ନାବାଳିକାକୁ ଦୁଷ୍କର୍ମ ମାମଲା: ସମ୍ପର୍କୀୟ ଜେଜେକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ, ପୀଡ଼ିତାଙ୍କୁ ୭ ଲକ୍ଷ କ୍ଷତି ପୂରଣ ପାଇଁ ନିର୍ଦେଶ

ବାରିପଦା: ଜନୈକା ନାବାଳିକା ନାତୁଣୀଙ୍କ ସହ ଅବୈଧ ସମ୍ପର୍କ ରଖି ଅନ୍ତଃସତ୍ତ୍ୱା କରାଇଥିବା ଅଭିଯୋଗ ସଂକ୍ରାନ୍ତ ୨୦୧୮ର ଏକ ମାମଲାକୁ ସ୍ଥାନୀୟ ଅତିରିକ୍ତ ଜିଲା ଓ ଦୌରାଜଜ ତଥା ପୋକସୋ ଆଇନ ସ୍ୱତନ୍ତ୍ର ଅଦାଲତର ପ୍ରିଜାଇଡିଂ ଅଫିସର ସୁମିତା ଜେନା ବିଚାର କରି ଅଭିଯୁକ୍ତ ଝାରପୋଖରିଆ ଥାନା ବାଲିଯୋଡି ଗ୍ରାମର ଦର୍ଶନ ମହାନ୍ତ(୭୪)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜି ଦଣ୍ଡାଦେଶ ଦେଇଥିବା ଜଣାଯାଇଛି। ଦୋଷୀ ସାବ୍ୟସ୍ତ ଅଭିଯୁକ୍ତକୁ ଶିଶୁ ଯୌନଶୋଷଣ ନିବାରଣ ଆଇନର ୬ ଧାରାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ଅତିରିକ୍ତ ତିନି ମାସ ଏବଂ ଶିଶୁ ଯୌନଶୋଷଣ ନିବାରଣ ଆଇନର ୪ ଧାରାରେ ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ତିନି ହଜାର ଟଙ୍କା ଜୋରିମାନା ଅନାଦେୟ ଏକ ମାସ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦିଆଯାଇଛି। ଉଭୟ ଦଣ୍ଡକୁ ଏକ ସଙ୍ଗରେ ଭୋଗିବା ପାଇଁ ନିର୍ଦ୍ଦେଶ ଥିବାରୁ ମୋଟ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୩ ହଜାର ଟଙ୍କା ଜୋରିମାନା ହୋଇଛି। ବିଚାରାଧୀନ କଏଦୀ ଭାବେ କାରାଗାରରେ ରହିଥିବା ଅବଧିକୁ ହ୍ରାସ କରାଯିବ ବୋଲି ରାୟରେ ଉଲ୍ଲେଖ ଥିବା ପ୍ରକାଶ। ଏଥିସହିତ ମୟୂରଭଞ୍ଜ ଜିଲା ଆଇନସେବା ପ୍ରାଧିକରଣଙ୍କୁ କ୍ଷତିପୂରଣ ପ୍ରଦାନ ସକାଶେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ମୋଟ ୭ ଲକ୍ଷ ଟଙ୍କା ମଧ୍ୟରୁ ଦୁଷ୍କର୍ମ ଅପରାଧ ପାଇଁ ୩ ଲକ୍ଷ ଟଙ୍କା ଏବଂ ଅନ୍ତଃସତ୍ତ୍ୱା ପୀଡିତାଙ୍କ ଥଇଥାନ ପାଇଁ ୩ ଲକ୍ଷ ଟଙ୍କା ରହିଥିବା ଜଣାଯାଇଛି। ସରକାରଙ୍କ ତରଫରୁ ସରକାରୀ ଓକିଲ ଅଭିନ୍ନ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।
ପ୍ରକାଶ ଯେ, ୨୦୧୮ ଅପ୍ରେଲ ୨୭ ତାରିଖରେ ଝାରପୋଖରିଆ ଥାନାରେ ଅଭିଯୋଗକାରୀଙ୍କ ଏତଲାକ୍ରମେ ୩୩/୧୮ ନମ୍ବରର ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁଯାୟୀ ସବୁ ଦିନ ପରି ତାଙ୍କ ଝିଅ ପାଖ ଜଙ୍ଗଲକୁ ଅଭିଯୁକ୍ତ ଦର୍ଶନ ମହାନ୍ତଙ୍କ ସହିତ ଛେଳି ଚରାଇବା ପାଇଁ ଯାଉଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କିଛି କହି ନ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଝିଅ ଅନ୍ତଃସତ୍ତ୍ୱା ହେବା ପରେ ଅଭିଯୁକ୍ତ ୨୦୧୭ ନଭେମ୍ବର ୧ ତାରିଖରେ ଦୁଷ୍କର୍ମ କରିଥିବା ଜଣାପଡିଥିଲା। ଏହି ଅଭିଯୋଗ ସଂପର୍କରେ ପୁଲିସ ପକ୍ଷରୁ ତଦନ୍ତ କରାଯାଇ ଅଭିଯୁକ୍ତକୁ ଅଭିଯୋଗର ପରଦିନ ଅର୍ଥାତ୍‍ ୨୮ ତାରିଖରେ ଗିରଫ କରି ଅଦାଲତ ଚାଲାଣ କରିବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ପରେ ପୀଡିତା ନାବାଳିକା କନ୍ୟା ସନ୍ତାନ ଜନ୍ମ ଦେଇଥିବା ପ୍ରକାଶ। ପରେ ଅଭିଯୁକ୍ତଙ୍କ ବିରୋଧରେ ୨୦୧୮ ସେପ୍ଟେମ୍ବର ୨୬ ତାରିଖରେ କୋର୍ଟରେ ଚାର୍ଜସିଟ୍‍ ଦାଖଲ କରାଯାଇଥିଲା। ସେହିଦିନଠାରୁ ବିଚାରାଧୀନ କଏଦୀଭାବେ ଅଭିଯୁକ୍ତ କାରଗାରରେ ରହିଥିବା ପ୍ରକାଶ।

kalyan agarbati

Comments are closed.