ଗୋଟିଏ ଘରେ ଚାଲିଥିଲା ୧୧୪ କମ୍ପାନୀ, ୩୦ କମ୍ପାନୀର ଜଣେ ନିର୍ଦେଶକ

0

ହାଇଦରାବାଦ : ଜାଲ କମ୍ପାନୀ ବିରୋଧୀ ଅଭିଯାନରେ ସରକାରଙ୍କୁ ଏକ ବଡ଼ ସଫଳତା ମିଳିଛି। ତେଲଙ୍ଗାନା ରାଜଧାନୀ ହାଇଦରାବାଦରେ ଏକ ବଡ଼ ଜାଲ କମ୍ପାନୀ ସମୂହର ଫର୍ଦ୍ଦାଫାସ ହୋଇଛି। ଏଠାରେ ଗୋଟିଏ ଘରେ ଗୋଟିଏ କି ଦୁଇଟି ନହେଁ ଏକାଥରେ ୧୧୪ଟି କମ୍ପାନୀ ଚାଲିଥିଲା। ଚଢଉ ପରେ ଏହି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। କେବଳ ଏତିକି ନୁହେଁ ସମସ୍ତ କମ୍ପାନୀ ନିୟମ ଅନୁସାରେ ବାଲାନ୍ସ ସିଟ୍‍ ପ୍ରସ୍ତୁତ କରି ରଖିଥିଲେ। ଏହି ବାଲାନ୍ସ ସିଟ୍‍ରେ ନିର୍ଦେଶକ ଏବଂ ସେମାନଙ୍କ ଦରମାର ସମ୍ପୂର୍ଣ୍ଣ ବିବରଣୀ ଉଲ୍ଲେଖ ରହିଛି। କୁହାଯାଉଛି ସମସ୍ତ କମ୍ପାନୀ ଜାଲ ଏବଂ ଅର୍ଥ ଏକଡ଼ ସେକଡ଼ କରିବା ପାଇଁ ଖୋଲାଯାଇଥିଲା। ସମସ୍ତ କମ୍ପାନୀ ହାଇଦରାବାଦ ନିକଟ ଜୁବଲି ହିଲ ଅଞ୍ଚଳରେ ସଂଚାଳିତ ହେଉଥିଲେ। ୮ ଅଧିକାରୀଙ୍କୁ ନେଇ ଗଠିତ ଏକ ଦଳ ବୁଧବାର ସକାଳେ ଜୁବଲି ହିଲ ଅଞ୍ଚଳସ୍ଥିତ ଫର୍ଚ୍ୟୁନ ମନୋର୍କ ମଲର ତୃତୀୟ ମହଲାରେ ଚଢଉ କରି ତନାଘନା କରିଥିଲେ। ସେଠାର ଏକ ଘରୁ ଯାଞ୍ଚ ସମୟରେ ୧୧୪ କମ୍ପାନୀ ଚାଲୁଥିବା ଜାଣିବାକୁ ମିଳିଥିଲା। ସେଥିମଧ୍ୟରୁ ପ୍ରାୟ ୫୦ କମ୍ପାନୀର କୌଣସି ବ୍ୟବସାୟ ନାହିଁ ଓ କେତେକ କମ୍ପାନୀ ୮ରୁ ୧୫ କୋଟି ଟଙ୍କା କ୍ଷତିରେ ଚାଲିଥିବା ଦର୍ଶାଇଛନ୍ତି। ସୂଚନା ଅନୁସାରେ ସବୁ କମ୍ପାନୀ ପରସ୍ପର ସହ ଜଡିତ ଥିଲେ। ସେମାନଙ୍କ ମୁଖ୍ୟ କାର୍ଯ୍ୟ ହେଉଛି ଅର୍ଥ ହେରଫେର କରିବା। ପ୍ରାୟ ୨୫ରୁ ୩୦ କମ୍ପାନୀର ଜଣେ ଲେଖାଏଁ ନିର୍ଦେଶକ ଅଛନ୍ତି। ଆଇନ ଅନୁସାରେ ଜଣେ ବ୍ୟକ୍ତି ଏକାଥରେ ୨୦ରୁ ଊର୍ଦ୍ଧ୍ବ କମ୍ପାନୀର ନିର୍ଦେଶକ ହୋଇ ପାରିବେ ନାହିଁ। ମାତ୍ର ଏହି ସେଲ୍‍ କମ୍ପାନୀଗୁଡ଼ିକ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି।

Leave A Reply