ଆନନ୍ଦରେ ନାଚି ପକାଇଲା ଆଧାର ନଥିବା ଦିବ୍ୟାଙ୍ଗ ଟନିଆ- ଟିକା ପାଇଁ କେତେ ହୋଇଥିଲେ କାକୁତି ମୀନତି
ଚୌଦ୍ୱାର (ନି.ପ୍ର.): କରାନାରୁ ସୁରକ୍ଷା ଦେବାପାଇଁ ସରକାରଙ୍କ ତରଫରୁ ଟିକାଦାନର ବ୍ୟବସ୍ଥା କରାଯାଇଥିବାବେଳେ ସମାଜରେ କିଛି ଲୋକ ଏହି ଟିକା ପାଇବାରୁ ବଞ୍ଚିତ ହୋଇଥିବା ଜଣା ପଡ଼ିଛି । ଟିକାଦାନରେ ଆଧାର ସଂଯୋଗ ବ୍ୟବସ୍ଥା ଥିବାରୁ ଆଧାର କାର୍ଡ଼ ନଥିବା ଲୋକେ ଟିକା ପାଇ ପାରୁ ନାହାନ୍ତି । ଦୂରାରୋଗୀ ଓ ଅନ୍ୟ କିଛି ଭିନ୍ନକ୍ଷମ ଲୋକ ଏଯାବତ୍ ଆଧାର କାର୍ଡ଼ କରି ପାରି ନ ଥିବାରୁ ସେମାନଙ୍କୁ ଟିକା ଦିଆ ଯାଇ ପାରୁନାହିଁ । ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ତ୍ରିନାଥ ପଲ୍ଲୀରେ ରହୁଥିବା ଦୂରାରୋଗୀ ନାରାୟଣ ସାହୁ ଓରଫ ଟନିଆ(୬୫) ।
ରୋଗହେତୁ ସେ ଭିନ୍ନକ୍ଷମ ହୋଇ ଯାଇଥିବାରୁ ସେ ଆଧାର କାର୍ଡ଼ଟିଏ କରିବାରେ ସକ୍ଷମ ହୋଇ ପାରି ନାହାନ୍ତି । ସକାଳରୁ ସଂଜ ଯାଏ ସାରା ଚୌଦ୍ୱାରରେ ଘୁରି ବୁଲୁଥିବା ଏହି ଟନିଆ ଅଞ୍ଚଳରେ ଗୋଟିଏ ପରିଚିତ ନାାଁ ସାହିରେ ଟିକାଦାନ ଶିବିରଟିଏ ହେଲେ ଟିକାପାଇଁ ସେ ସମସ୍ତଙ୍କୁ କାକୁତି ମିନତି କରୁଥିବା ବେଳେ ଆଧାର ନିୟମ ଦୃଷ୍ଟିରୁ ତାକୁ ଟିକା ଦିଆ ଯାଏ ନାହିଁ । ଗୋଟିଏ ଡୋଜ୍ ଟିକା ପାଇଁ କପାଳେଶ୍ୱର ସରକାରୀ ଚିକିତ୍ସାଳୟ ଠାରୁ ଆରମ୍ଭ କରି ଚୌଦ୍ୱାର ଅଞ୍ଚଳର ଅନ୍ୟ ସମସ୍ତ ଟିକା କେନ୍ଦ୍ର ସମ୍ମୁଖରେ ଟନିଆ ପହଞ୍ଚି ଟିକାଟିଏ ପାଇଁ ଅନୁରୋଧ କରୁଥିଲେହେଁ ସବୁଥର ନିରାଶ ହୋଇ ଫେରିବା ସାର ହୋଇଥିଲା । ତ୍ରିନାଥ ପଲ୍ଳୀରେ ବୁଧବାରଦିନ ଟିକା ଦିଆ ଯାଉଥିବାବେଳେ ଟିକା ଦେବା ପାଇଁ ଟନିଆ ଟିକାଦାତା ମାନଙ୍କୁ ଆକୁଳ ନିବେଦନ କରିଥିଲେ ।
ସେଠାରେ ଉପସ୍ଥିତ ୱାର୍ଡ଼ ସଭାପତି ଆଶୁତୋଷ ଦାସ ଓ ଯଯାତୀ କେଶରୀ କ୍ଲବ୍ ସଭାପତି ଶୁଭେନ୍ଦୁ ସାମଲ ଟିକାଦାନ କରୁଥିବା ହସପିଟାଲ ଟିମ୍କୁ ଅନୁରୋଧ କରି ଟନିଆକୁ ପ୍ରଥମ ଡୋଜ୍ ଟିକାଦାନ କରିବାରେ ସଫଳ ହୋଇଛନ୍ତି । ଟିକାନେଇ ଟନିଆ ଆନନ୍ଦରେ ବିଭୋର ହୋଇ ନାଚିବା ସହିତ ଟିକାଦାତା ମନଙ୍କୁ ଆଶୀର୍ବାଦ ବର୍ଷା କରିଛନ୍ତି ।
Comments are closed.