BJD Bijuli 480×75 Mob

‘ଶିଶୁର ପରିପୂରକ ଖାଦ୍ୟାଭ୍ୟାସ:ଏକ ସଚେତନତା ଅଭିଯାନ’ ଆରମ୍ଭ

BJD Bijuli 480×75 Mob
0

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ଶିଶୁର ପରିପୂରକ ଖାଦ୍ୟାଭ୍ୟାସ:ଏକ ସଚେତନତା ଅଭିଯାନ’ ମଙ୍ଗଳବାର ଆରମ୍ଭ ହୋଇଛି। ଇଡ୍‍କଲ୍‍ ଅଡିଟୋରିୟମ୍‍ରେ ଆୟୋଜିତ ଉଦ୍‍ଘାଟନ ଉତ୍ସବରେ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ କହିଥିଲେ ଯେ ଶିଶୁମାନେ ହେଉଛନ୍ତି ଦେଶର କନିଷ୍ଠତମ ନାଗରିକ। ସେମାନଙ୍କୁ ଉପଯୁକ୍ତ ଯତ୍ନ ସହ ୬ ମାସ ପରେ ସ୍ତନ୍ୟପାନ ସହିତ ପରିପୂରକ ଖାଦ୍ୟ ଦେଲେ ସେମାନଙ୍କର ଶାରୀରିକ ଓ ମାନସିକ ବିକାଶ ହୋଇପାରିବ। ସେମାନେ ହିଁ ଦେଶର ଭବିଷ୍ୟତ। ଏଣୁ ଶିଶୁ ସୁସ୍ଥ ହେଲେ ହିଁ ଉତ୍ତମ ସମାଜ ଗଠନ ହୋଇପାରିବ। ସେମାନଙ୍କୁ ଆବଶ୍ୟକ ପରିମାଣ କ୍ୟାଲୋରି ଓ ପୁଷ୍ଟିକର ଖାଦ୍ୟ ପ୍ରଦାନ ପାଇଁ ଆଇସିଡିଏସ୍‍ ମାଧ୍ୟମରେ ବ୍ୟବସ୍ଥା କରାଯାଇଛି।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ ରାଜ୍ୟରେ ପ୍ରାୟ ୪୫ଲକ୍ଷ ଶିଶୁ ଓ ମା’ମାନଙ୍କୁ ଆଇସିଡିଏସ୍‍ ଜରିଆରେ ଅନୁପୂରକ ଖାଦ୍ୟ ୨୪ମାସ ପର୍ୟ୍ୟନ୍ତ ଦେବା ନିହାତି ଆବଶ୍ୟକ। ଯଦ୍ଦ୍ୱାରା ସେମାନଙ୍କର ଶାରୀରିକ ଓ ମାନସିକ ବିକାଶ ତ୍ୱରାନ୍ୱିତ ହୋଇପାରିବ। ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦେଶକ ଡ.ବିନାୟକ ପ୍ରସାଦ ପୃଷ୍ଟି ଏବଂ ସମନ୍ୱିତ ଶିଶୁ ବିକାଶ ଯୋଜନା ଓ ସମାଜ କଲ୍ୟାଣ ନିର୍ଦେଶକ ଡି.ପ୍ରଶାନ୍ତ କୁମାର ରେଡ୍ଡି ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ଅଭିଯାନ ସମ୍ପର୍କିତ ସୂଚନା, ଶିକ୍ଷା ଓ ଯୋଗାଯୋଗ ସମ୍ବନ୍ଧୀୟ ଉପାଦାନଗୁଡ଼ିକ ସହ ନିଜ ଅଞ୍ଚଳରେ ଉପଲବ୍ଧ ପୁଷ୍ଟିକର ଖାଦ୍ୟର ସଂକ୍ଷିପ୍ତ ବିବରଣୀ ପୁସ୍ତିକା ଉନ୍ମୋଚନ ହୋଇଥିଲା। ଏହି କାର୍ୟ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା ତିନିଜଣ ୬ ମାସର ଶିଶୁଙ୍କର ଅନ୍ନପ୍ରାସନ୍ନ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ସାମଲ ଜିଲାଗୁଡ଼ିକରେ ସଚେତନତାର ପ୍ରଚାର ନିମେନ୍ତ ସୂଚନା, ଶିକ୍ଷା ଓ ଯୋଗାଯୋଗ ସମ୍ବନ୍ଧୀୟ ବାର୍ତ୍ତା ଶୋଭିତ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଏହି ଅଭିଯାନ ମାଧ୍ୟମରେ ୬ରୁ ୨୪ ମାସ ମଧ୍ୟରେ ଥିବା ଶିଶୁମାନଙ୍କର ସନ୍ତୁଳିତ ଅଭିବୃଦ୍ଧି ଅଣାଯାଇପାରିବ। ଏହି ରାଜ୍ୟବ୍ୟାପୀ ଅଭିଯାନ ମହିଳା ଓ ଶିଶୁବିକାଶ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ୟୁନିସେଫ୍‍ର ସହଯୋଗରେ୨୦୧୯ ଶେଷ ଭାଗ ପର୍ୟ୍ୟନ୍ତ ଚାଲିବ ବୋଲି ସୂଚନା ଦିଆଯାଇଛି।

Leave A Reply