ଜାଣନ୍ତୁ ୟୁପିଏସି ପରୀକ୍ଷାର୍ଥୀଙ୍କୁ କୋଚିଂ ଦେଉଛନ୍ତି ୧୩ ବର୍ଷର ଏହି ବିସ୍ମୟ ବାଳକ
ନୂଆଦିଲ୍ଲୀ : ଭାରତରେ ଅନେକ ବିସ୍ମୟ ବାଳକଙ୍କ କାହାଣୀ ରହିଛି। ଯାହା ସମାଜରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଥାଏ। ସେହିପରି ଆଜି ଆସନ୍ତୁ ଜାଣିବା ଜଣେ ବିସ୍ମୟ ବାଳକର କାହାଣୀ। ତାଙ୍କର ବୟସ ମାତ୍ର ୧୩ ବର୍ଷ, କିନ୍ତୁ ବିଭିନ୍ନ କ୍ଷେତ୍ରରେ ଅଗାଧ ପାଣ୍ଡିତ୍ୟ ରହିଛି। ନିଯୁକ୍ତି କ୍ଷେତ୍ରରେ ଭାରତର ସର୍ବୋଚ୍ଚ ପରୀକ୍ଷା କୁହାଯାଉଥିବା ଭାରତୀୟ ପ୍ରଶାସନିକ ପରୀକ୍ଷାର୍ଥୀ ମାନଙ୍କୁ ଏହି ବାଳକ ପ୍ରଶିକ୍ଷଣ ଦେଉଛନ୍ତି।
ଅମର ସାଥୱିକ ଥୁଗୁତି ନାମକ ଜଣେ ୧୩ ବର୍ଷର ବାଳକ ନିଜର ୟୁଟ୍ୟୁବ ଚ୍ୟାନେଲରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାର୍ଥୀ ମାନଙ୍କୁ ଭୂଗୋଳ ଓ ରାଜନୀତି ବିଜ୍ଞାନ ପାଠ ପଢାଉଛନ୍ତି। ବର୍ତ୍ତମାନ ସୁଦ୍ଦା ଅମରଙ୍କ ଏହି ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବରଙ୍କ ସଂଖ୍ୟା ୧ଲକ୍ଷ ୮୭ହଜାରରେ ପହଞ୍ଚିଛି। ଥୁଗୁତି ୧୦ ବର୍ଷ ବୟସରୁ ଏହି ଶିକ୍ଷାଦାନ କରୁଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ ଭାରତୀୟ ପ୍ରଶାସନିକ ପରୀକ୍ଷା ପାଇଁ ପ୍ରତିବର୍ଷ ବହୁ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତି। କିନ୍ତୁ ବହୁ କମ୍ ପରୀକ୍ଷାର୍ଥୀ ଏହି ପରିକ୍ଷାରେ ଉତ୍ତୀର୍ଣ୍ଣ କରିଥାନ୍ତି।
୨୦୧୬ରେ ଅମର ୧୦ବର୍ଷ ବୟସରେ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ ଯାହାର ନାମ ‘ଲର୍ଣ୍ଣ ୱିଥ୍ ଅମର’। ଅମରଙ୍କ କହିବା ଅନୁସାରେ କୌଣସି ବିଷୟରେ ପଢାଇବା ପୂର୍ବରୁ ଗୋଟେ ସପ୍ତାହ ଧରି ଅଭ୍ୟାସ କରି ଭିଡିଓ ପ୍ରସ୍ତୁତ କରିଥାଏ। ପରେ ଭିଡିଓରେ କିଛି ନକରାତ୍ମକ କମେଣ୍ଟକୁ ଦେଖି ନିଜକୁ ସଜାଡିବାକୁ ଚେଷ୍ଟା କରେ ବୋଲି ସେ କହିଛନ୍ତି।
ଅମର ଏହି ସଫଳତାର ଶ୍ରେୟ ପିତା ଗୋବର୍ଦ୍ଧନ ଆଚାରୀ ଥୁଗିତିଙ୍କୁ ଦେଇଛନ୍ତି। ଅମରଙ୍କ ପିତା ଜଣେ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି।
ସେ ଆହୁରି କହିଛନ୍ତି ମତେ ପାଞ୍ଚ ବର୍ଷ ବୟସରେ ମୁଁ ଆଟଲାସରେ ଖେଳୁଥିବା ଦେଖି ବାପା ମୋତେ ଭୂଗୋଳରେ ପଢାଇବା ଆରମ୍ଭ କରିଥିଲେ। ଥରେ ମୁଁ ମୋ ମା’ଙ୍କୁ ଭୂଗୋଳର ଏକ ବିଷୟରେ ପାଠ ପଢାଇବାର ଭିଡିଓ ୟୁଟ୍ୟୁବରେ ଛାଡିଥିଲି। ଯାହାକୁ ବହୁତ ପ୍ରଶଂସା ମିଳିଥିଲା।
ସେହିପରି ଅମରଙ୍କ ସାନ ଭାଇ ମଧ୍ୟ ଏହିଭଳି ଶିକ୍ଷା ପ୍ରଦାନ କରୁଛନ୍ତି। ମୋର ଦୁଇଟି ଯାକ ପୁଅ ବହୁତ ବୁଦ୍ଧିମାନ ଯାହାପାଇଁ ମୁଁ ଗର୍ବିତ ବୋଲି ଅମରଙ୍କ ବାପା କହିଛନ୍ତି।