୯୬ ବର୍ଷୀୟା ୪ର୍ଥ ଶ୍ରେଣୀ ଛାତ୍ରୀ
ଆଗ୍ରହ, ନିଷ୍ଠା ଓ ଅଧ୍ୟବସାୟ ସମ୍ମୁଖରେ ବୟସ ମଧ୍ୟ ହାର ମାନିଥାଏ, ଏହି କଥାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ୯୬ ବର୍ଷୀୟା କର୍ଥୟାୟନୀ ଅମ୍ମା। କେରଳର ଅଲ୍ଲପୁଡ଼ାନିବାସୀ ଏଇ ମହିଳା ଚର୍ଚ୍ଚା ପରିସରକୁ ଆସିବାର କାରଣ ହେଉଛି ଏ ବୟସରେ ପାଠ ପଢ଼ିବାର ଝୁଙ୍କ୍। ସ୍ଥାନୀୟ ଅଞ୍ଚଳରେ ସରକାରଙ୍କ ସାକ୍ଷରତା ଟିମ୍ ବୟସ୍କ ବର୍ଗର ଲୋକଙ୍କ ଅଭିଯାନ ସମ୍ପର୍କରେ ବିଭିନ୍ନ ପଦକ୍ଷେପ ନେଉଥିଲା। ଗ୍ରାମର ଅନ୍ୟ ବୟସ୍କ ଲୋକେ ଏହି ଅଭିଯାନରୁ ଦୂରେଇବା ସହ ନିଜ ନାମକୁ ଗୋପନ ରଖିବାବେଳେ ଆମ୍ମା କିନ୍ତୁ ସର୍ବସମ୍ମୁଖକୁ ଆସି ପାଠ ପଢ଼ିବାରେ ଆଗ୍ରହ ପ୍ରକାଶ କରିଥିଲେ। ଏବେ ଗଣିତ ଶିକ୍ଷା ଗ୍ରହଣ କରୁଥିବା ଏଇ ବୟସ୍କ ମହିଳା ଖୁବ୍ ଶୀଘ୍ର ଇଂରାଜୀ ଓ ମାଲାୟଲମ୍ ଅକ୍ଷର ଶିଖିବେ ବୋଲି ପ୍ରକାଶ। ପୁରୁଣା ଦିନର ସ୍ମୃତିକୁ ସାଉଁଟିବା ସମୟରେ ଆମ୍ମା କହିଛନ୍ତି, ୧୨ ବର୍ଷ ବୟସ ଥିବା ସମୟରେ ତାଙ୍କ ପାଠପଢ଼ା ବନ୍ଦ କରାଯାଇଥିଲା। ଆମ୍ମାଙ୍କ ପିତା ଜଣେ ଶିକ୍ଷକ ଥିଲେ। ହେଲେ ପରିବାରର ଲୋକେ ଝିଅଙ୍କ ପାଠପଢ଼ାର ଆବଶ୍ୟକତାକୁ ସେତେବେଳେ ହୃଦୟଙ୍ଗମ କରିପାରିନଥିଲେ। ଏଣୁ ଏ ବୟସରେ ଯେତେବେଳେ ସେଭଳି ସୁଯୋଗ ମିଳିଛି, ସେସବୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ଆମ୍ମା। ପାଠପଢ଼ାର ଏଇ ପ୍ରେରଣା ନିଜ ଝିଅଠାରୁ ହିଁ େସ ପାଇଥିବାର କହିଛନ୍ତି। ବୟସ୍କା ମହିଳାଙ୍କର ଏଇ ଆଗ୍ରହକୁ ଦେଖି ଗ୍ରାମର ଅନ୍ୟ ୧୨ଜଣ ଲୋକ ମଧ୍ୟ ସାକ୍ଷରତା ଅଭିଯାନରେ ସାମିଲ ହୋଇଛନ୍ତି।