www.samajalive.in
Sunday, December 7, 2025
14.1 C
Bhubaneswar

ବୈଷୟିକ ଓ ଆଧ୍ୟାତ୍ମିକ ଜ୍ଞାନ ମିଶିଲେ ଉତ୍କର୍ଷ ସମ୍ଭବ : ରାଜ୍ୟପାଳ

ବୁର୍ଲା: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ଦଶମ ସମାବର୍ତ୍ତନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ବିଭିନ୍ନ ବିଷୟରେ ଶ୍ରେଷ୍ଠତା ହାସଲ କରିଥିବା ୩୧ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି। ବୈଷୟିକ ଜ୍ଞାନ ସହ ଆଧ୍ୟାତ୍ମିକ ଜ୍ଞାନ ମିଶିଲେ ଉତ୍କର୍ଷ ହାସଲ ସମ୍ଭବ ବୋଲି ରାଜ୍ୟପାଳ କହିଛନ୍ତି। ଭିସୁଟ ପରିସରସ୍ଥ ସାର ବିଶ୍ୱେଶ୍ୱରାୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ସମାବର୍ତ୍ତନ ସମାରୋହରେ ପୌରହିତ୍ୟ କରି ରାଜ୍ୟପାଳ କହିଲେ ଯେ ମହାଭାରତରେ ଅର୍ଜୁନ ସବୁ ପ୍ରକାର ଶସ୍ତ୍ର ଓ ସର୍ବଶ୍ରେଷ୍ଠ ପ୍ରଯୁକ୍ତିବିଦ୍ୟା ଥାଇ ମଧ୍ୟ ସମ୍ମୁଖରେ ଆତ୍ମୀୟଙ୍କୁ ଦେଖି ଅସ୍ତ୍ର ତ୍ୟାଗ କରି ଦେଇଥିଲେ। ତେବେ ଶ୍ରୀକୃଷ୍ଣଙ୍କ ଦୀକ୍ଷାନ୍ତ ଭାଷଣ ତାଙ୍କୁ କର୍ତ୍ତବ୍ୟ ପଥରେ ଉଦ୍‍ବୁଦ୍ଧ କରିଥିଲା ଓ ଅର୍ଜୁନ ଯୁଦ୍ଧରେ ବିଜୟଲାଭ କରିଥିଲେ। ତେଣୁ ବୈଷୟିକ ଜ୍ଞାନ ସହ ଆଧ୍ୟାତ୍ମିକ ଜ୍ଞାନର ସମ୍ମିଶ୍ରଣ ଜରୁରି ବୋଲି ରାଜ୍ୟପାଳ କହିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୨ଟି ସ୍ୱର୍ଣ୍ଣପଦକ ଏବଂ ୯ଟି ଡୋନର ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ୧୨୬୪ଜଣ ଛାତ୍ରଛାତ୍ରୀଙ୍କୁ ବି.ଟେକ, ଏମ.ଟେକ, ଏମସିଏ, ଏମଏସସି, ଇଣ୍ଟିଗ୍ରେଟେଡ଼ ଏମଏସସି, ଏମଫିଲ ଏବଂ ପିଏଚଡି ଡିଗ୍ରୀ ପ୍ରଦାନ କରାଯାଇଛି। ବେଙ୍ଗାଲୁରୁ ଏନ.ଏ.ଏ.ସି(ନ୍ୟାସନାଲ ଆସେସମେଣ୍ଟ ଏଣ୍ଡ ଏକ୍ରିଡେସନ କାଉନସିଲ)ର ନିର୍ବାହୀ ଅଧ୍ୟକ୍ଷ ପଦ୍ମଶ୍ରୀ ଡ.ବୀରେନ୍ଦ୍ର ସିଂହ ଚୌହାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ଡ.ଚୌହାନ ଦୀକ୍ଷାନ୍ତ ଭାଷଣରେ ହୀରାକୁଦ ବନ୍ଧର ମହତ୍ତ୍ୱ ବିଷୟରେ ଆଲୋକପାତ କରିବା ସହ ସ୍ୱାଧୀନୋତ୍ତର ଭାରତର ସ୍ଥିତି ଓ କ୍ରମବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ଦେଶ ଗଠନରେ ଶିକ୍ଷାର ଭୂମିକା ବିଷୟରେ ଗୁରୁତ୍ୱାରୋପ କରି କହିଥିଲେ ଯେ, ସ୍ୱାଧୀନତା ପରେ ଦେଶର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ଥିବା ବେଳେ ଏବେ କେବଳ ବିଶ୍ୱବିଦ୍ୟାଳୟ ସଂଖ୍ୟା ୯ ହଜାରରେ ପହଞ୍ଚିଲାଣି। ଭାରତ ଏବେ ଉଚ୍ଚଶିକ୍ଷା କ୍ଷେତ୍ରରେ ଦେଶର ଦ୍ୱିତୀୟତମ ରାଷ୍ଟ୍ର ଭାବେ ଉଭା ହୋଇଛି। ବିଶ୍ୱର ୬ଟି ପ୍ରମୁଖ ଦେଶ ମଧ୍ୟରେ ଆଜି ଭାରତ ସ୍ଥାନ ପାଇଛି ବୋଲି ଡ. ଚୌହାନ କହିଥିଲେ। ସମାରୋହ ଆରମ୍ଭରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଟଳ କୁମାର ଚୌଧୁରୀ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ ବିଶ୍ୱବିଦ୍ୟାଳୟର ସଫଳତା ଓ ଭବିଷ୍ୟତ ଯୋଜନା ବାବଦରେ ସୂଚନା ଦେଇଥିଲେ। ଭାରପ୍ରାପ୍ତ କୁଳସଚିବ ମାନସ ରଞ୍ଜନ କବାଟ ଓ ସମାବର୍ତ୍ତନ ଉତ୍ସବ ସଂଯୋଜକ ଦେବପ୍ରସାଦ ମିଶ୍ରଙ୍କ ସମେତ ସମସ୍ତ ସିଣ୍ଡିକେଟ ଓ ଏକାଡେମିକ୍‍ କାଉନସିଲ ସଦସ୍ୟମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଦେବାଶିଷ ତ୍ରିପାଠୀ, ଶୁଭମ ମହାଜନ, ରୋନକ ବନ୍‍ସଲ, କାଜଲ ସେନ, ଶୁଭକାନ୍ତ ପଟ୍ଟନାୟକ, ଲିପ୍ସା ମିଶ୍ର, ଅମ୍ରିତା ଐଶ୍ୱର୍ଯ୍ୟା, ଆଶୁତୋଷ ଭଟ୍ଟାଚାର୍ଯ୍ୟ, ସୌମ୍ୟସୌରଭ ଷଡ଼ଙ୍ଗୀ, ତାଜଦାର ହୁସେନ ଖାନ, ପୂଜା ପଟ୍ଟନାୟକ, ସ୍ୱାତୀ ପ୍ରିୟମ୍ବଦା ଶତପଥୀ, କମଳ କାନ୍ତ, ଅଞ୍ଜଲି ରାୟ, ତେଜରାଜ ପାଣିଗ୍ରାହୀ, ବିଜୟ ବିକ୍ରମ ସାମଲ, ଜିଜନାସିନୀ ପୃଷ୍ଟି, ସ୍ଥିତପ୍ରଜ୍ଞା ପଟ୍ଟନାୟକ, ଅଭିଲିପ୍ସା ପଣ୍ଡା, ପୂଜା ସାହୁ, ଦିକ୍ଷା ପାଢ଼ୀ, ସୌମ୍ୟ ସୌରଭ ଷଡ଼ଙ୍ଗୀଙ୍କୁ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିବା ବେଳେ ଶୁଭମ ମହାଜନ, ଅଶୁତୋଷ ଭଟ୍ଟାଚାର୍ଯ୍ୟ, ରୌନକ ବଂଶଲ, ଶୈଳଶ୍ରୀ ପ୍ରିୟଦର୍ଶିନୀ, ପ୍ରଜ୍ଞାଶ୍ରୀ ମହାପାତ୍ର, ଶୁଭମ ଦାଶ, କାଜଲ ସେନ ପ୍ରମୁଖ ବିଭିନ୍ନ ବିଭାଗର କୃତୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳ ଡୋନର ସ୍ୱର୍ଣ୍ଣପଦକ ପ୍ରଦାନ କରି ସମ୍ମାନିତ କରିଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories