ବିଶ୍ୱ ଖାଦ୍ୟ ଦିବସ: ଭୋକରେ ୩୫ କୋଟି, କ୍ଷୁଧା ତାଲିକାରେ ୧୦୫ରେ ଭାରତ

ଡେସ୍କ: ପ୍ରତିବର୍ଷ ଅକ୍ଟୋବର ୧୬ରେ ସାରା ବିଶ୍ୱରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଉଛି, ଯେଉଁଥିରେ କ୍ଷୁଧା ଦୂର କରିବା ଏବଂ ପ୍ରତ୍ୟେକ ବ୍ୟକ୍ତି ଯେପରି ପୁଷ୍ଟିକର ଖାଦ୍ୟ ପାଇପାରିବେ ତାହା ସୁନିଶ୍ଚିତ କରିବା ପାଇଁ ବିଶ୍ୱବ୍ୟାପୀ ଅଭିଯାନ ଉପରେ ଗୁରୁତ୍ୱ ଦିଆଯାଉଛି। କ୍ଷୁଧା ବିରୋଧରେ ଲଢ଼େଇ ଆରମ୍ଭ କରିବା, ସୁସ୍ଥ ଖାଦ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ପୁଷ୍ଟିହୀନତା ଏବଂ ଖାଦ୍ୟ ନିରାପତ୍ତା ବିରୋଧରେ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଖାଦ୍ୟ ଓ କୃଷି ସଂଗଠନ ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି ଦିବସର ଉଦ୍ଦେଶ୍ୟ ହେଉଛି କ୍ଷୁଧା ଦୂର କରିବା, ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା, କୃଷି ଉତ୍ପାଦକତା ବୃଦ୍ଧି କରିବା ଏବଂ ଏକ ସ୍ଥାୟୀ ଖାଦ୍ୟ ବ୍ୟବସ୍ଥାକୁ ସମର୍ଥନ କରିବା।

୧୯୭୯ ମସିହାରେ ବିଶ୍ୱ ଖାଦ୍ୟ ଦିବସ ଆରମ୍ଭ ହୋଇଥିଲା ଯେତେବେଳେ ୨୦ତମ ବିଶ୍ୱ ଖାଦ୍ୟ ଦିବସ ସମ୍ମିଳନୀ ଅକ୍ଟୋବର ୧୬କୁ ବିଶ୍ୱ ଖାଦ୍ୟ ଦିବସ ଭାବରେ ଘୋଷଣା କରିଥିଲା। ୧୫୦ରୁ ଅଧିକ ଦେଶ ଏହି ଆନ୍ଦୋଳନରେ ସାମିଲ ହୋଇ କ୍ଷୁଧା, ପୁଷ୍ଟିହୀନତା ଏବଂ କ୍ଷୁଧା ମୁକ୍ତ ବିଶ୍ୱ ପାଇଁ ସମାଧାନ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଗେଇ ଆସିଥିଲେ।

ବିଶ୍ୱ ଖାଦ୍ୟ ଦିବସ ୨୦୨୪ର ବିଷୟବସ୍ତୁ ହେଉଛି “ଉତ୍ତମ ଜୀବନ ଏବଂ ଉତ୍ତମ ଭବିଷ୍ୟତ ପାଇଁ ଖାଦ୍ୟ ଅଧିକାର”। ସମସ୍ତଙ୍କ ମଙ୍ଗଳ ଓ ମର୍ଯ୍ୟାଦା ସୁନିଶ୍ଚିତ କରିବା ପାଇଁ ଉପଲବ୍ଧ ପୁଷ୍ଟିକର, ସୁଲଭ ଏବଂ ସ୍ଥାୟୀ ଖାଦ୍ୟର ମୌଳିକ ମାନବିକ ଅଧିକାର ଉପରେ ଏହି ବିଷୟବସ୍ତୁ ଗୁରୁତ୍ୱ ପ୍ରଦାନ କରୁଛି।

କ୍ଷୁଧା ମୁକ୍ତ ବିଶ୍ୱ ପାଇଁ ଖାଦ୍ୟ ପଦାର୍ଥ ନଷ୍ଟ ନ କରି ଖାଦ୍ୟ ଦ୍ରବ୍ୟ ଦାନ କରିବା ଓ ଅଭାବୀ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିବା, ନିଜ ପରିବାର ଓ ସମାଜରେ ଖାଦ୍ୟ ବର୍ଜ୍ୟବସ୍ତୁ ପ୍ରତି ସଚେତନ ରହିବା ଓ ଏହାକୁ ହ୍ରାସ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା, ଖାଦ୍ୟ ଯୋଗାଇବା ପାଇଁ ପାଣ୍ଠି ସଂଗ୍ରହ କରିବା ଓ କ୍ଷୁଦ୍ର କୃଷକ ଏବଂ ସ୍ଥାୟୀ କୃଷିକୁ ସମର୍ଥନ କରିବା ପାଇଁ ସ୍ଥାନୀୟ ସ୍ତରରେ ଉତ୍ପାଦିତ ଏବଂ ସ୍ଥାୟୀ ଉତ୍ପାଦିତ ଖାଦ୍ୟ ଦ୍ରବ୍ୟ କ୍ରୟ କରିବା ଆବଶ୍ୟକ ହୋଇପଡିଛି।

ପୃଥିବୀର ୨୮୦ କୋଟିରୁ ଅଧିକ ଲୋକ ସ୍ୱାସ୍ଥ୍ୟକର ଖାଦ୍ୟ ପାଉନଥିବା ଜଣାପଡିଛି। ୨୦୧୯ରୁ ୨୦୨୩ ମଧ୍ୟରେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଉଥିବା ଲୋକଙ୍କ ସଂଖ୍ୟା ୧୨୨ ନିୟୁତ ବୃଦ୍ଧି ପାଇଛି, ଯାହା କି ୨୦୨୩ରେ ବିଶ୍ୱରେ ଖାଦ୍ୟ ନିରାପତ୍ତା ଏବଂ ପୋଷଣ ସ୍ଥିତିରେ ଦର୍ଶାଯାଇଛି। ସମଗ୍ର ବିଶ୍ୱରେ ପ୍ରାୟ ୩୫୦ ନିୟୁତ ଲୋକ ଆଜି ସବୁଠାରୁ ଅଧିକ ଭୋକ ଉପାସରେ ଅଛନ୍ତି ଏବଂ ସେଥିମଧ୍ୟରୁ ପ୍ରାୟ ୪୯ ନିୟୁତ ଲୋକ ବର୍ତ୍ତମାନ ଦୁର୍ଭିକ୍ଷର ସମ୍ମୁଖୀନ ହେଉଛନ୍ତି ବୋଲି ଜାତିସଂଘ ଦର୍ଶାଇଛି।

ଏତଦ୍ ବ୍ୟତୀତ ୮୨୦ ନିୟୁତରୁ ଅଧିକ ଲୋକ ପୁଷ୍ଟିହୀନତା ଜନିତ ରୋଗରେ ପୀଡ଼ିତ ଥିବା ବେଳେ ପ୍ରାୟ ୬୦ ପ୍ରତିଶତ ମହିଳା ଏବଂ ୫ ବର୍ଷରୁ କମ୍ ବୟସର ୫ନିୟୁତ ଶିଶୁ ପୁଷ୍ଟିହୀନତା ଜନିତ କାରଣରୁ ପ୍ରତିଦିନ ମୃତ୍ୟୁବରଣ କରୁଛନ୍ତି ବୋଲି ଏଫ୍ଏଓ କହିଛି।

୨୦୨୪ର ବିଶ୍ୱ କ୍ଷୁଧା ତାଲିକାରେ ଭାରତ ୧୦୫ତମ ସ୍ଥାନରେ ରହିଛି ଏବଂ ଏହା “ଗମ୍ଭୀର” ଶ୍ରେଣୀରେ ରହିଛି। ବିଶେଷ କରି ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କା ଭଳି ଦକ୍ଷିଣ ଏସୀୟ ପଡ଼ୋଶୀ ଦେଶ ମାନଙ୍କ ତୁଳନାରେ ଭାରତର ବିଶ୍ୱ କ୍ଷୁଧା ତାଲିକା ସ୍କୋର ୨୭.୩ ଚିନ୍ତାର କାରଣ ପାଲଟିଛି। ଭାରତର ସ୍କୋର ୨୦୦୦ ମସିହାରେ ୩୮.୪ ଥିଲା।

ସୂଚନା ଅନୁଯାୟୀ, ଭାରତର ଜନସଂଖ୍ୟାର ୧୩.୭ ପ୍ରତିଶତ ଅପପୁଷ୍ଟିର ଶିକାର ହୋଇଥିବା ବେଳେ ପାଞ୍ଚ ବର୍ଷରୁ କମ୍ ବୟସର ୩୫.୫ ପ୍ରତିଶତ ଶିଶୁ ପୁଷ୍ଟିହୀନ ଅଟନ୍ତି। ସମଗ୍ର ବିଶ୍ୱରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ନ ମିଳିବା କାରଣରୁ ପ୍ରତିଦିନ ପ୍ରାୟ ୭୩୩ ନିୟୁତ ଲୋକ କ୍ଷୁଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରାୟ ୨.୮ ବିଲିୟନ ଲୋକ ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ କରିପାରନ୍ତି ନାହିଁ।

Comments are closed.