କୋଭିଡ୍‌-୧୯ ମାଡ଼ରେ ଘାଇଲା ଅର୍ଥନୀତି

 

କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହର ବି ଏ ବର୍ଷକୁ ଘାଇଲା କରିଦେଲା। ପ୍ରଥମ ଲହର ସ୍ଥିତି ସାମାନ୍ୟ ସୁଧୁରୁଥିବାବେଳେ ଦ୍ୱିତୀୟ ଲହର ପୁଣି ତାଲାବନ୍ଦ ଓ କଟକଣା ଜାରି ପରିସ୍ଥିତି ପାଇଁ ବାଧ୍ୟକଲା। ପରିଣତିରେ ବାଣିଜ୍ୟ, ବ୍ୟବସାୟ ଗୁରୁତର ବାଧାପ୍ରାପ୍ତ ହେଲା ଏବଂ ତାହାର ମୋଟାମୋଟି ପ୍ରଭାବ ଅର୍ଥନୀତି ଉପରେ ପଡ଼ିଲା। ତେବେ ସରକାରଙ୍କ ପକ୍ଷରୁ ଆର୍ଥିକ, ବିତ୍ତୀୟ ଏବଂ ସ୍ୱାସ୍ଥ୍ୟଗତ ପଦକ୍ଷେପ ଏହାର ସଫଳ ମୁକାବିଲାରେ ସମର୍ଥ ହୋଇଥିଲା। ତାହାସହିତ ଅର୍ଥନୈତିକ ସଂସ୍କାର ମଧ୍ୟ ଏ ଦିଗରେ ସହାୟକ ହୋଇପାରିଥିବା ଆର୍ନ୍ତଜାତିକ ମୁଦ୍ରାପାଣ୍ଠି ପକ୍ଷରୁ କୁହାଯାଇଛି। ଏହାସତ୍ତ୍ବେ ମହାମାରୀ ପ୍ରଭାବରେ ଦେଶରେ ଦାରିଦ୍ର୍ୟ ଓ ଅସମାନତା ବୃଦ୍ଧିପାଇବା ସମ୍ଭାବନା ଏବେ ମଧ୍ୟ ରହିଛି। ତେବେ କୋଭିଡର ଦ୍ୱିତୀୟ ଲହରକୁ ମୁକାବିଲା କରିବା କ୍ଷେତ୍ରରେ ବିଶେଷ ସହାୟକ ହେଲା କୋଭିଡ ପ୍ରତିଷେଧକ ଟିକାକରଣ। ଏବେ ସ୍ଥିତି କ୍ରମଶଃ ସୁଧୁରୁଥିବାବେଳେ ପୁଣି ନୂଆ ପ୍ରକରଣ ‘ଓମିକ୍ରନ’କୁ ନେଇ ବିଶ୍ୱରେ ଆତଙ୍କ ଖେଳିଯାଇଛି। ଭାରତ ବି ଏଥିରୁ ବାଦ୍‍ ପଡ଼ିନାହିଁ। ଦେଶର ଅନେକ ରାଜ୍ୟରେ ଏହି ପ୍ରକରଣରେ ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହା ଦ୍ରୁତ ଗତିରେ ସଂକ୍ରମିତ କରୁଥିବା ଏବଂ ରୂପ ବଦଳାଉଥିବା ନେଇ ଚେତାବନୀ ଦେଇଛନ୍ତି। ଇତିମଧ୍ୟରେ ବ୍ରିଟେନରେ ଜଣେ ଓମିକ୍ରନ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିସାରିଛି। କୋଭିଡର ଦୁଇ ପାନ ଟିକା ନେଇସାରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହା ସଂକ୍ରମିତ କରୁଛି। ସେଥିପାଇଁ ପୁଣି ବାଣିଜ୍ୟ, ବ୍ୟବସାୟ ଓ ଅର୍ଥନୀତିକୁ ନେଇ ସମସ୍ତେ ସନ୍ଦେହ ଘେରରେ ରହିଛନ୍ତି। ଅବଶ୍ୟ ଦ୍ୱିତୀୟ ଲହର ପରବର୍ତ୍ତୀ ସ୍ଥିତିରେ ଦେଶରେ ଶିଳ୍ପ, କଳକାରଖାନା, ପରିବହନ, କୋଠାବାଡି ନିର୍ମାଣ, କୃଷି ଆଦି ସ୍ୱାଭାବିକ ଅବସ୍ଥାକୁ ଫେରିଆସିଛି। କେବଳ ପର୍ଯ୍ୟଟକ କ୍ଷେତ୍ର ଏପର୍ଯ୍ୟନ୍ତ ଅଣ୍ଟା ସଳଖି ପାରିନାହିଁ। କିଛି ହାତଗଣତି ଲୋକ କୋଭିଡ କଟକଣାକୁ ବେଖାତିର କରି ପର୍ଯ୍ୟଟନ ସ୍ଥଳକୁ ଯାଉଥିବାବେଳେ ଅନେକ ସଚେତନ ନାଗରିକଙ୍କ ମନରେ ତଥାପି ଭୟ ଲାଗିରହିଛି। ହୋଟେଲ ଶିଳ୍ପ ମଧ୍ୟ ସ୍ୱାଭାବିକ ସ୍ଥିତିକୁ ଏଯାଏ ଫେରିନାହିଁ। ଏଭଳି ଏକ ପରିସ୍ଥିତିରେ ଭାରତୀୟ ଅର୍ଥନୀତି ୨୦୨୨ରେ ପୂର୍ବ ଧାରାକୁ ଫେରିବା ଅନେକ ଅନୁମାନ କରିଛନ୍ତି। ୨୦୨୦ରେ କୋଭିଡ ମହାମାରୀ ଆରମ୍ଭ ହେବାପରେ ତାହାର ପ୍ରଭାବରେ ଦେଶର ଅର୍ଥନୀତି ୭.୩% ସଙ୍କୁଚିତ ହୋଇଥିବାବେଳେ ତାହା ଚଳିତ ବର୍ଷ ୯.୫%ରେ ପହଞ୍ଚିବା ଏବଂ ୨୦୨୨ରେ ୮.୫% ହେବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ଭାରତବାସୀ ଏବଂ ସମୁଦାୟ ବିଶ୍ୱବାସୀ ଏଭଳି ଏକ ଜଟିଳ ସମୟରେ କୋଭିଡର ସମସ୍ତ ନିୟମକୁ କଡାକଡି ପାଳନ କଲେ ଯାଇ ଏହି ମହାମାରୀର ମୁକାବିଲା କରିହେବ ଏବଂ ବାଣିଜ୍ୟ, ବ୍ୟବସାୟ ଠାରୁ ନେଇ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଅର୍ଥନୀତିର ଅଭିବୃଦ୍ଧି ପର୍ଯ୍ୟନ୍ତ କ୍ଷେତ୍ରରେ ନୂଆ ଆଶାର ସଞ୍ଚାର ହୋଇପାରିବ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାରୀ ବ୍ୟୟ ବୃଦ୍ଧି
କୋଭିଡ-୧୯ ବ୍ୟାପିବା ପରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାରୀ ବ୍ୟୟ ପରିମାଣ ଯଥେଷ୍ଟ ବୃଦ୍ଧି ଘଟିଛି। ଏକ ରିପୋର୍ଟ ଅନୁଯାୟୀ ଭାରତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ତାହାର ଜିଡିପିର ପ୍ରାୟ ୧% ଅର୍ଥ ଖର୍ଚ୍ଚ କରୁଥିଲା, ଯାହା ବିଶ୍ୱର ପ୍ରମୁଖ ଅର୍ଥନୀତିଗୁଡିକ ମଧ୍ୟରେ ସର୍ବନିମ୍ନ। ତେବେ କୋଭିଡ ଜନିତ ପରିସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ସରକାର ଏହି ଖର୍ଚ୍ଚ ଦ୍ୱିଗୁଣିତ କରିଛନ୍ତି। ଦେଶର ୧୩୦ କୋଟି ଲୋକଙ୍କୁ କୋଭିଡ ଟିକା ଦେବା ଏବଂ ଜନସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ଲାଗି ସରକାର ୨.୨ ଲକ୍ଷ କୋଟି ଖର୍ଚ୍ଚ କରିବାକୁ ଘୋଷଣା କରିଛନ୍ତି। ତାହାସହିତ ଦେଶବାସୀଙ୍କୁ ସ୍ୱାସ୍ଥ୍ୟବୀମା ସୁବିଧା ଉପଲବ୍ଧ କରାଇବା ଏବଂ ଏ କ୍ଷେତ୍ରରେ ବିଦେଶୀ କମ୍ପାନୀଗୁଡିକ ନିବେଶ କରିବାକୁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି।

ଭାରତରୁ ରପ୍ତାନି ଓ ଆମଦାନୀ
୨୦୨୦ ସେପ୍ଟେମ୍ବର ତୁଳନାରେ ୨୦୨୧ ସେପ୍ଟେମ୍ବର ମାସରେ ଭାରତରୁ ରପ୍ତାନି ପରିମାଣ ୨୧.୪୪ ପ୍ରତିଶତ ବୃଦ୍ଧିପାଇଛି। ସେହି ସମୟରେ ଆମଦାନୀ ୭୦% ବୃଦ୍ଧି ଘଟିଛି। ୨୦୨୧ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଦେଶରୁ ବିଭିନ୍ନ ପଣ୍ୟସାମଗ୍ରୀ ଓ ସେବା ରପ୍ତାନି ୩୧୨.୪୭ ବିଲିଅନ ଡଲାର ହୋଇଛି। ଏହା ପୂର୍ବବର୍ଷ ସେହି ସମୟ ତୁଳନାରେ ୪୦.୫୨% ଏବଂ ୨୦୧୯ ଏପ୍ରିଲ-ସେପ୍ଟେମ୍ବର ତୁଳନାରେ ୧୮.୩୦% ଅଧିକ ବୋଲି ଜଣାଯାଇଛି। ଅନ୍ୟପକ୍ଷରେ ୨୦୨୧ ଏପ୍ରିଲ-ସେପ୍ଟେମ୍ବରରେ ଭାରତରୁ ଆମଦାନୀ ୩୪୧.୧୦ ବିଲିଅନ ହଲାର ହୋଇଛି। ଏହା ପୂର୍ବବର୍ଷ ସେହି ସମୟ ତୁଳନାରେ ୬୪.୯୧% ଏବଂ ୨୦୧୯ ଏପ୍ରିଲ-ସେପ୍ଟେମ୍ବର ତୁଳନାରେ ୯.୩୧% ଅଧିକ।

ମେକ୍‍ ଇନ ଇଣ୍ଡିଆ ଓ ଡିଜିଟାଲ ଇଣ୍ଡିଆ
ଭାରତ ସରକାର ଦେଶକୁ ବିଭିନ୍ନ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରାଇବା ଉଦ୍ଦେଶ୍ୟରେ ମେକ୍‍ ଇନ ଇଣ୍ଡିଆ ଏବଂ ଡିଜିଟାଲ ବ୍ୟବସ୍ଥାର ପ୍ରସାର ନିମନ୍ତେ ଡିଜିଟାଲ ଇଣ୍ଡିଆ ଭଳି ପ୍ରୟାସ କାର୍ଯ୍ୟକାରୀ କରୁଛନ୍ତି। ଏହା ବହୁ ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରୁଛି ଏବଂ ବିଦେଶୀ କମ୍ପାନୀଗୁଡିକ ଭାରତରେ ନିବେଶ କରିବାକୁ ଆସୁଛନ୍ତି। ଏହାଦ୍ୱାରା ଦେଶର ବିନିର୍ମାଣ କ୍ଷେତ୍ର ପ୍ରୋତ୍ସାହିତ ହେବା ସହିତ ଅର୍ଥନୈତିକ ବିକାଶ ଘଟିବ ଏବଂ ଲୋକଙ୍କର କ୍ରୟ କରିବାର ସାମର୍ଥ୍ୟ ବୃଦ୍ଧିପାଇବ ବୋଲି ଜଣାଯାଇଛି। ଡିଜିଟାଲ ଇଣ୍ଡିଆ ଅଭିଯାନରେ ସରକାର ତିନିଟି ବିଷୟ ଉପରେ ଗୁରୁତ୍ୱ ଦେଉଛନ୍ତି। ତାହା ହେଉଛି ଡିଜିଟାଲ ଭିତ୍ତିଭୂମି ନିର୍ମାଣ, ଡିଜିଟାଲ ଉପାୟରେ ସେବା ଯୋଗାଣ ଏବଂ ଡିଜିଟାଲ ସାକ୍ଷରତାର ପ୍ରସାର।

Comments are closed.