www.samajalive.in
Sunday, December 7, 2025
18.1 C
Bhubaneswar

କାଶୀପୁରରେ କଲେଜ ପ୍ରତିଷ୍ଠା ନିଷ୍ପତ୍ତି ଖୁବ୍ ଶୀଘ୍ର, ବିଜୁ ଏକ୍ସପ୍ରେସ୍‌ ୱେ ରାୟଗଡା ପ୍ରକଳ୍ପରେ ଖର୍ଚ୍ଚ ହେବ ୧୫୦୦ କୋଟି

ଭୁବନେଶ୍ୱର : ରାୟଗଡା ଜିଲା ଗସ୍ତର ଦ୍ୱୀତିୟ ଦିନରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଆଜି କାଶିପୁର, ପଦ୍ମପୁର, ବିଷମକଟକ ଓ ଗୁଣୁପୁର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରିବା ସହିତ ବିଭିନ୍ନ ଧାର୍ମିକ ପୀଠ ପରିଦର୍ଶନ କରିଥିଲେ ଏବଂ ସ୍ଥାନୀୟ ଲୋକଙ୍କ ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। କାଶିପୁର ଠାରେ ଶ୍ରୀ ପାଣ୍ଡିଆନ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ତାକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ସେଠାରେ ଅବସ୍ଥାପିତ ଡାକ୍ତରମାନଙ୍କ ସହିତ ଆଲୋଚନା କରିବା ସହିତ ସେ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ସେମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ପରେ କାଶିପୁର ବ୍ଲକର ଖୁରିଗାଁ ସ୍ଥିତ ଆଦିଶକ୍ତି ମିଶନଶକ୍ତି ମା ମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ଦ୍ୱାରା ପରିଚାଳିତ ଛତୁ ବିହନ କେନ୍ଦ୍ର ବୁଲି ଦେଖିଥିଲେ। ସେମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କୁ ଉଚ୍ଚ ମୂଲ୍ୟର ବଡ ବଡ ଉଦ୍ୟୋଗ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଏଥିପାଇଁ ସବୁ ପ୍ରକାର ସହାୟତା ସରକାର ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ।
କାଶିପୁର ଅଞ୍ଚଳରେ ଉଚ୍ଚ ଶିକ୍ଷାର ପ୍ରସାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଗୁରୁତ୍ୱ ଦେଉଛନ୍ତି ଏବଂ ସେଠାରେ ଏକ କଲେଜ ଖୋଲିବାରେ ରାଜ୍ୟ ସରକାର ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେବେ ବେଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶାକୁ ସଂଯୁକ୍ତ କରୁଥିବା ଗୁରୁତ୍ୱପୂର୍ଣ୍ଣ ବିଜୁ ଏକ୍ସପ୍ରେସ ୱେ କୁ ଆର୍ଥିକ ବିକାଶର ଏକ ମାଧ୍ୟମ ଭାବରେ ବର୍ଣ୍ଣନା କରି ଶ୍ରୀ ପାଣ୍ଡିଆନ କହିଥିଲେ ଦକ୍ଷିଣ ଓଡିଶାରେ ଏହି ଗୁରୁତ୍ୱପୂର୍ଣ୍ଣ ରାଜପଥର ୩୩୫ କିଲୋମଟିର ମଧ୍ୟରୁ ୧୨୦ କିଲୋମିଟର କେବଳ ରାୟଗଡା ଜିଲ୍ଲା ଦେଇ ଯାଉଛି । ରାୟଗଡା ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟ ଆଗେଇନେବା ପାଇଁ ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଶ୍ରୀ ପାଣ୍ଡିଆନ ପ୍ରକାଶ କରିଥିଲେ।

ସେଠାରୁ ସେ ବିଷମକକଟକ ଯାଇ ମିଶନଶକ୍ତି ବ୍ଲକ ଲେବଲ୍‌ ଫେଡେରେସନ୍ ଦ୍ୱାରା ପରିଚାଳିତ ମିଶନ ଶକ୍ତି କାଫେ ବୁଲି ଦେଖିଥିଲେ ଏବଂ ମା ମାନଙ୍କ ସହିତ ଆଲୋଚନା ସମୟରେ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ। ବିଷମକଟକର ଖଜୁରି ଗାଁରେ ଥିବା ନିର୍ମାଣାଧୀନ ପରିବେଶ ପର୍ଯ୍ୟଟନ ପ୍ରକଳ୍ପ ବୁଲି ଦେଖିଥିଲେ ଓ ସେ ଅଞ୍ଚଳରେ ବିକାଶ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଓ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ପରେ ୫-ଟି ସଚିବ ଡଙ୍ଗରିଆ କନ୍ଧ ଭାଇଭଉଣୀମାନଙ୍କ ସହିତ ସେମାନଙ୍କ ଜୀବନଜୀବିକା ସମ୍ପର୍କରେ ଆଲୋଚନା କରିଥିଲେ।

- Advertisement -

ଡଙ୍ଗରିଆ କନ୍ଧମାନଙ୍କ ଦ୍ୱାରା ପ୍ରସ୍ତୁତ କପଡାଗୁଣ୍ଡ ସାଲର ବିଶେଷ ଆଦର ରହିଥିବାରୁ ଏ ସାଲ ତିଆରିରେ ଅଧିକରୁ ଅଧିକ ଯୁବକଯୁବତୀମାନଙ୍କୁ ସାମିଲ କରିବାପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଡଙ୍ଗରିଆ କନ୍ଧମାନଙ୍କ ଦ୍ୱାରା ଉତ୍ପାଦିତ ସପୁରି, ହଳଦୀ ଓ ତେନ୍ତୁଳି ଆଦି ଉତ୍ପାଦନ ପାଇଁ ଯେପରି ରାଜ୍ୟ ତଥା ଦେଶରେ ଏକ ସୁଦୃଢ ବଜାର ବ୍ୟବସ୍ଥା ହୋଇପାରିବ ସେଦିଗରେ ପଦକ୍ଷେପ ନେବାପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଷମକଟକ ଗସ୍ତ ଅବସରରେ ସ୍ଥାନୀୟ ଲୋକ ଏବଂ ବିଭିନ୍ନ ସିଭିଲ ସୋସାଇଟି ସହିତ ସ୍ଥାନୀୟ ସମସ୍ୟା ଓ ତା’ର ସମାଧାନ ବିଷୟରେ ଆଲୋଚନା କରିଥିଲେ।

ବିଷମକଟକ ଅଞ୍ଚଳର ଚାଟିକୋଣା ଶିବ ମନ୍ଦିର ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ ପୂଜାର୍ଚ୍ଚନା କରିଥିଲେ ଏବଂ ମନ୍ଦିରର ବିକାଶ ସମ୍ପର୍କରେ ସେବାୟତ ଓ ଟ୍ରଷ୍ଟ ବୋର୍ଡର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ବିଷମକଟକର ଜଗନ୍ନାଥ ମନ୍ଦିର ଓ ନେଳିଆବନ୍ଧ ପରିଦର୍ଶନ କରିଥିଲେ। ଏ ଦୁଇ ସ୍ଥାନର ବିକାଶ ପାଇଁ ଏକ ମାସ ମଧ୍ୟରେ ଡିପିଆର୍ ପ୍ରସ୍ତୁତ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ପରେ ପରେ ଶ୍ରୀ ପାଣ୍ଡିଆନ ପଦ୍ମପୁର ବ୍ଲକକୁ ଯାଇଥିଲେ ଏବଂ ସୌରା ଜନଜାତି ର ପ୍ରସିଦ୍ଧ ମାତ୍ତରବନାମ ମନ୍ଦିର ପରିଦର୍ଶନ କରିଥିଲେ। ଏହି ମନ୍ଦିରର ବିକାଶ କାର୍ଯ୍ୟ ତଫସିଲଭୂକ୍ତ ଜାତି ଓ ଜନଜାତି ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଭାବରେ କରାଯିବ ବୋଲି ଶ୍ରୀ ପାଣ୍ଡିଆନ ଆଲୋଚନା ସମୟରେ ସୂଚନା ଦେଇଥିଲେ।
ପଦ୍ମପୁର ବ୍ଲକର ଖିଲାମୁଣ୍ଡା ଗ୍ରାମପଞ୍ଚାୟତରେ ଥିବା ଆର୍‌ଏମ୍‌ସି ୟାର୍ଡରେ ଚାଷୀମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ। ସେମାନେ ଉତ୍ପାଦନ କରୁଥିବା ବିଭିନ୍ନ ଫସଲ ଓ ଏହାର ବଜାର ବ୍ୟବସ୍ଥା ତଥା ସେ ଅଞ୍ଚଳର ଜଳସେଚନ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।

ପଦ୍ମପୁର ବ୍ଲକ ଅଞ୍ଚଳରେ ଜଳସେଚନ କ୍ଷମତାର ପୂର୍ଣ୍ଣ ଉପୋଯୋଗ ନିମନ୍ତେ ଜଳସେଚନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା କରାଯିବ ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ଗୁଣୁପୁର ଠାରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ସେଫାଳି ହିଲ୍‌ରେ ଥିବା ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ଏବଂ ସେବାୟତ ଓ ମନ୍ଦିରର ଟ୍ରଷ୍ଟ ବୋର୍ଡର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଏକ ମାସ ମଧ୍ୟରେ ମନ୍ଦିରର ବିସ୍ତୃତ ବିକାଶ ଯୋଜନା ପ୍ରସ୍ତୁତ କରି ପର୍ଯ୍ୟଟନ ବିଭାଗକୁ ପଠାଇବାପାଇଁ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ। ଗୁଣୁପୁର ଇଣ୍ଡୋର ଷ୍ଟାଡିୟମରେ ମିଶନ ଶକ୍ତି ଓ ସ୍ଥାନୀୟ ଜନ ସାଧାରଣଙ୍କୁ ଭେଟି ଥିଲେ । ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ ଏବଂ ଏହାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହି ଗସ୍ତ ସମୟରେ କ୍ରୀଡା ସଚିବ ଶ୍ରୀ ଆର୍‌. ଭିନିଲ୍‌ କ୍ରିଷ୍ଣା, ରାୟଗଡା ଜିଲାପାଳ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories