୨୫ବର୍ଷର ପୁରୁଣା ୨ଲକ୍ଷ ମାମଲା ବିଚାରାଧୀନ ଅଛି: ପ୍ରଧାନ ବିଚାରପତି

ଗୁଆହାଟି: ଦେଶର ବିଭିନ୍ନ ଅଦାଲତରେ ୨୫ବର୍ଷର ପୁରୁଣା ୨ଲକ୍ଷ ମାମଲା ବିଚାରାଧୀନ ରହିଛି। ସେହିପରି ୫୦ବର୍ଷରୁ ଅଧିକ ପୁରୁଣା ୧୦୦୦ ମାମଲା ବିଚାରାଧୀନ ରହିଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ କହିଛନ୍ତି। ଗୌହାଟି ହାଇକୋର୍ଟର ସମ୍ମିଳନୀ କକ୍ଷର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗ ଦେଇ ଜଷ୍ଟିସ ଗୋଗଇ କହିଛନ୍ତି ଯେ ବହୁ ସଂଖ୍ୟାରେ ମାମଲା ବିଚାରାଧୀନ ରହିବା ନେଇ ନ୍ୟାୟପାଳିକାକୁ ସମାଲୋଚନା କରାଯାଉଛି। ତେବେ ଏହି ବିଳମ୍ବ ପାଇଁ କେବଳ ନ୍ୟାୟପାଳିକା ନୁହେଁ; ବରଂ କାର୍ଯ୍ୟପାଳିକା ମଧ୍ୟ ଅନୁରୂପ ଭାବେ ଦାୟୀ। ପ୍ରଧାନ ବିଚାରପତି କହିଛନ୍ତି ଯେ ୯୦ଲକ୍ଷ ସିଭିଲ୍ ମାମଲା ବିଚାରାଧୀନ ରହିଛି। ଏଥିରୁ ୨୦ଲକ୍ଷ ମାମଲାର ସମନ ଏ ପର୍ଯ୍ୟନ୍ତ ଜାରି କରାଯାଇ ନାହିଁ। ସେହିପରି ୨କୋଟି ୧୦ଲକ୍ଷ ଫୌଜଦାରୀ ମାମଲା ବିଚାରାଧୀନ ରହିଥିବାବେଳେ ୧କୋଟି ମାମଲାରେ ସମନ ଜାରି ହୋଇ ନାହିଁ। ପ୍ରଧାନ ବିଚାରପତି କହିଛନ୍ତି ଯେ କାର୍ଯ୍ୟପାଳିକାର ଦାୟିତ୍ବ ହେଉଛି ସମନ ଜାରି କରିବା। ଯଦି ସମନ ଜାରି କରା ନ ଯିବ; ତେବେ ବିଚାରପତି ମାମଲାର ବିଚାର କିପରି ଆରମ୍ଭ କରିବେ। ବିଚାରାଧୀନ ଫୌଜଦାରୀ ମାମଲା ମଧ୍ୟରୁ ୪୫ ଲକ୍ଷ ହେଉଛି ଛୋଟ ମାମଲା। ଜୁଲାଇ ୧୦ରେ ପ୍ରଧାନ ବିଚାରପତି ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସମ୍ବୋଧନ ବେଳେ ପୁରୁଣା ମାମଲାଗୁଡିକର ବିଚାର ଶେଷ କରିବାକୁ ପରାମର୍ଶ ଦେଇଥିଲେ। ବିଚାରପତିମାନଙ୍କର ଅବସର ବୟସ ୬୨ବର୍ଷରୁ ୬୫ ବର୍ଷକୁ ବୃଦ୍ଧି କରିବା ପ୍ରସ୍ତାବକୁ ସରକାର ଗ୍ରହଣ କରିବେ ବୋଲି ପ୍ରଧାନ ବିଚାରପତି ଆଶା ବ୍ୟକ୍ତ କରିଛନ୍ତି। ଏହି ବର୍ଦ୍ଧିତ ସମୟ ମଧ୍ୟରେ ବିଭିନ୍ନ ହାଇକୋର୍ଟରେ ଖାଲି ଥିବା ୪୦୩ ବିଚାରପତି ପଦ ପୂରଣ କରାଯିବ। ପ୍ରଧାନ ବିଚାରପତି କହିଛନ୍ତି ଯେ ବିଚାର ବିଭାଗୀୟ ଅଦାଲତଗୁଡିକରେ ୪୦୦୦ ପଦ ପୂରଣ କରାଯାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ୧୫୦୦ ପଦ ପୂରଣ କରାଯିବ। ପ୍ରଧାନ ବିଚାରପତି କହିଛନ୍ତି ଯେ ବର୍ତ୍ତମାନ ସମୟରେ କେତେକ ବ୍ୟକ୍ତି ବିଶେଷ ଓ ଗୋଷ୍ଠୀ କଳହ ସୃଷ୍ଟି କରିବା ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ତେବେ ନ୍ୟାୟପାଳିକାର କଠୋରତା ଏହାକୁ ପ୍ରତିହତ କରିବାରେ ସଫଳ ହେବ।

Comments are closed.