଫଳ ଏହି ଦେଶ ପାଇଁ ଭୟଙ୍କର ହେବ। ସେ କହିଛନ୍ତି, ‘ଆମେ ଜାତିସଙ୍ଘ ସାଧାରଣ ପରିଷଦରେ କାଶ୍ମୀରବାସୀଙ୍କୁ ଆଦୌ ହତୋତ୍ସାହିତ ହେବାକୁ ଦେବୁ ନାହିଁ। କାଶ୍ମୀର ପ୍ରସଙ୍ଗ ହେଉଛି ବଡ଼ ଧରଣର ମାନବୀୟ ସଂକଟ। ୟୁରୋପୀୟ ସଙ୍ଘ କିମ୍ବା ବ୍ରିଟିଶ ପାର୍ଲାମେଣ୍ଟରେ ମଧ୍ୟ ଏହି ସଂକଟର ଆଲୋଚନା ହୋଇପାରିବ। ଭାରତର ନରେନ୍ଦ୍ର ମୋଦୀ ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ରାଜ୍ୟବାସୀଙ୍କ ଅଧିକାର ଛଡ଼ାଇ ନେଇଛନ୍ତି। ଭାରତୀୟ ସୁରକ୍ଷାକର୍ମୀ କାଶ୍ମୀରବାସୀଙ୍କୁ ଯେତେ ନିର୍ଯାତନା ଦେଉ ପଛକେ ଏଥିରୁ ଆଦୌ ସୁଫଳ ପାଇବ ନାହିଁ। କାଶ୍ମୀରରେ ଆରଏସ୍‌ଏସ୍‌ ଯୋଜନାକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଲୋକଙ୍କ ମଧ୍ୟରେ ଉଗ୍ରବାଦକୁ ପ୍ରୋତ୍ସାହିତ କରୁଛନ୍ତି। କାଶ୍ମୀର ଉପତ୍ୟକା ସମେତ ସମଗ୍ର ଭାରତରେ କେବଳ ହିନ୍ଦୁ ରହନ୍ତୁ ବୋଲି ମୋଦୀ ଚାହୁଁଛନ୍ତି। ମୋଦୀ କେବଳ ପାକିସ୍ତାନ ନୁହେଁ; କାଶ୍ମୀରବାସୀଙ୍କ ଧୈର୍ଯ୍ୟ ପରୀକ୍ଷା କରୁଛନ୍ତି।
କାଶ୍ମୀରକୁ ଏକ ଆନ୍ତର୍ଜାତିକ ପ୍ରସଙ୍ଗ କରିବା ପାଇଁ ପାକିସ୍ତାନ ଚଳାଇଥିବା ପ୍ରୟାସର ଏକ ଅଂଶ ସ୍ବରୂପ ଆୟୋଜିତ ଏକତା ସମାବେଶରେ ଇମ୍ରାନ କହିଛନ୍ତି ଯେ ପାକିସ୍ତାନ ସର୍ବଦା ଶାନ୍ତି ଚାହେଁ। କାଶ୍ମୀରବାସୀଙ୍କ ପ୍ରତି ଭାରତୀୟ ସେନାର ନିର୍ଯାତନା ଅସହ୍ୟ ହେଲାଣି। ସେଠାରେ ୨୦ବର୍ଷର ଯୁବକ ମଧ୍ୟ ପ୍ରଶାସନ ବିରୋଧରେ ଅସ୍ତ୍ର ଧରିଲାଣି ଓ ଜୀବନ ଦେବାକୁ ପ୍ରସ୍ତୁତ ହେଲାଣି। ପୁଲୱାମା ଆକ୍ରମଣ ଏହାର ପ୍ରମାଣ। ଏଥିପାଇଁ ଭାରତ ଆମକୁ ଦାୟୀ କରି ବାଲାକୋଟ ଉପରେ ବିମାନ ଆକ୍ରମଣ କରିଥିଲା। ଆମେ ଭାରତୀୟ ପାଇଲଟ ଅଭିନନ୍ଦନ ବର୍ତ୍ତମାନଙ୍କୁ ଧରିଥିଲୁ; କିନ୍ତୁ ଆମେ ଯୁଦ୍ଧ ଚାହୁଁ ନ ଥିବାରୁ ତାଙ୍କୁ ମୁକ୍ତ କରିଥିଲୁ। ମୋଦୀ କହିଥିଲେ ଯେ ପାକିସ୍ତାନ ଆନ୍ତର୍ଜାତିକ ଚାପରେ ଡରିଗଲା; କିନ୍ତୁ ସେ ଜାଣନ୍ତି ନାହିଁ ଯେ ପାକିସ୍ତାନବାସୀ କେବେ ମୃତ୍ୟୁକୁ ଭୟ କରନ୍ତି ନାହିଁ। ଏହି ସମାବେଶରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀଙ୍କ ସମେତ ବହୁ ନେତା ଉଦ୍‌ବୋଧନ ଦେଲାବେଳେ କାଶ୍ମୀର ପାଇଁ ଯୁଦ୍ଧଂଦେହି ଡାକରା ଦେଇଥିଲେ। କାଶ୍ମୀରବାସୀଙ୍କ ସହିତ ପାକିସ୍ତାନ ସବୁବେଳେ ଛିଡ଼ା ହୋଇଥିବା ସେମାନେ କହିଥିଲେ।

Leave A Reply