ଦିଲ୍ଲୀରେ ୮୮ବର୍ଷର ରେକର୍ଡ ଭାଙ୍ଗିଲା ୨୪ଘଣ୍ଟାର ବର୍ଷା

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ ମୌସୁମୀ ପହଞ୍ଚିବା ସହ ପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୨୮.୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଗୁରୁବାର ସକାଳ ୮ଟା ୩୦ରୁ ଶୁକ୍ରବାର ସକାଳ ୮ଟା ୩୦ ମଧ୍ୟରେ ଏହି ପରିମାଣ ବର୍ଷା ହୋଇଥିବା ସଫଦରଜଙ୍ଗସ୍ଥିତ ପାଣିପାଗ କେନ୍ଦ୍ର ଦ୍ବାରା ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଏତେ ପରିମାଣର ବର୍ଷା ହେବା ଦିଲ୍ଲୀର ୮୮ବର୍ଷର ରେକର୍ଡ ଭାଙ୍ଗିଛି। ୧୯୩୬ ଜୁନ୍‌ରେ ସର୍ବାଧିକ ୧୩୫.୫ ମିଲିମିଟର ବର୍ଷା ହୋଇଥିବାର ରେକର୍ଡ ରହିଥିଲା। ଗୁରୁବାର ବର୍ଷା​‌ ଯୋଗୁଁ ଦିଲ୍ଲୀର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡିଛି। ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଦିଲ୍ଲୀର ମାଲବ୍ୟ ନଗର, ସଂସଦ ଭବନ ରାସ୍ତା, ମିଣ୍ଟୋ ବ୍ରିଜ୍, ଲୋଧି ରୋଡ, ପାଲାମ, ପିତମପୁରା, ତୋଗଲାକାବାଦ, ମୟୂର ବିହାର ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଜଳ ନିଷ୍କାସନ ଲାଗି ବ୍ୟବସ୍ଥା କରାଯାଇ ନଥିବାରୁ ସାଧାରଣ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପିନ୍ଦର ଯାଦବ କହିଛନ୍ତି ଯେ ପ୍ଲାଷ୍ଟିକ୍ ବର୍ଜ୍ୟ ଯୋଗୁଁ ସହରରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ସିଙ୍ଗଲ ଇଉଜ୍ ପ୍ଲାଷ୍ଟିକ ବର୍ଜ୍ୟ ନାଳ ନର୍ଦମାରେ ଜମି ରହି ପାଣି ଯିବା ବାଟ ବନ୍ଦ ହୋଇଯାଇଛି।
ସେପଟେ ପ୍ରବଳ ବର୍ଷାରେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରେ ୧ ନମ୍ବର ଟର୍ମିନାଲର ଛାତ ମଧ୍ୟ ଭୁଶୁଡି ପଡିଛି। ଏଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଏମ୍‌ସ ଓ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଶୁକ୍ରବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ଟର୍ମିନାଲରୁ ସମସ୍ତ ବିମାନ ଚଳାଚଳକୁ ବାତିଲ କରାଯାଇଛି। ଅପରପକ୍ଷରେ ଏହି ଟର୍ମିନାଲରୁ ଯାତ୍ରାରମ୍ଭ କରୁଥିବା ଯାତ୍ରୀଙ୍କୁ ଅନ୍ୟ ଦୁଇଟି ଟର୍ମିନାଲ (୨ ଓ ୩) ବ୍ୟବହାର କରିବାକୁ ସୁଯୋଗ ଦିଆଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଘଟଣାସ୍ଥଳ ପରିଦର୍ଶନ କରିଥିବାବେଳେ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଛାତ ଓ ସପୋର୍ଟ ବିମ୍‌ ଭୁଶୁଡିବା ଯୋଗୁଁ ଟର୍ମିନାଲ-୧ର ପିକ୍‌ଅପ୍‌ ଓ ଡ୍ରପ୍‌ ଅଞ୍ଚଳରେ ଏକାଧିକ କାର୍‌ କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତ ଟର୍ମିନାଲରେ ଫସିଥିବା ସବୁ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟରେ ଏନ୍‌ଡିଆରଏଫ୍‌ ଓ କୁଇକ୍‌ ରେସ୍‌ପନ୍ସ ଟିମ୍‌କୁ ନିୟୋଜିତ କରାଯାଇଛି। ଏହି ଯାତ୍ରୀମାନେ ଯଦି ଚାହିଁବେ, ତେବେ ବିମାନ ଭଡା ସମ୍ପୂର୍ଣ୍ଣଭାବେ ଫେରସ୍ତ ପାଇପାରିବେ, ନଚେତ ଅନ୍ୟ ବିମାନ କିମ୍ବା ବିକଳ୍ପ ରୁଟ୍‌ରେ ଯାତ୍ରା ନିମନ୍ତେ ସୁଯୋଗ ପାଇବେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଏବଂ ପ୍ରତ୍ୟେକ ଆହତଙ୍କୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରାଯାଇଛି। କେବଳ ଘରୋଇ ଉଡାଣ ପାଇଁ ଟର୍ମିନାଲ-୧ ବ୍ୟବହାର କରାଯାଇଥାଏ। ଏଠାରୁ ଇଣ୍ଡିଗୋ, ସ୍ପାଇସଜେଟ୍‌ ବିମାନଗୁଡିକ ଚଳାଚଳ କରୁଥିବାବେଳେ ଦିଲ୍ଲୀ ବିମାନବନ୍ଦରରେ ଦୈନିକ ୧୪୦୦ ବିମାନର ଉଡାଣ ଓ ଅବତରଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଥାଏ। ଦୁର୍ଘଟଣାର ତଦନ୍ତ ନିମନ୍ତେ ଦିଲ୍ଲୀ ଏୟାରପୋର୍ଟ ମ୍ୟାନେଜମେଣ୍ଟ (ଡିଆଇଏଏଲ) ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ) ତତ୍ତ୍ବାବଧାନରେ ତଦନ୍ତ ପ୍ରକ୍ରିୟା ଶେଷ ହେବାପରେ ମନ୍ତ୍ରଣାଳୟକୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କୁହାଯାଇଛି। ଅପରପକ୍ଷରେ ଦେଶର ସବୁ ବିମାନବନ୍ଦରର ନିର୍ମାଣ ଶୈଳୀକୁ ଭଲଭାବେ ଯାଞ୍ଚ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସରକାର ଏହି ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି ଏବଂ ଦୋଷୀଙ୍କୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ୨୦୦୯ରେ ତତ୍କାଳୀନ ୟୁପିଏ ସରକାରଙ୍କ ଅମଳରେ ଟର୍ମିନାଲ-୧ର କାନୋପି ନିର୍ମାଣ କରାଯାଇଥିଲା। ନିର୍ମାଣଜନିତ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିବା ବିଜେପି ପକ୍ଷରୁ କୁହାଯାଇଛି। ତେବେ ବିଜେପି ସରକାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିପାରିନଥିବାରୁ ଦୁର୍ଘଟଣା ଘଟିଛି ବୋଲି କଂଗ୍ରେସ ପାଲଟା ଅଭିଯୋଗ କରିଛି।

Comments are closed.