୨୦୧୯- ମାନ୍ଦା ଅର୍ଥନୀତି : ଜିଡ଼ିପି ହ୍ରାସ
ଆଉ ଦିନ କେଇଟା ପରେ ସରିଯିବ ବର୍ଷ ୨୦୧୯। ଏବେ କେବଳ ସମୀକ୍ଷା କରିବାର ବେଳ। ଦେଶର ଅର୍ଥନୀତି ପାଇଁ ଏହି ବର୍ଷ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ଆର୍ଥିକ ମାନ୍ଦାବସ୍ଥା ସହ ବିଭିନ୍ନ ସାମଗ୍ରୀର ଦରଦାମ୍ ବୃଦ୍ଧି ଦେଶରେ ବେଶ ହଇଚଇ ସୃଷ୍ଟି କରିଥିଲା। ତେବେ ଜିଡିପି ବା ଅଭିବୃଦ୍ଧିକୁ ନେଇ ଚିନ୍ତା ବଢିବା, ତୈଳ ଦର ବୃଦ୍ଧି, ଖୁଚୁରା ସମସ୍ୟା, ଆର୍ବିଆଇ ସୁଧହାର ପ୍ରାୟ ଅପରିବର୍ତ୍ତିତ ରଖିବା, ସୁନାରୁପା ମୂଲ୍ୟରେ ବୃଦ୍ଧି ଏବଂ ସେନ୍ସେକ୍ସ ରେକର୍ଡ ସ୍ତର ଛୁଇଁବା ଭଳି ଘଟଣା ଚର୍ଚ୍ଚା ସୃଷ୍ଟି କରିଥିଲା।
ବାଣିଜ୍ୟ ଯୁଦ୍ଧ : ଚଳିତବର୍ଷ ଆମେରିକା ଏବଂ ଚୀନ ମଧ୍ୟରେ ଦେଖାଦେଇଥିବା ବାଣିଜ୍ୟ ଯୁଦ୍ଧ ସମଗ୍ର ବିଶ୍ୱ କାରବାରକୁ ପ୍ରଭାବିତ କରିଥିଲା। ବିଶ୍ୱ ଆର୍ଥିକ ଇତିହାସରେ ଏହା ହେଉଛି ସବୁଠାରୁ ବଡ ବାଣିଜ୍ୟ ଯୁଦ୍ଧ। ଏହାର ଫଳସ୍ୱରୂପ ଉଭୟ ରାଷ୍ଟ୍ର ପରସ୍ପରଠାରୁ ଆମଦାନୀ କରୁଥିବା ବହୁ ଉତ୍ପାଦ ଉପରେ କୋଟିକୋଟି ଡଲାରର ଶୁଳ୍କ ଲାଗୁ କରିଥିଲେ। ଟେକ୍ନୋଲୋଜି କ୍ଷେତ୍ରରେ ବିବାଦକୁ କେନ୍ଦ୍ର କରି ଉଭୟ ରାଷ୍ଟ୍ର ବାଣିଜ୍ୟ କ୍ଷେତ୍ରରେ ପରସ୍ପର ସହ ଏଭଳି ମୁହାଁମୁହିଁ ହୋଇଛନ୍ତି। ଏପରିକି ଇରାନ୍ରୁ ତୈଳ ଆମଦାନୀ ବନ୍ଦ କରିବାକୁ ଆମେରିକା ଭାରତ ସମେତ ଅନ୍ୟ ରାଷ୍ଟ୍ରଗୁଡିକୁ ସମୟସୀମା ଦେଇଥିଲା। ଏହାକୁ ଅନୁପାଳନ ନ କଲେ ଆମେରିକା ସେମାନଙ୍କ ବିରୋଧରେ କଟକଣା ଲାଗୁ କରିବାକୁ ଧମକ ଦେଇଛି। ଅନ୍ୟ ପକ୍ଷରେ ଏହି ବାଣିଜ୍ୟ ଯୁଦ୍ଧର ପ୍ରଭାବ ବିଶ୍ୱ ତୈଳ ବଜାର ଉପରେ ପଡିଛି। ଏଥିଯୋଗୁ ତୈଳ ଦରରେ ବୃଦ୍ଧି ଘଟିଛି। ଏପରିକି ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କା ମୂଲ୍ୟ ସର୍ବକାଳୀନ ରେକର୍ଡ ଅତିକ୍ରମ କରିଛି। ଏହାର ପ୍ରଭାବ ଘରୋଇ ପୁଞ୍ଜି ବଜାର ଉପରେ ମଧ୍ୟ ପଡିିଛି। ଆମେରିକା ଓ ଚୀନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ବାଣିଜ୍ୟ ଚୁକ୍ତି ନେଇ ସହମତି ହେବା ଫଳରେ ଏବେ ଦୀର୍ଘ ୧୭ ମାସ ଧରି ଚାଲିଥିବା ବାଣିଜ୍ୟ ଯୁଦ୍ଧର ଅବସାନ ଘଟିବାକୁ ଯାଉଥିବା ଆଶା କରାଯାଉଛି। ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ସମ୍ପର୍କିତ ଚୁକ୍ତି ଉପରେ ମୋହର ମାରିଛନ୍ତି।
ମହଙ୍ଗା ବର୍ଷ : ଚଳିତ ବର୍ଷ ବିଭିନ୍ନ ସାମଗ୍ରୀର ବଜାର ଦର ବେଶ ଉଚ୍ଚା ରହିଥିଲା। କେବଳ ପେଟ୍ରୋଲ, ଡିଜେଲ କିମ୍ବା ଏଲ୍ପିଜି ନୁହେଁ ଖାଇବା ଔଷଧ, ସିମେଣ୍ଟ, ତେଲ, ଡାଲି ସହ ପନିପରିବା ଦର ଚଳିତବର୍ଷ ବେଶ ଉପରେ ରହିଥିଲା ହରଡ ଡାଲି କିଲୋ ୧୦୦ ଟଙ୍କା ଛୁଇଁଥିବାବେଳେ ତେଲ ଶହେ ଟପିଯାଇଥିଲା।ତେବେ ପନିପରିବା ବର୍ଗରେ ପିଆଜ ଦରକୁ ରସୁଣ ଦର ଟପିଯାଇଥିଲା। ପିଆଜ କିଲୋ ସର୍ବାଧିକ ୧୫୦ ଟଙ୍କା ଛୁଇଁଥିବାବେଳେ ରସୁଣ କିଲୋ ସର୍ବାଧିକ ୨୦୦ ଟଙ୍କା ଟପିଯାଇଥିଲା। ସେହିପରି ଅଦା କିଲୋ ୧୨୦ ଟଙ୍କା ଛୁଇଁଥିଲା। ଚଳିତବର୍ଷ ଔଷଧ ସାମଗ୍ରୀ କ୍ଷେତ୍ରରେ ହୃଦ୍ରୋଗ ପାଇଁ ଆବଶ୍ୟକ ଔଷଧ ମୂଲ୍ୟରେ ଅଧିକ ବୃଦ୍ଧି ଘଟିଛି। ଏମିତିକି ହୃଦ୍ରୋଗର ଶିକାର ହୋଇଥିବା ରୋଗୀଙ୍କଠାରେ ଲାଗୁଥିବା ଷ୍ଟେଣ୍ଟ୍ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି।ଏସବୁକୁ ଦେଖିଲେ ଚଳିତବର୍ଷକୁ ଆମେ ଦରଦାମ୍ ବୃଦ୍ଧିର ବର୍ଷ ବୋଲି ମଧ୍ୟ କହିପାରିବା।
ନିର୍ମଳା ନୂଆ ଅର୍ଥମନ୍ତ୍ରୀ : ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ନିର୍ମଳା ସୀତାରମଣ ଚଳିତବର୍ଷ ଦେଶର ନୂଆ ଅର୍ଥ ମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ। ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ସ୍ଥାନରେ ତାଙ୍କୁ ଏହି ନୂଆ ପଦ ମିଳିଛି। ସେ କମ୍ପାନୀ ବ୍ୟାପାର ମନ୍ତ୍ରାଳୟ ଦାୟିତ୍ବରେ ମଧ୍ୟ ରହିଛନ୍ତି। ମୋଦିଙ୍କ ପ୍ରଥମ ପାଳି ଶାସନରେ ନିର୍ମଳା ପ୍ରତିରକ୍ଷା ମନ୍ତ୍ରାଳୟ ଦାୟିତ୍ବରେ ଥିଲେ। ତାଙ୍କର ସହଯୋଗୀ ଭାବେ ଅନୁରାଗ ଠାକୁରଙ୍କୁ ମିଳିଛି ଅର୍ଥ ଏବଂ କମ୍ପାନୀ ବ୍ୟାପାର ମନ୍ତ୍ରାଳୟର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ବ। ୨୦୧୪ରେ ପ୍ରଥମ ଥର ପାଇଁ ପ୍ରତିରକ୍ଷା ବିଭାଗ ଦାୟିତ୍ବ ଗ୍ରହଣ କରିଥିବା ନିର୍ମଳା ଏବେ ଦୀର୍ଘ ୪୮ ବର୍ଷ ପରେ ଦେଶର ଦ୍ବିତୀୟ ମହିଳା ଭାବେ ଅର୍ଥ ମନ୍ତ୍ରାଳୟ ଦାୟିତ୍ବ ନେଇଛନ୍ତି। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶର ପ୍ରଥମ ମହିଳା ଅର୍ଥ ମନ୍ତ୍ରୀ ରହିଥିଲେ। ଇନ୍ଦିରାଙ୍କ ପରେ ନିର୍ମଳା ଅନ୍ୟତମ ମହିଳା ଯେ କି ଅର୍ଥ ମନ୍ତ୍ରୀ ହୋଇଛନ୍ତି। ସେହିଭଳି ନିରଞ୍ଜନ ପୂଜାରୀ ହୋଇଛନ୍ତି ରାଜ୍ୟର ନୂଆ ଅର୍ଥମନ୍ତ୍ରୀ।
ପରପାରିରେ ପୂର୍ବତନ ଅର୍ଥମନ୍ତ୍ରୀ ଜେଟ୍ଲୀ: ଚଳିତବର୍ଷ ଦେଶର ଅର୍ଥନୀତି ତଥା କର୍ପୋରେଟ୍ ଜଗତ ପାଇଁ ଏକ ବଡ ଦୁଃଖଦ ଖବର ଥିଲା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ପରଲୋକ। ଚଳିତବର୍ଷ ଅଗଷ୍ଟ ୨୪ରେ ଶ୍ରୀ ଜେଟ୍ଲୀ ନୂଆଦିଲ୍ଲୀସ୍ଥିତ ଏମ୍ସରେ ୬୬ ବର୍ଷରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ସେ ପୂର୍ବରୁ ଶ୍ବାସକ୍ରିୟା ଏବଂ କିଡ୍ନି ଜନିତ ସମସ୍ୟାରେ ପୀଡିତ ଥିଲେ । ଆହୁରିମଧ୍ୟ ଏହି ବର୍ଷ ଶିଳ୍ପପତି ବି.କେ. ବିର୍ଲାଙ୍କ ପରଲୋକ ଘଟିଛି। ବିର୍ଲା ଗ୍ରୁପର ପୃଷ୍ଠପୋଷକ ବି.କେ. ବିର୍ଲାଙ୍କ ମୁମ୍ବଇଠାରେ ୯୮ ବର୍ଷ ବୟସରେ ନିଧନ ହୋଇଛି।ତାଙ୍କର ଦୁଇ ଝିଅ ଜୟଶ୍ରୀ ମୋହତା ଏବଂ ମଞ୍ଜୁଶ୍ରୀ ଖୈତାନ ରହିଛନ୍ତି।
ସୁନାରୁପା ସର୍ବକାଳୀନ ରେକର୍ଡ : ଚଳିତବର୍ଷ ସୁନା ଦର ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଥିଲା। ଆମେରିକା-ଚୀନ୍ ବାଣିଜ୍ୟ ଯୁଦ୍ଧ ସହ ବିଶ୍ବ ଜାରରେ ଲାଗି ରହିଥିବା ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ବିଶ୍ବ ପୁଞ୍ଜି ବଜାର ଉପରେ ପଡିଥିଲା। ଏଥିଯୋଗୁ ଷ୍ଟକ ବଜାରରେ ନିବେଶକଙ୍କ ଲାଗି ସୁନା ଏକ ନିର୍ଭରଶୀଳ ନିବେଶ ମାଧ୍ୟମରେ ପରିଣତ ହୋଇଥିଲା। ଏହାଫଳରେ ବଜାରରେ ନିବେଶକଙ୍କ ନିକଟରେ ସୁନା ଚାହିଦାରେ ଅହେତୁକ ବୃଦ୍ଧି ଘଟିବା ଯୋଗୁ ଏହି ଧାତୁର ମୂଲ୍ୟ ବୃଦ୍ଧି ଘଟିଥିଲା। ଚଳିତବର୍ଷର ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ରେକର୍ଡ ୪୦,୦୦୦ ଟଙ୍କା ଛୁଇଁବା ସହ ରୁପା କିଲୋ ପିଛା ୫୦,୦୦୦ ଟଙ୍କା ଛୁଇଁଥିଲା।
ଖୁଚୁରା ବୋଝ : ଚଳିତବର୍ଷ ସାରା ରାଜ୍ୟରେ ଅତ୍ୟଧିକ କଏନ୍କୁ ନେଇ ଅନେକ ସ୍ଥାନରେ ସମସ୍ୟା ଦେଖାଦେଇଛି। ବିଶେଷ କରି ଏହି ସମସ୍ୟା ବ୍ୟବସାୟୀ ଆଉ ଗ୍ରାହକଙ୍କ ମଧ୍ୟରେ ହୋଇଥିଲା। କେଉଁଠି ଲୋକେ ବ୍ୟବସାୟୀଙ୍କଠାରୁ କଏନ୍ ନେବାକୁ ଅମଙ୍ଗ ତ କେଉଁଠି ବ୍ୟବସାୟୀ କଏନ୍ ଗ୍ରହଣ କରିବାକୁ ରାଜି ନୁହନ୍ତି। ବଜାରରେ ଅତ୍ୟଧିକ କଏନ୍ର ଉପଲବ୍ଧତା ଯୋଗୁ ଏଭଳି ପରିସ୍ଥିତି ଦେଖାଦେଇଥିବା କୁହାଯାଉଛି। ତେବେ କେତେକ ସ୍ଥାନରେ ଛୋଟ ଆକାରର ଏକ ଟଙ୍କିଆ କଏନ୍କୁ ନେଇ ଦ୍ୱନ୍ଦ୍ବ ସୃଷ୍ଟି ହୋଇଥିଲା। ଏହି ନିର୍ଦିଷ୍ଟ ମୁଦ୍ରାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ବୈଧ ଦର୍ଶାଇଛି। ଏହାକୁ ଗ୍ରହଣ ନ କରିବା ଦଣ୍ଡନୀୟ। ତେବେ ବଜାର କାରବାର କ୍ଷେତ୍ରରେ ୫୦ ପଇସା ହେଉ କି ୧ ଟଙ୍କିଆ କଏନ୍ ଏହି ଛୋଟ ମୁଦ୍ରାର ବେଶ ଗୁରୁତ୍ୱ ରହିଛି।
ସେନ୍ସେକ୍ସରେ ନୂଆ ରେକର୍ଡ : ଚଳିତବର୍ଷ ଘରୋଇ ପୁଞ୍ଜି ବଜାରରେ ଉତ୍ସାହ ଦେଖିବାକୁ ମିଳିଛି। ଏଥିଯୋଗୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍ଇ) ସେନ୍ସେକ୍ସ ନୂଆ ରେକର୍ଡ ପଏଣ୍ଟ ସ୍ତରରେ କାରବାର କରିଛି। ୨୦୧୯ରେ ସେନ୍ସେକ୍ସ ରେକର୍ଡ ପାଖାପାଖି ୪୧,୦୦୦ ପଏଣ୍ଟ ସ୍ତର ଛୁଇଁଥିଲା। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୧୫୯.୩୫ ପଏଣ୍ଟ ବୃଦ୍ଧି ଘଟି ୧୨,୦୭୩.୭୫ ପଏଣ୍ଟରେ କାରବାର ଶେଷ ହୋଇଛି। ସୋମବାର କାରବାରରେ ସେନ୍ସେକ୍ସର ସମସ୍ତ କ୍ଷେତ୍ରର ସେୟାର ମୂଲ୍ୟରେ ଅଧିକ ବୃଦ୍ଧି ପରିଲକ୍ଷିତ ହୋଇଥିଲା।
ପଳାତକ ଆର୍ଥିକ ଅପରାଧୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍ବି)ରେ ସଂଘଟିତ ୧୪ ହଜାର କୋଟି ଟଙ୍କାର ମହାଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରାଯାଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ଅପିଲ ଉପରେ ମୁମ୍ୱଇର ଏକ ସ୍ୱତନ୍ତ୍ର କୋର୍ଟ ନିରବଙ୍କୁୁ ପଳାତକ ଆର୍ଥିକ ଅପରାଧୀ ଭାବେ ଅଭିହିତ କରିଛନ୍ତି । ବହୁ କୋଟିର ଟଙ୍କାର ବ୍ୟାଙ୍କ ଋଣ ଠକେଇ ଘଟଣା ସହ ଜଡିତ କିଙ୍ଗଫିଶର ଏୟାରଲାଇନ୍ସର ପୂର୍ବତନ ମୁଖ୍ୟ ବିଜୟ ମାଲ୍ୟାଙ୍କ ପରେ ନିରବ ମୋଦୀ ଦ୍ୱିତୀୟ ବ୍ୟବସାୟୀ ଯାହାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରାଯାଇଛି। ନିରବକୁ ଚଳିତବର୍ଷ ମାର୍ଚ୍ଚ ମାସରେ ଲଣ୍ଡନରେ ଗିରଫ କରାଯାଇଥିଲା ଏବଂ ତାଙ୍କର ପ୍ରତ୍ୟର୍ପଣ ପ୍ରକ୍ରିୟା ବିଳମ୍ବିତ ହେଉଛି । ଏହାଛଡା ମଦ ସମ୍ରାଟ୍ ବିଜୟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ ମାମଲା ଏବେ ଜୋର ଧରିଛି।
ଚାପ ବଢ଼ାଇଛି ଜିଡିପି : ମୋଟ ଘରୋଇ ଉତ୍ପାଦ (ଜିଡିପି) ତଥ୍ୟକୁ ବର୍ଷ ତମାମ୍ ସରକାର ଚିନ୍ତାରେ ରହିଥିଲେ। ଆର୍ଥିକବର୍ଷର ପ୍ରତି ତ୍ରୈମାସରେ ଜିଡିପିରେ ହ୍ରାସ ଘଟିବାରେ ଲାଗିଛି। ଏମିତିକି ଚଳିତ ଆର୍ଥିକବର୍ଷର ଦ୍ବିତୀୟ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ସମ୍ପର୍କିତ ତଥ୍ୟ ୪.୫%କୁ ଖସିଆସିବାର ନକାରାତ୍ମକ ପ୍ରଭାବ ପଡିଛି ଘରୋଇ ପୁଞ୍ଜିବଜାର ଉପରେ। ରିଜର୍ଭ ବ୍ୟାଙ୍କ ମଧ୍ୟ ଏହାର ଅଭିବୃଦ୍ଧି ଆକଳନରେ ହ୍ରାସ ଘଟାଇଛି।
ପିଆଜ ଚିନ୍ତା : ଚଳିତବର୍ଷର ଶେଷ ଆଡକୁ ପିଆଜ ଦର ବୃଦ୍ଧି ସବୁଠାରୁ ବଡ ଚର୍ଚ୍ଚାର ବିଷୟ ରହିଛି । ପିଆଜର ଅତ୍ୟଧିକ ଦର ବୃଦ୍ଧି ସାରା ଦେଶରେ ଖାଉଟିଙ୍କୁ କନ୍ଦାଇବାରେ ଲାଗିଛି। ଅଧିକାଂଶ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ପିଆଜ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ମହାରାଷ୍ଟ୍ର ନାସିକ୍ ଭଳି ପାଇକାରୀ ପେଣ୍ଠସ୍ଥଳଗୁଡିକରେ ଦର ଉଚ୍ଚା ରହିଥିବା ଯୋଗୁ ଘରୋଇ ଖୁଚୁରା ବଜାରରେ ଏହାର ମୂଲ୍ୟ ଅଧିକ ହୋଇଥିଲା। ସେପ୍ଟେମ୍ବରରେ ପିଆଜ କିଲୋ ୩୦ ଟଙ୍କାରୁ ବୃଦ୍ଧି ଘଟି ଡିସେମ୍ବରରେ ଦେଢଶହ ଟଙ୍କା ଛୁଇଁଛି । ପରିସ୍ଥିତି ଏଭଳି ହୋଇଥିବା ଦର ଉପରେ ଲଗାମ କଷିବା ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଏହାଛଡା ଯୋଗାଣ ଜନିତ ସମସ୍ୟା ଏହାର ଅନ୍ୟତମ ପ୍ରମୁଖ କାରଣ ରହିଥିଲା। ସୁଲଭ ମୂଲ୍ୟ ଦୋକାନ ଜରିଆରେ ରାଜ୍ୟ ସରକାର ପିଆଜ ବିକ୍ରି କରିବାକୁ ପ୍ରୟାସ କରିଥିଲେ ସୁଦ୍ଧା ଏହା ସେଭଳି ଫଳପ୍ରଦ ହୋଇ ନ ଥିଲା।
ଦୋହଲିଗଲା ଅଟୋ କ୍ଷେତ୍ର : ଆମେରିକା ଏବଂ ଚୀନ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଏବଂ କେତେକ ଘରୋଇ କ୍ଷେତ୍ରର କାରକଯୋଗୁ ଚଳିତବର୍ଷ ଦେଶରେ ଘୋର ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି। ଏଥିଯୋଗୁ ପ୍ରଭାବିତ ହୋଇଛି ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି। ମାନ୍ଦାବସ୍ଥା ଯୋଗୁ କମ୍ପାନୀଗୁଡିକ କର୍ମଚାରୀ ଛଟେଇ କରିବା ପନ୍ଥା ଆପଣାଇଛନ୍ତି। ଆର୍ଥିକ ମାନ୍ଦାବସ୍ଥାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଦେଶର ଅଟୋ କ୍ଷେତ୍ର । ଅଟୋ କ୍ଷେତ୍ରରେ ବିକ୍ରି ରେକର୍ଡ ସ୍ତରକୁ ଖସିଆସିଛି। ପ୍ରତ୍ୟେକ ମାସରେ ଅଟୋ ବିକ୍ରି କ୍ଷେତ୍ରରେ ହ୍ରାସ ଘଟିବା ନିର୍ମାତାଙ୍କ ପାଇଁ ବଡ ଆହ୍ବାନ ସୃଷ୍ଟି କରିଥିଲା । ଏଥିରେ ଅଧିକ ପ୍ରଭାବିତ ହୋଇଥିଲେ ଦେଶର ଅଟୋ ଯନ୍ତ୍ରାଂଶ ନିର୍ମାତା। ଏମିତିକି କେତେକ ଅଟୋ ଯନ୍ତ୍ରାଂଶ ନିର୍ମାଣକାରୀ କମ୍ପାନୀରେ ତାଲା ପଡିଯାଇଥିଲା । ଦେଶର ଅର୍ଥନୀତି ସମ୍ପ୍ରତି ଆଇସିୟୁକୁ ଚାଲିଯାଇଥିବା ପୂର୍ବତନ ମୁଖ୍ୟ ଆର୍ଥିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣିଆନ୍ କହିଛନ୍ତି। ଭାରତର ଅର୍ଥନୀତିର ମୂଳଦୁଆ ସୁଦୃଢ ରହିଛି। ଏହା ଉପରେ ଆର୍ଥିକ ମାନ୍ଦାବସ୍ଥାର କୌଣସି ପ୍ରକାର ପ୍ରଭାବ ପଡିବନାହିଁ ବୋଲି କେନ୍ଦ୍ର ସରକାର ଏବଂ ଖୋଦ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବାରମ୍ବାର କହିଥିଲେ ସୁଦ୍ଧା ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ପ୍ରମାଣ କରୁଥିବା ଭାରତରେ ମାନ୍ଦାବସ୍ଥାର ପ୍ରଭାବ କିଭଳି ରହିଛି। ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଅଟୋ କମ୍ପାନୀଗୁଡିକ ପାର୍ବଣ ଋୁତୁରେ ଗ୍ରାହକଙ୍କ ପାଇଁ ରିଆତି ବର୍ଷା କରିଥିଲେ। ଫଳସ୍ବରୂପ ଅକ୍ଟୋବରରେ ଅଟୋ ବିକ୍ରିରେ କେତେକାଂଶରେ ସୁଫଳ ମିଳିଥିଲା।
ବଢ଼ିଲାନି ସୁଧହାର: ଚଳିତବର୍ଷ ଦେଶର ଆର୍ଥିକ ସ୍ଥିତି ଭଲ ରହି ନ ଥିବା ଯୋଗୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଷଷ୍ଠଥର ପାଇଁ ଏହାର ସୁଧହାରକୁ ଅପରିବର୍ତ୍ତିତ ରଖିଛି। ଚଳିତ ଆର୍ଥକବର୍ଷ ପାଇଁ ରିଜର୍ଭ ବ୍ୟାଙ୍କର ୫ମ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ଅନୁଷ୍ଠିତ ହୋଇସାରିଛି। କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ଆର୍ଥିକବର୍ଷ ପାଇଁ ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ୬.୧ ପ୍ରତିଶତରୁ ୫%କୁ ହ୍ରାସ ଘଟାଇଛି । ଜିଡିପି ଅଭିବୃଦ୍ଧି ୬ ବର୍ଷରେ ସର୍ବନିମ୍ନ ସ୍ତରରେ ପହଞ୍ଚିବା ଏବଂ ରେଟିଂ ଏଜେନ୍ସିଗୁଡିକ ଦ୍ୱାରା ଅଭିବୃଦ୍ଧି ଆକଳନରେ ହ୍ରାସ ପରେ ଅର୍ଥନୀତିକୁ ନେଇ ସାଧାରଣ ଲୋକଙ୍କ ମନରେ ଚିନ୍ତା ଆହୁରି ବଢିଯାଇଛି ।
ସମସ୍ୟାରେ ଟେଲିକମ୍ ଶିଳ୍ପ : ବର୍ଷ ୨୦୧୯ରେ ଟେଲିକମ୍ ଶିଳ୍ପ ଘୋର ଆର୍ଥିକ ସମସ୍ୟା ଦେଇ ଗତି କରିଛି। ବର୍ଷ ତମାମ୍ ଟେଲିକମ୍ ଅପରେଟରମାନେ ରାଜସ୍ବକୁ ନେଇ ଘୋର ଚିନ୍ତିତ ଥିଲେ। ରିଲାଏନ୍ସ ଜିଓର ବଜାରରେ ପ୍ରଭାବ ବିସ୍ତାର ଅନ୍ୟ ପ୍ରତିଦ୍ବନ୍ଦ୍ବୀ କମ୍ପାନୀଙ୍କୁ ଅଡୁଆରେ ପକାଇଥିଲା। ତେବେ ଟାରିଫ୍ ମୂଲ୍ୟକୁ ନେଇ ଟେଲିକମ୍ କମ୍ପାନୀ ସବୁ ସମୟରେ ଅସନ୍ତୋଷ ପ୍ରକାଶ କରୁୁଥିଲେ। କେତୋଟି ତ୍ରୈୖମାସରେ କମ୍ପାନୀଗୁଡିକ ରାଜସ୍ବ ଜନିତ ପରିସ୍ଥିତିର ସମ୍ମୁଖୀନ ହୋଇ ଆର୍ଥିକ ଚାପରେ ରହୁଥିଲେ।
ଚର୍ଚ୍ଚାରେ ଆର୍ସିଇପି : ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ସହଭାଗିତା (ଆର୍ସିଇପି) ଚୁକ୍ତି ଚଳିତବର୍ଷ ମୁଖ୍ୟ ଚର୍ଚ୍ଚାର ବିଷୟ ରହିଥିଲା । ଏହି ମେଣ୍ଟରେ ଭାରତ ସାମିଲ ହେବ ନାହିଁ ବୋଲି ନେଇ ନିଷ୍ପତ୍ତି ନେଇଛି। ଆର୍ସିଇପି ଚୁକ୍ତି ନିଜର ମୂଳ ଉଦ୍ଦେଶ୍ୟକୁ ଦର୍ଶାଉ ନାହିଁ । ଭାରତ ଏହି ରାଜିନାମା ପାଇଁ କିଛି ନୂଆ ଦାବି ରଖିଥିଲା। ଭାରତର ଯୁକ୍ତି ହେଉଛି ଏହି ରାଜିନାମାରେ ଚୀନର ପ୍ରଭୁତ୍ୱ ନ ରହିବା ଦରକାର, ନ ହେଲେ ଭାରତକୁ ବ୍ୟାବସାୟିକ କ୍ଷତି ସହିବାକୁ ପଡିବ । ଭାରତୀୟ ସେବା ଏବଂ ନିବେଶ ପାଇଁ ବିଶ୍ୱ ବଜାର ଖୋଲିବାର ଆବଶ୍ୟକତା ଉପରେ ଜୋର ଦିଆଯାଇଛି ।
Comments are closed.