ନୂଆଦିଲ୍ଲୀ: ଖୁବ ଶୀଘ୍ର ୪୧ଟି ନୂଆ କୋଇଲା ବ୍ଲକ ନିଲାମ ହେବ ବୋଲି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ଦେଶରେ କୋଇଲାର ଗୁଣବତ୍ତାରେ ପରିବର୍ତ୍ତନ ଆଣିବା ପାଇଁ ପାଇଁ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି। ବୁଧବାର ଲୋକସଭାରେ ପ୍ରଶ୍ନକାଳ ସମୟରେ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଯୋଶୀ କହିଛନ୍ତି, କେତେକ ନିର୍ଦ୍ଦିଷ୍ଟ ବିଦ୍ୟୁତ ପ୍ରକଳ୍ପ ଓ ଯାନ୍ତ୍ରିକ ପରିଚାଳନା ପାଇଁ ଉତ୍ତମ ଗୁଣ ସମ୍ପନ୍ନ କୋଇଲା ଆମଦାନୀ ଆବଶ୍ୟକ ପଡୁଛି। ତେଣୁ ଦେଶରେ ଉପଲବ୍ଧ କୋଇଲାର ଗୁଣବତ୍ତା ବୃଦ୍ଧି ଦିଗରେ ଜ୍ଞାନ କୌଶଳ ପ୍ରୟୋଗ ନେଇ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।
ଯୋଶୀ କହିଛନ୍ତି, ଦେଶରେ କୋଇଲାର ଚାହିଦା ବୃଦ୍ଧି ପାଉଥିବାରୁ ବହୁତ ଶୀଘ୍ର ୪୧ଟି ନୂଆ କୋଇଲା ବ୍ଲକ ନିଲାମ କରାଯିବ। ୨୦୩୦ ସୁଦ୍ଧା କୋଇଲା ଉତ୍ପାଦନରେ ଭାରତ ଆତ୍ମନିର୍ଭରଶୀଳ ହେବ ବୋଲି ସେ କହିଛନ୍ତି। ଅନ୍ୟ ଏକ ପ୍ରଶ୍ନରେ ଯୋଶୀ କହିଛନ୍ତି, କୋଇଲା ପ୍ରକ୍ରିୟା କରଣ ଓ ପରିବହନକୁ ପ୍ରାଥମିକତା ଦିଆଯାଉଛି।



