ବୋମା ଧମକ ପରେ ବିମାନ କମ୍ପାନୀଙ୍କୁ ରିପୋର୍ଟ ମାଗିଲା ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ

ସମାଜ ଡିଜିଟାଲ ଡେସ୍କ: ଗତ ୩ ଦିନ ମଧ୍ୟରେ ୩୦ରୁ ଅଧିକ ବିମାନକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିବା ପରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ସମସ୍ତ ବିମାନ କମ୍ପାନୀଗୁଡ଼ିକୁ ରିପୋର୍ଟ ମାଗିଛି। ବିମାନ କମ୍ପାନୀଗୁଡ଼ିକଠାରୁ ତଥ୍ୟ ମିଳିବା ପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ(ଡିଜିସିଏ) ପକ୍ଷରୁ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ। ଏ ସମ୍ପର୍କରେ ଗୁରୁବାର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଡିଜିସିଏ ମଧ୍ୟରେ ଏକ ଜରୁରୀ ବୈଠକ ମଧ୍ୟ ବସିବ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ଗତ ୩ ଦିନ ମଧ୍ୟରେ ଅଜ୍ଞାତ ବ୍ୟକ୍ତି ବିମାନ କମ୍ପାନୀଗୁଡ଼ିକୁ ଫୋନ କରି ବିମାନ ଉଡ଼ାଇବାକୁ ଧମକ ଦେଇଛନ୍ତି। ଏହାଫଳରେ କିଛି ବିମାନର ଉଡ଼ାଣ ବାତି କରାଯାଇଥିବାବେଳେ ୧୨ଟି ବିମାନକୁ ମଝି ଆକାଶରୁ ଉଡ଼ାଣ ଅଧାରୁ ଜରୁରୀ ଅବତରଣ କରାଇବାକୁ ପଡ଼ିଛି। ବୁଧବାର ମଧ୍ୟ ୨ଟି ବିମାନକୁ ଅନୁରୂପ ଧମକ ମିଳିଥିଲା। ଯାହାଫଳରେ ବିମାନ ଦୁଇଟିକୁ ମଝି ଆକାଶରୁ ଫେରାଇ ଅଣାଯାଇଥିଲା।

ବାରମ୍ବାର ଏପରି ଘଟଣା ଦ୍ଵାରା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେଣୁ ସରକାର ଏହାର ତର୍ଜମା କରି ମିଥ୍ୟା କଲ୍‌ କରୁଥିବା ଅପରାଧୀଙ୍କୁ ଧରିବା ସହିତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଛି।

Comments are closed.