ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ

0

ନୂଆଦିଲ୍ଲୀ/ଭୁବନେଶ୍ୱର: ଏପ୍ରିଲ ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୭ଟି ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ତାମିଲନାଡୁର ସମସ୍ତ ୩୯ଟି ଯାକ ଲୋକସଭା ଆସନ ପାଇଁ ମତଦାନ ହେବ। ସେହିପରି କର୍ଣ୍ଣାଟକର ୧୪ଟି, ମହାରାଷ୍ଟ୍ରର ୧୦ଟି, ଉତ୍ତରପ୍ରଦେଶର ୮ଟି, ଆସାମ, ବିହାର ଏବଂ ଓଡ଼ିଶାର ୫ଟି ଲେଖାଏଁ ଲୋକସଭା ନିର୍ବାଚନମଣ୍ଡଳୀ, ଛତିଶଗଡ ଓ ପଶ୍ଚିମବଙ୍ଗର ୩ଟି ଲେଖାଏଁ, ଜାମ୍ମୁ – କାଶ୍ମୀରର ୨ଟି ଲେଖାଏଁ ଏବଂ ତ୍ରିପୁରା ଓ ପୁଦୁଚେରୀର ୨ଟି ଲେଖାଏଁ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ।

ଏହି ପର୍ଯ୍ୟାୟରେ ଓଡ଼ିଶାର ୫ଟି ଲୋକସଭା ଆସନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ସୁନ୍ଦରଗଡ଼ ସଂରକ୍ଷିତ ଲୋକସଭା ଆସନ ପାଇଁ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଜୁଏଲ୍‍ ଓରାମ ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେଡ଼ିରୁ ସୁନିତା ବିଶ୍ୱାଳ ନାମାଙ୍କନପତ୍ର ଦାଖଲ କରିଛନ୍ତି। ରାଉରକେଲା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ବିରେନ ସେନାପତି, ରଘୁନାଥପାଲୀରୁ କଂଗ୍ରେସର ପ୍ରଶାନ୍ତ ସେଠୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ବିଜେଡ଼ିରୁ ଯୋଗେଶ ସିଂ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି। ସେହିପରି ବରଗଡ ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ଦେବତାଙ୍କ ସମେତ ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ଏବଂ ବହୁଜନ ସମାଜ ପାର୍ଟିରୁ କୌଶିକ ସୁନା ନାମାଙ୍କନପତ୍ର ଦାଖଲ କରିଛନ୍ତି।

ବରଗଡ଼ ବିଧାନସଭା ଆସନ ପାଇଁ ବିଜେଡ଼ିର ଦେବେଶ ଆଚାର୍ଯ୍ୟ, କଂଗ୍ରେସ ଦଳରୁ ନିପନ ଦାଶ, ଅତାବିରା ଆସନ ପାଇଁ କଂଗ୍ରେସରୁ ନିହାର ମହାନନ୍ଦ, ବସପାରୁ ରବିନ୍ଦ୍ର ମେଘ, ଭଟଲି ଆସନ ପାଇଁ କଂଗ୍ରେସରୁ ସରୋଜ ମହାପାତ୍ର. ବସପାରୁ ନାରାୟଣ ଭେସ୍ରା ନାମାଙ୍କନପତ୍ର ଦାଖଲ କରିଛନ୍ତିି। ପଦ୍ମପୁର ବିଧାନସଭା ଆସନ ପାଇଁ ବିଜେପିରୁ ପ୍ରଦୀପ ପୁରୋହିତ, ବିଜେଡ଼ିରୁ ବିଜୟ ରତ୍ନ ସିଂ ବରିହା ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେପୁର ଆସନ ପାଇଁ କଂଗ୍ରେସରୁ ରିପୁନାଥ ସେଟ ଏବଂ ବିଜେପିରୁ ସନତ ଗଡ଼ତିଆ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ତେବେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେ ବିଜେପିର ବରିଷ୍ଠ ନେତା ସୁବାସ ଚୌହନ ଆଜି ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତିି। ୩୦ ବର୍ଷ ଧରି ସେ ଦଳରେ ନିଷ୍ଠାପର ସଦସ୍ୟ ଭାବରେ କାମ କରୁଥିଲେ ବୋଲି ତାଙ୍କ ବକ୍ତବ୍ୟରେ କହିଛନ୍ତିି। ଗତଥର ସେ ବରଗଡ ଲୋକସଭା ଆସନରୁ
ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ।

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ମନୋନୟନ ପତ୍ର ଦାଖଲର ଶେଷ ଦିନରେ ଝାରସୁଗୁଡାରେ ୧୦ଜଣ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡିଛି। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ବିଜେଡିର କିଶୋର ମହାନ୍ତି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଝାରସୁଗୁଡା ବିଧାନସଭା ଆସନ ପାଇଁ ବିଜେପିର ଦିନେଶ ଜୈନ୍‍ ଏବଂ କଂଗ୍ରେସର ମହେନ୍ଦ୍ର ନାୟକ ମନୋନୟନ ପତ୍ର ଦାଖଲ କରିଥିବାବେଳେ ପ୍ରଗତିଶୀଳ ସମାଜବାଦୀ ପାର୍ଟି ପକ୍ଷରୁ ଅରବିନ୍ଦ ବାରିକ୍‍ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ବୌଦ୍ଧ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥି ଭାବେ ସୁଶାନ୍ତ କୁମାର ପ୍ରଧାନ ଓ ସୂର୍ଯ୍ୟନାରାୟଣ ମହାପାତ୍ର, ସ୍ୱାଧୀନ ପ୍ରାର୍ଥିଭାବେ ମନୋନୟନ ପତ୍ର ଦାଖଲ କରିଛନ୍ତି। କଣ୍ଟାମାଳ ବିଧାନସଭା ଆସନ ପାଇଁ ବିଜେପି ପକ୍ଷରୁ କହ୍ନେଇ ଚରଣ ଡାଙ୍ଗ, ଶେଷ କୁମାର ମେହେର ସ୍ୱାଧିନ ପ୍ରାର୍ଥିଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି

ବୁଧବାର ମନୋନୟନପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ୨୯ ତାରିଖକୁ ମନୋନୟନପତ୍ର ପ୍ରତ୍ୟାହାର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି।

Leave A Reply