+୨ ନାମଲେଖା : ଅନ୍ୟ କଲେଜକୁ ସ୍ଥାନାନ୍ତର ନିୟମରେ ସଂଶୋଧନ

0

ଭୁବନେଶ୍ୱର : ଯୁକ୍ତ ୨ରେ ଅଧ୍ୟୟନ ଛାତ୍ରଛାତ୍ରୀଙ୍କ ବିଭିନ୍ନ କାରଣରୁ ନାମ ଲେଖାଇଥିବା କଲେଜରୁ ଅନ୍ୟ କଲେଜକୁ ସ୍ଥାନାନ୍ତର ହୋଇଥାନ୍ତି। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ମାସ ୨୯ ତାରିଖରେ ନିୟମାବଳୀ ଜାରି କରାଯାଇଥିଲା। ସୂଚନାଯୋଗ୍ୟ ଯେ ଏଥିପାଇଁ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଅକ୍ଟୋବର ୧ରୁ ୩୧ ତାରିଖ ମଧ୍ୟରେ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ସେପ୍ଟେମ୍ବର ୧ରୁ ୩୦ ତାରିଖ ମଧ୍ୟରେ ଉଚ୍ଚ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଅନୁମତି ଆଣିବାକୁ ପଡିବ। ଛାତ୍ରଛାତ୍ରୀ ସ୍ଥାନାନ୍ତର ହେବାକୁ ଚାହୁଥିବା କଲେଜରେ ସିଟ୍‌ ଖାଲିଥିଲେ ଅନୁମତି ଦିଆଯିବ। ନିୟମାନୁସାରେ ଅଭିଭାବକଙ୍କ ମୃତ୍ୟୁ କିମ୍ବା ଅନ୍ୟତ୍ର ବଦଳି କ୍ଷେତ୍ରରେ ସେମାନଙ୍କ ପିଲାମାନେ ଅନ୍ୟ କଲେଜକୁ ସ୍ଥାନାନ୍ତର ହୋଇପାରିବେ। ସେହିପରି ଚିକିତ୍ସା ପାଇଁ କିମ୍ବା ପାଠ ପଢୁଥିବା ବେଳେ ଛାତ୍ରୀଙ୍କ ବିବାହ କ୍ଷେତ୍ରରେ ଏହା ଲାଗୁ ହେବ। ଗୋଟିଏ କଲେଜରୁ ଅନ୍ୟ କଲେଜକୁ ସ୍ଥାନାନ୍ତର ସମ୍ପର୍କିତ ସମସ୍ତ ବିବରଣୀ ବିଭାଗୀୟ ଓ ସାମ୍‌ସ ୱେବସାଇଟରେ ଉପଲବ୍ଧ ଅଛି। ତେବେ ସ୍ଥାନାନ୍ତର ନିୟମ ସମ୍ପର୍କିତ ବିବରଣୀର କ୍ରମିକ ସଂଖ୍ୟା ୮ରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିବା ନେଇ ଶୁକ୍ରବାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ସଂଶୋଧିତ ବିଜ୍ଞପ୍ତି ଅନୁସାରେ ଯେଉଁମାନେ ସ୍ଥାନାନ୍ତର ପାଇଁ ଅନଲାଇନରେ ଆବେଦନ କରିବେ ସେମାନଙ୍କୁ ନିକଟସ୍ଥ ନୋଡାଲ ସେଣ୍ଟରକୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡିବ। ନୋଡାଲ ସେଣ୍ଟର ଅଧିକାରୀ ୱେବସାଇଟରେ ଅପଲୋଡ ହୋଇଥିବା ସମସ୍ତ ପ୍ରମାଣପତ୍ରର ଯାଞ୍ଚ କରିବା ସହ ମୂଳ ପ୍ରମାଣପତ୍ର ମଧ୍ୟ ଯାଞ୍ଚ କରିବେ। ଏହାପରେ ସମସ୍ତ ପ୍ରମାଣପତ୍ର ଉଚ୍ଚଶିକ୍ଷା ବିଭାଗ ନିର୍ଦେଶାଳୟକୁ ସାମ୍‌ସ ପୋର୍ଟାଲ ମାଧ୍ୟମରେ ପଠାଯିବ। ସମସ୍ତ ପ୍ରମାଣପତ୍ର ଠିକ୍‌ ଥିଲେ ସ୍ଥାନାନ୍ତର ହେବାକୁ ଥିବା ଶିକ୍ଷାନୁଷ୍ଠାନକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବା ଲାଗି ନିର୍ଦେଶ ଦିଆଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Leave A Reply