ମହାରାଷ୍ଟ୍ରରେ ୫୭ ଜାଲ୍‌ ଡାକ୍ତର ଠାବ !

0

ମୁମ୍ବଇ : ଏକ ବିଚିତ୍ର ଘଟଣାକ୍ରମେ ମହାରାଷ୍ଟ୍ର ମେଡିକାଲ କାଉନ୍‌ସିଲ ୫୭ ଜାଲ୍‌ ଡାକ୍ତରଙ୍କୁ ଠାବ କରିଛି। ସମ‌େ​‌ସ୍ତ କାଉନ୍‌ସିଲରେ ନାମ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ସେମାନେ ଏକ ନିର୍ଦିଷ୍ଟ ମେଡିକାଲ କଲେଜରୁ ଗୋଟିଏ ବର୍ଷରେ ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷା ଶେଷ କରିଥିବାର ପ୍ରମାଣପତ୍ର ଦାଖଲ କରିଥିଲେ। ‘କଲେଜ ଅଫ ଫିଜିସିଆନ୍ସ ଏଣ୍ଡ ସର୍ଜନ୍ସ’ (ସିପିଏସ୍‌)ରୁ ସେମାନେ ୨୦୧୪-୧୫ ବର୍ଷରେ ଉତ୍ତୀର୍ଣ୍ଣ ହୋଇଥିବା ଦର୍ଶାଇଛନ୍ତି; ତେବେ ଏହି ପ୍ରମାଣପତ୍ର ଜାଲ୍‌ ଥିବା କାଉନ୍‌ସିଲ କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି। ଆହୁରି ଆଶ୍ଚର୍ଯ୍ୟର ବିଷୟ ହେଉଛି, ସେମାନେ ଡାକ୍ତରୀ ପେସା ଜାରି ରଖିଥିବା ଦର୍ଶାଇଛନ୍ତି। କାଉନ୍‌ସିଲ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପରେ ଥାନାରେ ଜାଲିଆତି ଅଭିଯୋଗକ୍ରମେ ଏତଲା ଦାୟର କରିଛି। ଏହି ମାମଲାରେ ପୁଲିସ ଡଃ ସ୍ନେହାଲ ନ୍ୟାତି ନାମକ ସିପିଏସ୍‌ର ଜଣେ ପୂର୍ବତନ ଛାତ୍ରଙ୍କୁ ଗିରଫ କରିଛି। ସେ ବିପୁଳ ଅର୍ଥ ବଦଳରେ ଏହି ଜାଲ୍‌ ପ୍ରମାଣପତ୍ର ଯୋଗାଇଥିବା କୁହାଯାଉଛି। ଡଃ ନ୍ୟାତି ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରି ନ ଥିବା ଏବଂ ଅକୃତକାର୍ଯ୍ୟ ହୋଇଥିବା ପିଲାଙ୍କଠାରୁ ପ୍ରମାଣପତ୍ର ବାବଦରେ ଜଣ ପିଛା ୩ରୁ ୫ ଲକ୍ଷ ଟଙ୍କା ଆଦାୟ କରିଥିବା ପୁଲିସ କହିଛି। ଏହି ତଥାକଥିତ ଡାକ୍ତରଙ୍କ ମଧ୍ୟରୁ ଅନେକ ମହାରାଷ୍ଟ୍ର ମେଡିକାଲ କାଉନ୍‌ସିଲରେ ପୂର୍ବରୁ ପଞ୍ଜୀକରଣ କରିଥିବା ଜଣାପଡ଼ିବା ପରେ ଏହାକୁ ବାତିଲ କରାଯାଇଛି। ସୂଚନାଯୋଗ୍ୟ ଯେ ଏଭଳି ଜାଲିଆତି ସମ୍ପର୍କରେ ପ୍ରଥମେ ୨୦୧୬ରେ ଜଲଗାଓଁ ଜିଲାରୁ ସୂଚନା ମିଳିଥିଲା। ତଦନ୍ତ ପରେ ଗତ ବର୍ଷ ଅକ୍ଟୋବରରେ ପୁଲିସ ପ୍ରଥମ ଏତଲା ରୁଜୁ କରିଥିଲା; ତେବେ ଏଭଳି ଅଭିଯୋଗ ଏକ ବୃହତ୍‌ ଷଡ଼ଯନ୍ତ୍ରର ଅଂଶ ବୋଲି କହିଛନ୍ତି ଅଭିଯୁକ୍ତମାନେ। ଗିରଫ ମୁଖ୍ୟ ଅଭିଯୁକ୍ତ ଡଃ ନ୍ୟାତି ମଧ୍ୟ ଏଭଳି ଷଡ଼ଯନ୍ତ୍ର ପଛରେ ମହାରାଷ୍ଟ୍ର ମେଡିକାଲ କାଉନ୍‌ସିଲ କର୍ତ୍ତୃପକ୍ଷଙ୍କ ହାତ ଥିବା କହିଛନ୍ତି। ଏହାକୁ ନେଇ ସିପିଏସ୍‌ ଓ କାଉନ୍‌ସିଲ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଇତିମଧ୍ୟରେ ଠାବ କରାଯାଇଥିବା ଜାଲ୍‌ ଡାକ୍ତରଙ୍କ ସଂଖ୍ୟା ୭୮ରେ ପହଞ୍ଚିଥିବା ଓ ସେମାନେ ଗତ ୪/୫ ବର୍ଷ ହେଲା ବିଭିନ୍ନ ସ୍ଥାନରେ ଚିକିତ୍ସା ଜାରି ରଖିଥିବା କାଉନ୍‌ସିଲ ପକ୍ଷରୁ କୁହାଯାଇଛି।

Leave A Reply