ସୁଧୁରୁନି ସମସ୍ୟା : ସୂର୍ଯ୍ୟମନ୍ଦିର ପରିସରରେ ଲହଡ଼ିମାରୁଛି ବର୍ଷାଜଳ

0

ଗୋପ: ଅସରାଏ ବର୍ଷାରେ କୋଣାର୍କ ସୂର୍ଯ୍ୟମନ୍ଦିରରେ ପାଣି ଜମିବା ଏକ ନିତିଦିନିଆ ସମସ୍ୟା ହୋଇଗଲାଣି। ବାରମ୍ବାର ଅଭିଯୋଗ ଓ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବି ଏହାର ସ୍ଥାୟୀ ପ୍ରତିକାର ହୋଇପାରିନାହିଁ। ଫଳରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ପାଣି ଭିତରେ ପ୍ରବେଶ କରି ମନ୍ଦିର ପରିଦର୍ଶନ କରିବାକୁ ବାଧ୍ୟ ହେଉଛନ୍ତି। ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିବା କୋଣାର୍କ ସୂର୍ଯ୍ୟମନ୍ଦିରର ଏହି ନକାରାତ୍ମକ ଛବି ପର୍ଯ୍ୟଟକଙ୍କୁ ଅସନ୍ତୁଷ୍ଟ କରୁଛି।
ସାମାନ୍ୟ ବର୍ଷାରେ ଆଲୋକ ଶବ୍ଦ ପ୍ରକଳ୍ପ ସମ୍ପୂର୍ଣ୍ଣ ବନ୍ଦ ରହୁଛି। ସୂର୍ଯ୍ୟମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସର୍ବେକ୍ଷଣ ସଂସ୍ଥା (ଏଏସ୍‍ଆଇ) ମନ୍ଦିର ସୁରକ୍ଷା ଦିଗରେ ଯତ୍ନବାନ୍‍ ହେଉ ନ ଥିବା ବିଭିନ୍ନ ସଙ୍ଗଠନ ପକ୍ଷରୁ ଅଭିଯୋଗ ହେଉଛି। ପ୍ରକାଶ ଯେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ରାସ୍ତାଘାଟ ସମେତ ସୂର୍ଯ୍ୟମନ୍ଦିର ପରିସରରେ ପାଣି ଲହଡ଼ି ମାରୁଛି। ଏ ନେଇ ପର୍ଯ୍ୟଟକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଏପରି ସମସ୍ୟା ବାରମ୍ବାର ହେଉଥିବା ସତ୍ତ୍ବେ କୌଣସି ସ୍ଥାୟୀ ପ୍ରତିକାର କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିକଟରେ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ବୃଦ୍ଧି କରାଯାଇଥିବାବେଳେ ପର୍ଯ୍ୟଟକମାନେ ସାମାନ୍ୟ ବର୍ଷାରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ନ ପାରିବାରୁ ଅସନ୍ତୋଷ ଦେଖାଦେଇଛି। ବର୍ଷା ଜଳ ନିଷ୍କାସନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଡ଼୍ରେନ୍‍ ନିର୍ମାଣ କରାଯାଇଥିବାବେଳେ ୪ଟି ଉଚ୍ଚକ୍ଷମତା ସମ୍ପନ୍ନ ପାଣି ପମ୍ପ ଲଗାଯାଇଥିଲେ ମଧ୍ୟ ଡ୍ରେନ୍‍ଗୁଡ଼ିକ ସଫା ନ ହେବା ଫଳରେ ଜଳ ନିଷ୍କାସନରେ ବାଧା ସୃଷ୍ଟି ହୋଇଛି। ଏ ନେଇ କୋଣାର୍କ ସୁରକ୍ଷା ସମିତି ସଭାପତି ବାଦଲ ଦାଶ, କୋଣାର୍କ ହସ୍ତଶିଳ୍ପ ବ୍ୟବସାୟୀ ସଂଘ ସଭାପତି ସୁବାସ ନାୟକ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନ ଥିବା ଅଭିଯୋଗ ହୋଇଛି। ଏହି ସମସ୍ୟାର ସମାଧାନ ଲାଗି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ଦାବି ହେଉଛି।

Leave A Reply