BJD Bijuli 480×75 Mob

ମୋଦୀଙ୍କ ବିଦେଶ ଗସ୍ତରେ ସାମିଲ ଘରୋଇ ବ୍ୟକ୍ତିଙ୍କ ନାମ ଜଣାଅ

BJD Bijuli 480×75 Mob
0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର​‌ ମୋଦୀଙ୍କ ବିଭିନ୍ନ ବିଦେଶ ଗସ୍ତରେ ସାମିଲ ହୋଇଥିବା ଘରୋଇ ବ୍ୟକ୍ତି ବିଶେଷଙ୍କ ନାମ ଜଣାଇବା ଲାଗି କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ବୈଦେଶିକ ମନ୍ତ୍ରଣାଳୟକୁ ନିର୍ଦେଶ ଦେଇଛନ୍ତି। ଗତବର୍ଷ ଅକ୍ଟୋବରରେ କରବୀ ଦାସ ନାମକ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସମ୍ପର୍କରେ ସବିଶେଷ ତଥ୍ୟ ଲୋଡ଼ିଥିଲେ। ୨୦୧୫-୧୬ ଓ ୨୦୧୬-୧୭ରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତରେ କେତେ ଅର୍ଥ ଖର୍ଚ୍ଚ ହୋଇଥିଲା ଓ ଏହି ଗସ୍ତ ସମୟରେ କେଉଁମାନେ ସାମିଲ ହୋଇଥିଲେ ତାର ସବିଶେଷ ତଥ୍ୟ କରବୀ ତାଙ୍କ ଆବେଦନରେ ମାଗିଥିଲେ। ତେବେ ବୈଦେଶିକ ମନ୍ତ୍ରଣାଳୟ ଏହା ଉପରେ ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ। ଫଳରେ କରବୀ ସିଆଇସିଙ୍କ ଦ୍ବାରସ୍ଥ ହୋଇଥିଲେ। ସିଆଇସି ଏହାର ଶୁଣାଣି କରି ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ସାମିଲ ଘରୋଇ ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ବୈଦେଶିକ ମନ୍ତ୍ରଣାଳୟକୁ ନିର୍ଦେଶ ଦେଇଛନ୍ତି। ମୁଖ୍ୟ ସୂଚନା ଆୟୁକ୍ତ ଆରକେ ମାଥୁର ଏହାର ଶୁଣାଣି କରି ଏହି ନିର୍ଦେଶ ଦେଇଛନ୍ତି। ଘରୋଇ ବ୍ୟକ୍ତି ବିଶେଷ (ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ସହିତ ଜଡିତ ବ୍ୟକ୍ତିଙ୍କୁ ବାଦ୍ ଦେଇ) ଯେଉଁମାନେ କି ଭାରତ ସରକାରଙ୍କ ଖର୍ଚ୍ଚରେ ପ୍ରଧାନମନ୍ତ୍ରୀଙ୍କ ସହିତ ବିଦେଶ ଗସ୍ତ କରିଛନ୍ତି ତାଙ୍କ ନାମ ପ୍ରକାଶ କରିବାକୁ ମାଥୁର ନିର୍ଦେଶ ଦେଇଛନ୍ତି।
ଶୁଣାଣି ସମୟରେ ସୂଚନା ଅଧିକାର କର୍ମୀ କରବୀଙ୍କ ଓକିଲ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସୂଚନା ପାଇଁ ବୈଦେଶିକ ମନ୍ତ୍ରଣାଳୟ ୨୨୪ଟଙ୍କା ଦାବି କରିଥିଲା। ଦାବି ମୁତାବକ ଆବେଦନକାରୀ ଏହି ଅର୍ଥ ଜମା କରିଥିଲେ। ତେବେ ଶୁଣାଣି ସମୟରେ ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ ଆବେଦକାରୀ ତାଙ୍କ ଆବେଦନରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ତାରିଖ ଓ ସ୍ଥାନ ଏବଂ ଚାଟାର୍ଡ ଫ୍ଲାଇଟ ବାବଦରେ କେତେ ଖର୍ଚ୍ଚ ହୋଇଛି ତାହା ଜାଣିବାକୁ ଚାହିଁଥିଲେ। ସେ ଅନ୍ୟ କୌଣସି ସୂଚନା ପାଇଁ ଆବେଦନ କରି ନଥିଲେ। ତେବେ ସୂଚନା ହାସଲ ପାଇଁ ଆବେଦନକାରୀ ଜମା କରିଥିବା ୨୨୪ ଟଙ୍କା ବାବଦରେ ଅନୁଧ୍ୟାନ କରାଯିବ ବୋଲି ମନ୍ତ୍ରଣାଳୟ କହିଛି।

ଚାରି ବର୍ଷରେ ୪୨ ଗସ୍ତ

ବିଗତ ୪ବର୍ଷରେ ପ୍ରଧାନମନ୍ତ୍ରୀ ୪୨ଥର ବିଦେଶ ଗସ୍ତ କରିଛନ୍ତି। ଏହି ୪୨ଥରରେ ସେ ୮୪ଟି ରାଷ୍ଟ୍ରକୁ ଗସ୍ତ କରିଛନ୍ତି। ତାଙ୍କ ସହିତ ବହୁ ଶିଳ୍ପପତି ଓ ବ୍ୟବସାୟୀ ବିଦେଶ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ବିଦେଶ ଗସ୍ତରେ ୧୪୮୪କୋଟି ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟସଭାରେ ବୈଦେଶିକ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଭି କେ ସିଂହଙ୍କ ଉତ୍ତର ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସମୟରେ ବିମାନ ପରିଚାଳନା (ମେଣ୍ଟେନାନ୍ସ) ବାବଦକୁ ୧୦୮୮.୪୨କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଚାଟାର୍ଡ ଫ୍ଲାଇଟ ବାବଦକୁ ୩୮୭.୨୬ କୋଟି ଟଙ୍କା ଓ ହଟ ଲାଇ ବାବଦକୁ ୯.୧୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୪ ଜୁନ୍ ୧୫ରୁ ୨୦୧୮ ଜୁନ୍ ୧୦ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ବାବଦରେ ଏହି ଅର୍ଥ ଖର୍ଚ୍ଚ ହୋଇଛି। ଏହି ଖର୍ଚ୍ଚରେ ୨୦୧୭-୧୮ ଓ ୨୦୧୮-୧୯ର ହଟ ଲାଇନ ଖର୍ଚ୍ଚ ଓ ୨୦୧୮-୧୯ ଚାଟାର୍ଡ ଫ୍ଲାଇଟ ବାବଦ ଅର୍ଥ ସାମିଲ କରାଯାଇ ନାହିଁ।

Leave A Reply