ଓଡ଼ିଶାରେ ଲଜ୍ଜା: ୨୪ ଘଣ୍ଟାରେ ୬ ନାବାଳିକା ବଳାତ୍କାର
କଟକ: ଓଡ଼ିଶା ପାଇଁ ପୁଣି ଥରେ ସୃଷ୍ଟି ହୋଇଛି ଲଜ୍ଜାଜନକ ସ୍ଥିତି। ରାଜ୍ୟରେ ପୁଣି ବଳାତ୍କାର ବ୍ୟାଧି ଦେଖାଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ ଜଣ ନାବାଳିକା ବଳାତ୍କାରର ଶିକାର ହୋଇଛନ୍ତି। ବାଲେଶ୍ୱର ଜିଲାରୁ ଦୁଇଟି ବଳାତ୍କାର ଅଭିଯୋଗ ଆସିଥିବା ବେଳେ କଟକରୁ ଦୁଇଟି ଏବଂ ଗଞ୍ଜାମ ଓ ନବରଙ୍ଗପୁରରୁ ଗୋଟିଏ ଲେଖାଏଁ ଅଭିଯୋଗ ଆସିଛି।
ନବରଙ୍ଗପୁର ଜିଲା ସାନମାରି ଗ୍ରାମରେ ଜନୈକା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ଜଣ ଯୁବକ ଅପହରଣ ପରେ ବଳାତ୍କାର କରିଥିବା ଅଭିଯୋଗ ଆସିଛି। ବୁଧବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଗୁରୁବାର ସକାଳେ ‘ମା’ ଘର’ ସଂଗଠନ ସହାୟତାରେ ନବରଙ୍ଗପୁର ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ବୁଧବାର ରାତିରେ ଅଭିଯୁକ୍ତ ଦୁଇ ଜଣ ତାଙ୍କୁ ବଳପୂର୍ବକ ଏକ ନିଛାଟିଆ ସ୍ଥାନକୁ ନେବା ପରେ ଗଣବଳାତ୍କାର କରିଥିଲେ। ଗୁରୁବାର ସକାଳୁ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଆଣି ଗ୍ରାମ ପାଖରେ ଛାଡ଼ି ଦେଇ ଯାଇଥିଲେ। ଘଟଣା ସମ୍ପର୍କରେ ପ୍ରଘଟ କଲେ ପରିସ୍ଥିତି ଭୟାବହ ହେବ ବୋଲି ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଧମକ ଦେଇଥିଲେ। ଘଟଣା ସମ୍ପର୍କରେ କାହାକୁ ନ କହିଲେ ବିବାହ କରିବେ ବୋଲି ବଳାତ୍କାରୀଙ୍କ ମଧ୍ୟରୁ ଜଣେ ସମ୍ପୃକ୍ତ ନାବାଳିକାଙ୍କୁ ପ୍ରତିଶ୍ରୁତି ଦେଇଥିବା ପୀଡ଼ିତା କହିଛନ୍ତି। ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ଦୁଇ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ନବରଙ୍ଗପୁର ଥାନାଧିକାରୀ ତରାକ୍ ମହମ୍ମଦ କହିଛନ୍ତି। ବଳାତ୍କାର ଘଟଣା ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ବେଳେ ଏ ସମ୍ପର୍କରେ ବ୍ୟାପକ ଜନସଚେତନତା ଆବଶ୍ୟକ ରହିଛି ବୋଲି କହିଛନ୍ତି ‘ମା ଘର’ ସଭାପତି କାଦମ୍ବିନି ତ୍ରିପାଠୀ।
ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ରିଆଗ୍ରାମରେ ଜନୈକା ୧୫ ବର୍ଷୀୟା ଝିଅକୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି। ୪୦ ବର୍ଷର ଅଭିଯୁକ୍ତ ସହିତ ପୀଡ଼ିତାଙ୍କ ପ୍ରେମ ସମ୍ପର୍କ ଥିବା ବେଳେ ଶାରୀରିକ ସମ୍ପର୍କ ରଖିବା ପାଇଁ ଅଭିଯୁକ୍ତ ବାରମ୍ବାର କହୁଥିଲା। ଏଥିରେ ନାବାଳିକା ରାଜି ନ ହେବାରୁ ଯୁବକ ଜଣକ ବଳାତ୍କାର କରିଥିବା ଜଣାପଡ଼ିଛି। ସେହିପରି ଦଗାରା ଗ୍ରାମରେ ଜଣେ ୧୦ବର୍ଷର ମାନସିକ ଅନଗ୍ରସର ଶିଶୁକନ୍ୟାକୁ ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତି ବଳାତ୍କାର କରିଛନ୍ତି। ଅଭିଯୁକ୍ତ ମନ୍ମଥ ଜେନା ଫେରାର ଅଛି।
କଟକ ଜିଲା ମଧୁପାଟଣାଠାରେ ଜଣେ ୧୧ ବର୍ଷର ଶିଶୁ କନ୍ୟାକୁ ୬୦ ବର୍ଷର ବ୍ୟକ୍ତି ବଳାତ୍କାର କରିଥିଲା। ପୀଡ଼ିତା ଏବେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତ ଜଗନ୍ନାଥ ମହାପାତ୍ରକୁ ପୁଲିସ ଗିରଫ କରିଛି। କଟକ ଜିଲା ସାଲେପୁର ଜିଲାରେ ଜଣେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ବଳାତ୍କାର କରିଛନ୍ତି। ଏଥିପୂର୍ବରୁ ସେଠାରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରାଯାଇଥିଲା। ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତକୁ ପୁଲିସ ଗିରଫ କରି ଚାର୍ଜସିଟ୍ ଦାଖଲ କରିଛି। ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ଅଧୀନ ଭଞ୍ଜନଗର ଅଞ୍ଚଳରେ ଜନୈକା ୧୫ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ବଳାତ୍କାର କରିଥିବା ଅଭିଯୋଗ ଆସିଛି।