ଦୀପିକା ପାଦୁକୋନ ରହୁଥିବା ଅଟ୍ଟାଳିକାରେ ଅଗ୍ନିକାଣ୍ଡ
ମୁମ୍ବଇ: ମୁମ୍ବଇର ୱର୍ଲି ଅଞ୍ଚଳର ଏକ ଉଚ୍ଚ ଅଟ୍ଟାଳିକାର ସବା ଉପର ମହଲାରେ ଅଗ୍ନିକାଣ୍ଡ ଘଟିଛି। ସେହି ଫ୍ଲାଟ୍ରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବକ୍ତି ରହୁଛନ୍ତି। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ଫ୍ଲାଟ୍ରେ ରହୁଥିବା ୯୦ ଜଣଙ୍କୁ ପୁଲିସ ସୁରକ୍ଷିତ ଭାବେ ଉଦ୍ଧାର କରିପାରିଛି। ନିଆଁକୁ ଆୟତ୍ତ କରିବା ପାଇଁ ପୁଲିସ୍ ଓ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛନ୍ତି।
ପୁଲିସ ସୂଚନା ଅନୁଯାୟୀ ଅପରାହ୍ଣ ପ୍ରାୟ ୨ଟା ବେଳେ ଅଟ୍ଟାଳିକାର ୩୩ତମ ମହଲାରେ ନିଅାଁ ଲାଗିଥିଲା। ତା’ ପରେ ଉପର ଦୁଇ ମହଲାକୁ ନିଅାଁ ବ୍ୟାପି ଯାଇଥିଲା। ୫ଟି ଦମକଳ ଗାଡ଼ିକୁ ସଙ୍ଗେ ସଙ୍ଗେ ସେଠାକୁ ପଠାଯାଇଥିଲା। ଜୁନ୍ ପ୍ରଥମ ସପ୍ତାହରେ ମଧ୍ୟ ଦକ୍ଷିଣ ମୁମ୍ବଇର ସିନ୍ଧିଆ ହାଉସ ସ୍ଥିତ ଆୟକର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିଲା। କିନ୍ତୁ ସେଥିରେ କେହି ମୃତାହତ ହୋଇ ନ ଥିଲେ। ସେହିପରି ଗତ ବର୍ଷ ଅକ୍ଟୋବର ମାସରେ ଐଶ୍ୱର୍ଯ୍ୟା ରାୟଙ୍କ ମା’ ରହୁଥିବା ବାନ୍ଦ୍ରା ଅଞ୍ଚଳରେ ଲେ ମେର କୋଠାରେ ଅଗ୍ନିକାଣ୍ଡ ଘଟିଥିଲା।