ଯୁକ୍ତ ୨ ବିଜ୍ଞାନରେ ପାସ୍ ହାର ୭୬.୯୮%
ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୮ର ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍ ହାର ୭୬.୯୮% ରହିଛି।
ଗତ ବର୍ଷ ତୁଳନାରେ ପାସ୍ ହାର କମିଛି। ଗତ ବର୍ଷ ପାସ୍ ହାର ଥିଲା ୮୧.୧୧%।
ଏଥର ମଧ୍ୟ ଛାତ୍ରୀମାନେ ଛାତ୍ରଙ୍କୁ ପଛରେ ପକାଇ ଦେଇଛନ୍ତି। ଛାତ୍ରଙ୍କ ପାସ୍ ହାର ୭୫.୬୯% ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୭୮.୮୮ ରହିଛି। ମୋଟ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ୪୨,୮୮୬ ଜଣ ଛାତ୍ର ପାସ୍ କରିଥିବା ବେଳେ ୩୦,୩୨୫ ଜଣ ଛାତ୍ରୀ ପାସ୍ କରିଛନ୍ତି।
ଭୁବନେଶ୍ୱରସ୍ଥିତ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି।
ଚଳିତ ବର୍ଷ ମୋଟ ୯୫,୦୯୬ ଜଣ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିବା ବେଳେ ୭୩,୨୧୧ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୯,୫୬୧ ଜଣ ପ୍ରଥମ ଶ୍ରେଣୀରେ, ଦ୍ୱିତୀୟ ଶ୍ରେଣୀରେ ୨୪,୧୬୪ ଜଣ ଓ ତୃତୀୟ ଶ୍ରେଣୀରେ ୨୮,୯୬୮ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
ନୟାଗଡ଼ ଜିଲାରେ ପାସ୍ ହାର ସର୍ବାଧିକ ୯୨.୨୩% ଥିବା ବେଳେ ଗଜପତି ଜିଲାରେ ପାସ୍ ହାର ସର୍ବନିମ୍ନ ୪୩.୪୩% ରହିଛି। ୨୮ ଜଣ ଛାତ୍ର ଓ ୧୩ ଜଣ ଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ପାସ୍ କରିଛନ୍ତି।
ଗତ ମାର୍ଚ୍ଚ ୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ୧୧୦୪ଟି ପରୀକ୍ଷା କେନ୍ଦ୍ରରେ ୩,୬୫,୮୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।