ଶ୍ରୀନଗର: ପ୍ରବଳ ବର୍ଷା ଯୋଗୁଁ ମଙ୍ଗଳବାର ଜାମ୍ମୁ-କାଶ୍ମୀରର ଜାମ୍ମୁ, ଡୋଡା ଓ ରିୟାସି ଇତ୍ୟାଦି ଜିଲାରେ ପ୍ରବଳ ବର୍ଷା ଓ ତତ୍ଜନିତ ଭୂସ୍ଖଳନ ଯୋଗୁଁ ୧୦ ଜଣଙ୍କର ପ୍ରାଣହାନି ଘଟିଛି। ଏମାନଙ୍କ ମଧ୍ୟରେ କଟରାସ୍ଥିତ ମାତା ବୈଷ୍ଣୋଦେବୀଙ୍କ ପୀଠରେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ଭୂସ୍ଖଳନରେ ୨୫ଟି ବାସଗୃହ ଓ ପୋଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ବୈଷ୍ଣୋଦେବୀ ପୀଠରେ ଯାତ୍ରାକୁ ସ୍ଥଗିତ ରଖାଯାଇଛି। କେତେକ ସ୍ଥାନରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇପଡିଥିବାବେଳେ ମୋବାଇଲ ନେଟୱାର୍କ ମଧ୍ୟ ବାଧାପ୍ରାପ୍ତ ହୋଇଛି। ରାଜ୍ୟର ୧୦ ଜିଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାର ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ନଦୀକୂଳ କିମ୍ବା ଜଳାଶୟ ନିକଟରୁ ଦୂରେଇ ରହିବାକୁ ଲୋକଙ୍କୁ ସତର୍କ କରାଯାଇଛି। ବର୍ଷା ଯୋଗୁଁ ଉତ୍ତର ରେଳବାଇ ପକ୍ଷରୁ ଜାମ୍ମୁ ଜୋନରେ ୧୦ରୁ ଅଧିକ ଟ୍ରେନ୍ର ଚଳାଚଳକୁ ବାତିଲ କରାଯାଇଛି। ଏଗୁଡିକ ମଧ୍ୟରେ କଟରା-ନୂଆଦିଲ୍ଲୀ ଶ୍ରୀଶକ୍ତି ଏକ୍ସପ୍ରେସ, କଟରା-ଦିଲ୍ଲୀ ସରାଇ ରୋହିଲା ଏସି ଏକ୍ସପ୍ରେସ ଓ କଟରା-ଋଷିକେଶ ହେମକୁଣ୍ଡ ଏକ୍ସପ୍ରେସ ସାମିଲ ରହିଥିବା ପ୍ରକାଶ।
ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ଣ ୩ଟା ସମୟରେ ତ୍ରିକୁଟ ପର୍ବତରେ ଅବସ୍ଥିତ ମାତା ବୈଷ୍ଣୋଦେବୀଙ୍କ ପୀଠକୁ ଯାଇଥିବା ୧୨ କିମି ଲମ୍ବ ପାହାଡିଆ ରାସ୍ତାର ଅର୍ଦ୍ଧକୂଆଁରୀ ନିକଟରେ ଭୂସ୍ଖଳନ ଘଟିଛି। ପାହାଡରୁ ବିରାଟକାୟ ପଥର ଖସିବା ଫଳରେ ୬ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତଙ୍କୁ କଟରାସ୍ଥିତ ବୈଷ୍ଣୋଦେବୀଙ୍କ ମୂଳ ଶିବିରରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟରେ ସେନା ଓ ଏନଡିଆରଏଫ ଯବାନଙ୍କୁ ମୁତୟନ କରାଯାଇଛି। ସେମାନଙ୍କ ସହାୟତାରେ ଧ୍ବଂସସ୍ତୂପ ତଳୁ ମୃତାହତଙ୍କୁ ଉଦ୍ଧାର କରାଯାଇଛି। ଏହି ପରିପ୍ରେକ୍ଷୀରେ କଟରାରେ ଡେରା ପକାଇଥିବା ବୈଷ୍ଣୋଦେବୀ ଶ୍ରଦ୍ଧାଳୁଙ୍କ ପ୍ରତି ଧ୍ୟାନ ଦେବାସହିତ ପରିସ୍ଥିତି ଉପରେ ସତର୍କ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପୁଲିସ ଓ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ସେମାନଙ୍କୁ ଖାଦ୍ୟ, ଶୁଦ୍ଧ ପାନୀୟ ଜଳ, ଔଷଧପତ୍ର ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇବାକୁ ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ଡାକ୍ତରଖାନାରେ ଯେପରି ଚବିଶ ଘଣ୍ଟା ବିଦ୍ୟୁତ୍ ସରବରାହ ଜାରି ରହିବ, ସେଥିପ୍ରତି ସତର୍କ ରହିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ରାଜ୍ୟରେ ଦେଖାଦେଇଥିବା ବର୍ଷାଜନିତ ଦୁର୍ବିପାକ ପ୍ରସଙ୍ଗରେ ଓମାର ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ଭୂସ୍ଖଳନ ଯୋଗୁଁ କେତେକ ରାଜପଥ କ୍ଷତିଗ୍ରସ୍ତ ହୋଇଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ଅସୁବିଧା ସୃଷ୍ଟି ହେଲେ ସେନାର ସହାୟତା ଲୋଡିବାକୁ ଓମାର ପରାମର୍ଶ ଦେଇଛନ୍ତି। ବୈଷ୍ଣୋଦେବୀ ଶ୍ରଦ୍ଧାଳୁଙ୍କ ନିମନ୍ତେ କଟରାରେ ଚବିଶ ଘଣ୍ଟିଆ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲାଯାଇଛି। ରାମ୍ବନ ଜିଲାର ଚନ୍ଦରକୋଟ, କେଲା ମୋର ଓ ବାଟେରି ଚେସମା ଭଳି ସ୍ଥାନରେ ଅତଡା ଖସୁଥିବାରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।
ଅପରପକ୍ଷରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା ଯୋଗୁଁ ଡୋଡା ଜିଲାରେ ୪ ଜଣ ପ୍ରାଣ ହରାଇଛନ୍ତି। ଘର ଭୁଶୁଡି ୨ ଜଣ ପ୍ରାଣ ହରାଇଥିବାବେଳେ ଆକସ୍ମିକ ବନ୍ୟାରେ ଅନ୍ୟ ଦୁଇଜଣ ଭାସିଯାଇଛନ୍ତି। ଡୋଡା ଓ କିସ୍ତୱାଡକୁ ସଂଯୋଗ କରୁଥିବା ୨୪୪ ନମ୍ବର ଜାତୀୟ ରାଜପଥର କିଛି ଅଂଶ ଧୋଇଯାଇଛି। ରାମ୍ବନ ଜିଲାରେ ଭୂସ୍ଖଳନ ଯୋଗୁଁ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଅବରୋଧ ହୋଇଥିବା ଜଣାପଡିଛି। ପ୍ରବଳ ବର୍ଷାରେ ତାୱି, ବସନ୍ତର ଓ ଚେନାବ୍ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।



