ସୁପ୍ରିମକୋର୍ଟଙ୍କ ଅଭୂତପୂର୍ବ କାର୍ଯ୍ୟ; ୫ ଦିନରେ ୨୦ ରାୟ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଚଳିତ ସପ୍ତାହରେ ମାତ୍ର ୫ ଦିନରେ ୨୦ଟି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରି ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ପ୍ରଧାନ ବିଚାରପତି ଭାବେ ନ୍ୟାୟମୂର୍ତ୍ତି ଦୀପକ ମିଶ୍ରଙ୍କ କାର୍ଯ୍ୟକାଳର ଅନ୍ତିମ ୫ ଦିନରେ ତାଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଆଧାରର ସାମ୍ବିଧାନିକ ବୈଧତା, ବ୍ୟଭିଚାର ଆଇନରେ ପକ୍ଷପାତିତା, ରାଜନୀତିର ଅପରାଧିକରଣ ଏବଂ ସାମାଜିକ କର୍ମୀଙ୍କ ଅଧିକାର ମାମଲା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ବନ୍ଧୀୟ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଏହାକୁ ନେଇ ସୁପ୍ରିମକୋର୍ଟ ଏହି ସମୟରେ ଅତ୍ୟନ୍ତ ଚଳଚଞ୍ଚଳ ହୋଇଉଠିଥିଲା।
ସେପ୍ଟେମ୍ବର ୨୫ରେ ପ୍ରଧାନ ବିଚାରପତି ମିଶ୍ର ରାଜନୀତିର ଅପରାଧିକରଣ ଉପରେ ଚିନ୍ତାବ୍ୟକ୍ତ କରିଥିଲେ। ମାତ୍ର ଅଭିଯୁକ୍ତ ନେତାଙ୍କୁ ନିର୍ବାଚନ ଲଢିବାରୁ ବାରଣ କରିପାରିବୁ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଏ ନେଇ ନୀତିନିୟମ ପ୍ରସ୍ତୁତ କରିବାର ଅଧିକାର ସଂସଦ ନିକଟରେ ନିହିତ ବୋଲି ପୀଠ ଦର୍ଶାଇଥିଲେ। ଏହାର ଠିକ୍ ଗୋଟିଏ ଦିନ ପରେ ସେପ୍ଟେମ୍ବର ୨୬ରେ ପ୍ରଧାନ ବିଚାରପତିଙ୍କ ପୀଠ ଏକ ଗୁରୁତ୍ୱପୂର୍ଣ୍ଣ ରାୟ କ୍ରମେ ଆଧାରକୁ ସାମ୍ବିଧାନିକ ଭାବେ ବୈଧ ବୋଲି ଘୋଷଣା କରି ଦୀର୍ଘ ଦିନ ଧରି ଲାଗି ରହିଥିବା ବିତର୍କର ଅବସାନ କରିଥିଲେ। ଏଥିସହ ଶୁଣାଣିଗୁଡିକର ସିଧାପ୍ରସାରଣକୁ ସବୁଜ ସଙ୍କେତ ଦେଇ ବିଚାର ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଏବଂ ନିରପେକ୍ଷ କରିବା ଦିଗରେ ପ୍ରଥମ ପଦକ୍ଷେପ ଉଠାଇଥିଲେ ଏହି ପୀଠ। ସେହିଭଳି ଏସ୍ଟି/ଏସ୍ସିଙ୍କୁ ପଦୋନ୍ନତିରେ ସଂରକ୍ଷଣ ସମ୍ବନ୍ଧୀୟ ଅନ୍ୟ ଏକ ମାମଲାରେ ନିଜର ପୂର୍ବ ସର୍ତ୍ତକୁ ବଳବତ୍ତର ରଖିଥିଲେ ସୁପ୍ରିମକୋର୍ଟ। ଏହି ରାୟଗୁଡିକୁ ନେଇ ଦେଶବ୍ୟାପୀ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିବା ବେଳେ ତହିଁ ପରଦିନ ଅର୍ଥାତ ସେପ୍ଟେମ୍ବର ୨୭ରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ପୀଠ ବ୍ୟଭିଚାର ଅଇନ (ଭାରତୀୟ ପିଙ୍ଗଳ କୋଡ୍ ଦାରା ୪୯୭) ଉଚ୍ଛେଦ କରି ସ୍ୱାମୀ ସ୍ତ୍ରୀଙ୍କର ମାଲିକ ନୁହନ୍ତି ଏବଂ ଲିଙ୍ଗଗତ ସମାନତା ସର୍ବୋପରି ବୋଲି ରାୟ ଦେଇଥିଲେ। ମସ୍ଜିଦ୍ ଇସ୍ଲାମର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ନୁହେଁ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସମୀକ୍ଷା କରିବାକୁ ମନା କରି ପୀଠ ଅଯୋଧ୍ୟା ବିବାଦ ସମ୍ବନ୍ଧୀୟ ମୂଳ ମାମଲାର ଶୁଣାଣି ଆରମ୍ଭ କରିବାର ପଥ ଉନ୍ମୁକ୍ତ କରିଥିଲେ।
ସେପ୍ଟେମ୍ବର ୨୮ରେ ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ଥିବା କଟକଣା ଉଠାଇବା ପରେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ପୀଠଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀର ପରିସମାପ୍ତ ଘଟିଥିଲା। ଏହି ଦିନ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ପୀଠ ସାମାଜିକକର୍ମୀଙ୍କ ଅଧିକାର ସମ୍ବନ୍ଧୀୟ ମାମଲାରେ ରାୟ ପ୍ରକାଶ କରିଥିଲେ। କୌଣସି ପ୍ରଧାନ ବିଚାରପତି ତାଙ୍କ କାର୍ଯ୍ୟକାଳର ଅନ୍ତିମ ୫ ଦିନରେ ଏତେ ସଂଖ୍ୟକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ପ୍ରଦାନ କରିବା ଅଭୂତପୂର୍ବ ବୋଲି ଆଇନ ବିଶେଷଜ୍ଞ ଏବଂ ଆଇନଜୀବୀମାନେ ମତ ଦେଇଛନ୍ତି। ପ୍ରଧାନ ବିଚାରପତି ମିଶ୍ର ଅକ୍ଟୋବର ୨ରେ ଅବସର ଗ୍ରହଣ କରିବେ। ଅକ୍ଟୋବର ୧ରେ ସେ କୋର୍ଟ-୧ରେ ପ୍ରଧାନ ବିଚାରପତି ଭାବେ ଆସନ ଗ୍ରହଣ କରିବେ; କିନ୍ତୁ ସେ ପରବର୍ତ୍ତୀ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ପୀଠର ସଦସ୍ୟ ରହିବେ। ଉତ୍ତରପୂର୍ବ ଭାରତର ପ୍ରଥମ ନ୍ୟାୟମୂର୍ତ୍ତି ଭାବେ ବିଚାରପତି ଗୋଗୋଇ ପ୍ରଧାନ ବିଚାରପତି ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି। ଅକ୍ଟୋବର ୩ରେ ସେ ଶପଥ ଗ୍ରହଣ କରିବେ। ୧୩ ମାସ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ।