ଲଗାଣ ବର୍ଷାର ପ୍ରଭାବ, ହାତୀ ନଦୀରେ ପୁଣି ବନ୍ୟା

0

କଲମପୁର: ଗତ ୨ତାରିଖ ଠାରୁ ଲାଗି ରହିଥିବା ଲଗାଣ ବର୍ଷା କାରଣରୁ ଏବେ ହାତୀ ନଦୀରେ ପୁଣି ବନ୍ୟାର ପ୍ରଭାବ ଦେଖା ଦେଇଛି। ହାତୀ ନଦୀ କୂଳରେ ଥିବା କଲମପୁର ବ୍ଲକର ମାଟିଖାଲ, ବିରିପୁର ରାସ୍ତା ମଝିରେ ପ୍ରାୟ ୪ଫୁଟ ପାଣି ପ୍ରବାହିତ କରୁଛି। ଯାହା ଫଳରେ ଅନେକ ଲୋକଙ୍କ ଘରେ ପାଣି ପଶି ଯାଇଛି। ଏହି ଲାଗାଣ ବର୍ଷା ଯୋଗୁଁ ଉଭୟ ଗଣେଶ ପୂଜା ଓ ନୁଆଁଖାଇ ଫିକା ପଡିଯାଇଛି।
ଗତ ସୋମବାର ଅପରାହ୍ନରୁ ବର୍ଷାର ପ୍ରଭାବ ଲାଗି ରହିଥିବାରୁ ଗେଣେଶ ପୂଜା ଓ ମଙ୍ଗଳବାର ଦିନ ଅନୁଷ୍ଠିତ ପଶ୍ଚିମି ଓଡ଼ିିଶାର ଗଣ ପର୍ବ ନୁଆଁଖାଇ ଉତ୍ସବ ଫିକା ପଡିଯାଇଛି। ଲୋକେ ନୁଆଁ ଖାଇ ସାରିବା ପରେ ଗୁରୁଜନଙ୍କୁ ଜୁହାର ଭେଟ ହେବାରେ ଲଗାଣ ବର୍ଷ ପ୍ରତିବନ୍ଧକ ସାଜିଛି। ପୂର୍ବରୁ ଝିପି ଝିପି ବର୍ଷା ସହିତ ବୁଧବାର ସକାଳ ୮ଟା ଠାରୁ ଗୁରୁବାର ସକାଳ ୮ଟା ଏହି ୨୪ ଘଣ୍ଟା ମଧ୍ୟରେ କଲମପୁରରେ ମାତ୍ର ୧୬ ମିଲିମିଟର ଓ ଥୁଆମୁଳ ରାମପୁରରେ ମଧ୍ୟ ଅନୁରୂପଭାବେ ମାତ୍ର ୧୬ ମିଟର ବର୍ଷା ହେଇଥିବା ରେକର୍ଡ କରାଯାଇଛି। କିନ୍ତୁ ଗୁରୁବାର ସକାଳ ୮ରୁ ସଂନ୍ଧ୍ୟା ୫ଟା ମଧ୍ୟରେ କଲମପୁର ଠାରେ ୪୨ ଓ ଥୁଆମୁଳ ରାମପୁର ଠାରେ ୯୨ ମିଲିମିଟର ବର୍ଷା ହେଇଥିବା ସୂଚନା ମିଳିଛି। କିନ୍ତୁ ଏହି ଅଞ୍ଚଳରେ ଅଳ୍ପ ପରିମାଣର ବର୍ଷା ହେଇଥିଲେ ମଧ୍ୟ ହାତୀ ନଦୀର ଉଦ୍‍ଗମ ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳରେ ବର୍ଷା ପରିମାଣ ଅଧିକ ରହିଥିବା ବେଳେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‍ ପ୍ରକଳ୍ପ ତରଫରୁ ୪ ଗୋଟି ୟୁନିଟ ମାଧ୍ୟମରେ ବିଦ୍ୟୁତ୍‍ ଉତ୍ପାଦିତ କରାଯାଉଥିବାରୁ ବଳକା ପାଣି ମଙ୍ଗଳପୁର ହାତୀ ବ୍ୟାରେଜ ଦେଇ ଅପରାହ୍ନ ୨ଟା ସୁଦ୍ଧା ହାତୀ ନଦୀରେ ୪ ଗୋଟି ଗେଟ ମାଧ୍ୟମରେ ପ୍ରାୟ ୩୨୦.୬୫ କ୍ୟୁମେକ୍ସ ପାଣି ନିଷ୍କାସିତ କରାଯାଇଥିବା ବିଭାଗ ତରଫରୁ ସୂଚନା ମିଳିଛି। ଗୋଟିଏପଟେ ବର୍ଷା ପାଣି ଓ ଅନ୍ୟପଟେ ଇନ୍ଦ୍ରାବତୀ ପାଣିର ପ୍ରଭାବ କାରଣରୁ ହାତୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।
ଏହି ବନ୍ୟା ପ୍ରଭାବରେ ବିରିପୁର ଓ ମାଟିଖାଲ ଗାଁ ଭିତରକୁ ପାଣି ପଶି ସାରିଥିଲେ ମଧ୍ୟ ବ୍ଲକ ପ୍ରଶାସନ ତରଫରୁ କେହି ଅଧିକାରୀ ଅପରାହ୍ନ ୫.୩୦ ପର୍ଯ୍ୟନ୍ତ ଘଟଣାସ୍ଥଳକୁ ପହଞ୍ଚିନଥିଲେ। ଏହାସହ ବନ୍ୟା ପରିସ୍ଥିତିରୁ ମୁକ୍ତି ପାଇଁ ବ୍ଲକ ଅଥବା ଜିଲା ପ୍ରଶାସନ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‍ ପ୍ରକଳ୍ପ ମୁଖ୍ୟଙ୍କ ସହ ଯୋଗାଯୋଗ କରାଯାଇଥିଲା। ଫଳରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଇନ୍ଦ୍ରାବତୀ ଜଳ ବିଦ୍ୟୁତର ୪ ଗୋଟି ୟୁନିଟ ମାଧ୍ୟମରେ ୬୦୦ ମେଗାୱାଟ ବିଦ୍ୟୁତ୍‍ ଉତ୍ପାଦନ ଜାରି ରହିଛି। ଯାହା ଫଳରେ ୨୦୦ କ୍ୟୁମେକ୍ସ ଜଳ ମଙ୍ଗଳପୁର ବ୍ୟାରେଜକୁ ପଶୁଛି। ଅନ୍ୟପଟେ ବର୍ଷା ପାଣି ପ୍ରଭାବରୁ ମଙ୍ଗଳପୁର ବ୍ୟାରେଜର ସ୍ଥିତି ଏବେ ୨୬୧.୧କ୍ୟୁମେକ୍ସରେ ପହଞ୍ଚିଛିି। ବି.ଡି.ଓ ହେମସାଗର ଭୋଇ କୌଣସି ଏକ ତାଲିମ ପାଇଁ ଭୁବନେଶ୍ୱର ଯାଇଥିବା ବେଳେ ନିକଟରେ କଲମପୁର ତହସିଲଦାରଙ୍କୁ ବଦଳି ହୋଇଥିବାରୁ ଭାରପ୍ରାପ୍ତ ତହସିଲଦାର ସବୀର ସାହା ଦାଇତ୍ୱରେ ରହିଛନ୍ତି। ଶ୍ରୀ ସାହା ମଧ୍ୟ ଗତ କିଛି ଦିନ ତଳେ କଲମପୁର ଠାରେ କାର୍ଯ୍ୟରେ ଯୋଗ ଦେଇଥିବାରୁ ହାତୀ ନଦୀର ବନ୍ୟା ପରିସ୍ଥିତିରେ କିଭଳି ମୁକାବିଲା କରାଯାଇ ପାରିବ ସେ ନେଇ ଅନଭିଜ୍ଞ।
ଶେଷ ଖବର ସୁଦ୍ଧା ଉଭୟ ବିରିପୁର ଓ ମାଟିଖାଲ ଗ୍ରାମର ପ୍ରାୟ ୧୨ଜଣ ଲୋକଙ୍କୁ ବ୍ଲକ ପ୍ରଶାସନ ମାଧ୍ୟମରେ ଉଦ୍ଧାର କରାଯାଇ ଅସ୍ଥାୟୀ ରିଲିଫ କେନ୍ଦ୍ର କଲମପୁର ସ୍ଥିତ କେନ୍ଦ୍ର ପ୍ରଥାମିକ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ଏହି ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ଭାରପ୍ରାପ୍ତ ତହସିଲଦାର ଶ୍ରୀ ସାହା ସୂଚନା ଦେଇଛନ୍ତି। ଅନ୍ୟପଟେ ବିଦ୍ୟୁତ୍‍ ଉତ୍ପାଦନ ଜାରି ରହିଥିବା ବେଳେ ବର୍ଷା କିଛି ମାତ୍ରାରେ କମିଥିବାରୁ ମଙ୍ଗଳପୁର ବ୍ୟାରେଜରୁ ୨୭୮.୪ କ୍ୟୁମେକ୍ସ ଜଳ ହାତୀ ନଦୀରେ ନିଷ୍କାସିତ କରାଯାଉଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

kalyan agarbati
Leave A Reply