ଗୋପାଳପୁର: ଗୋଳନ୍ଥରା ଥାନା ସମେତ ସୁନାପୁର ସାମୁଦ୍ରିକ ଥାନା ଅଞ୍ଚଳରେ ବିଭିନ୍ନ ଚୋରିରେ ସାମିଲ ଥିବା ୩ ଲୁଟିଆକୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡଦେଉଳିର ସିଦ୍ଧାର୍ଥ ଶିକାରୀ, ପି ରାଜେଶ ଏବଂ ଲବଡୁ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ସୁନାପୁର ଅଞ୍ଚଳରେ ଗତ ଜୁଲାଇ ୨୧, ୨୨ ଓ ୩୧ ତାରିଖରେ ବିଭିନ୍ନ ସ୍ଥାନରୁ ଲୁଟରେ ଏମାନେ ସାମିଲ ରହିଥିଲେ। ଲୁଟିଆ ମାନେ ସୁନାପୁର କାଳି ମନ୍ଦିର ତାଲା ଭାଙ୍ଗି ସେଠାରୁ ମା’ଙ୍କ ୧୨୦ ଗ୍ରାମ ଓଜନର ରୁପା ଅଳଙ୍କାର ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିଲେ। ଏହା ସହ ଶ୍ରୀ କାଶୀ ବିଶ୍ଵନାଥ ବିଦ୍ୟାପୀଠରୁ ସିସିଟିଭି କ୍ୟାମେରା, ପାଣି ମଟର ସମେତ କମ୍ପ୍ୟୁଟର ଆଦି ପ୍ରାୟ ୨ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି କରିଥିଲେ। ଏହା ସହ ସୁରେନ୍ଦ୍ର ବେହେରାଙ୍କ ଘରୁ ୮୦ ହଜାର ଟଙ୍କା ୧୪ ଗ୍ରାମ ଓଜନର ସୁନା ଅଳଙ୍କାର ସହ ୧୫୦ ଗ୍ରାମର ରୂପା ଅଳଙ୍କାର ଲୁଟି ନେଇଥିଲେ। ସେହିପରି ହଳଦିଆପଦର ଗୈଡ ସାହି ଚୋରିରେ ମଧ୍ୟ ଅଭିଯୁକ୍ତ ମାନେ ସାମିଲ ଥିବା ପୁଲିସ ସମ୍ମୁଖରେ ବୟାନ ଦେଇଥିବା ପୁଲିସ ସୂଚନା ଦେଇଛି। ଅଭିଯୁକ୍ତ ମାନଙ୍କୁ ସୁକୁଣ୍ଡା ବାଉରୀ ସାହିରେ ଚୋରି କରୁଥିବା ସମୟରେ ଅଟକ ରଖାଯାଇ ତଦନ୍ତ ସମୟରେ ସେମାନେ ଚୋରିରେ ସାମିଲ ଥିବା ସ୍ବୀକାର କରିଥିଲେ। ସେମାନଙ୍କ ଠାରୁ କେତେକ ରୂପା ଅଳଙ୍କାର ଜବତ କରାଯାଇଛି।
Popular Categories



