ବିଜୟ ହଜାରେ ଟ୍ରଫି : ସୌରାଷ୍ଟ୍ରକୁ ହରାଇ କର୍ଣ୍ଣାଟକ ଚମ୍ପିଆନ୍‌

0


ନୂଆଦିଲ୍ଲୀ : ଗତ ୫ ବର୍ଷରେ ୩ୟ ଥର ପାଇଁ ଘରୋଇ ଆନ୍ତଃରାଜ୍ୟ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ଚମ୍ପିଆନ୍‌ ହୋଇଛି କର୍ଣ୍ଣାଟକ। ମଙ୍ଗଳବାର ଫିରୋଜଶାହା କୋଟ୍‌ଲା ଗ୍ରାଉଣ୍ଡରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ସୌରାଷ୍ଟ୍ରକୁ ୪୧ ରନ୍‌ରେ ପରାସ୍ତକରି କର୍ଣ୍ଣାଟକ ଏହି କୃତିତ୍ୱ ହାସଲ କରିଛି। ପୂରା ଟୁର୍ଣ୍ଣାମେଣ୍ଟରେ ଚମତ୍କାର ବ୍ୟାଟିଂ କରିଥିବା ଓପ୍‌ନର ମୟଙ୍କ ଅଗ୍ରୱାଲଙ୍କ ୯୦ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି କର୍ଣ୍ଣାଟକ ୪୫.୫ ଓଭରରେ ୨୫୩ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ପରେ ଚେତେଶ୍ୱର ପୂଜାରା ୯୪ ରନ୍‌ କରିଥିଲେ ହେଁ ସୌରାଷ୍ଟ୍ର ୨୧୨ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା।
ସୌରାଷ୍ଟ୍ର ଟସ୍‌ ଜିତି ଫିଲ୍‌ଡିଂ ନେବା ପରେ ସ୍କୋର୍‌ ମାତ୍ର ୫ ରନ୍‌ ଥିବା ବେଳେ ଦଳର ଦୁଇ ଆନ୍ତର୍ଜାତିକ ବ୍ୟାଟ୍‌ସମ୍ୟାନ୍‌ ଅଧିନାୟକ କରୁଣ ନାୟାର ଓ କେ.ଏଲ୍‌. ରାହୁଲ ଆଉଟ ହୋଇ ଯାଇଥିଲେ। ପରେ ମୟଙ୍କ ଅଗ୍ରୱାଲ ଓ ଆର୍‌. ସମର୍ଥ ୩ୟ ୱିକେଟ ପାଇଁ ୧୩୬ ରନ୍‌ ଯୋଡ଼ିଥିଲେ। ଚଳିତ ସିଜିନ୍‌ରେ ଦେଶର ଏକମାତ୍ର ବ୍ୟାଟ୍‌ସମ୍ୟାନ୍‌ ଭାବେ ଘରୋଇ କ୍ରିକେଟ୍‌ରେ ସମସ୍ତ ଫର୍ମାଟକୁ ମିଶାଇ ୨ ହଜାରରୁ ଅଧିକ ରନ୍‌ କରିଥିବା ମୟଙ୍କ ଅଗ୍ରୱାଲ ୩ୟ ବ୍ୟାଟ୍‌ସମ୍ୟାନ୍‌ ଭାବେ ଆଉଟ ହୋଇଥିଲେ। ବିସ୍ଫୋରକ ବ୍ୟାଟିଂକରି ମୟଙ୍କ ୭୯ ବଲ୍‌ରୁ ୩ଟି ଛକା ଓ ୧୧ଟି ଚୌକା ସହ ୯୦ ରନ୍‌ କରିଥିଲେ। ପରେ ସମର୍ଥ ୬୫ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୪୮ ରନ୍‌କରି ଆଉଟ ହୋଇଥିଲେ। ଷ୍ଟୁଆର୍ଟ ବିନ୍ନି ୫ ରନ୍‌ କରି ପାରିଥିଲେ। ପରେ ପବନ ଦେଶପାଣ୍ଡେଙ୍କ ସହ ଶ୍ରେୟାସ ଗୋପାଳ ୬ଷ୍ଠ ୱିକେଟ ପାଇଁ ୪୧ ରନ୍‌ ଯୋଡ଼ିଥିଲେ। ଗୋପାଳ ୨୮ ବଲ୍‌ରୁ ୬ଟି ଚୌକା ସହ ୩୧ ରନ୍‌ କରିଥିଲେ। ଦେଶପାଣ୍ଡେ ୬୦ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୯ ରନ୍‌ କରିଥିଲେ। ଅଫ୍‌ସ୍ପିନର କମଳେଶ ମକ୍‌ୱାନା ୪ଟି ଓ ଚିରାଗ ଜାନି ୨ଟି ୱିକେଟ ନେଇଥିଲେ। ୨୫୪ ରନ୍‌ ଲକ୍ଷ୍ୟରେ ସୌରାଷ୍ଟ୍ର ୧୫ ରନ୍‌ରେ ୨ଟି ୱିକେଟ ହରାଇଥିଲା। ପରେ ଅଭି ବାରୋତ୍‌ ଓ ରବୀନ୍ଦ୍ର ଜାଡ଼େଜା ୧୫ ରନ୍‌କରି ବିଦାୟ ନେଇଥିଲେ। ୧୦୧ ରନ୍‌ ସ୍କୋର୍‌ରେ ସୌରାଷ୍ଟ୍ର ୩ଟି ୱିକେଟ ହରାଇଥିଲା। ପ୍ରେରକ ମଙ୍କଡ଼ ଓ ଅର୍ପିତ ବାସୱାଡ଼ା ଖାତା ଖୋଲି ପାରିନଥିଲେ। ତେବେ ଗୋଟିଏ ପଟେ ଚେତେଶ୍ୱର ପୂଜାରା ଲଢ଼ୁଆ ବ୍ୟାଟିଂ ଜାରି ରଖିଥିଲେ। ଚିରାଗ ଜାନି ୨୨ ରନ୍‌କରି ଆଉଟ ହେବା ପରେ ଦକ୍ଷିଣ ଆଫ୍ରିକାରୁ ଫେରି କେ.ଏଲ୍‌. ରାହୁଲଙ୍କ ସହ ଏହି ମ୍ୟାଚ୍‌ ଖେଳିଥିବା ଜୟଦେବ ଉନାଦ୍‌କତ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ୧୩୫ ରନ୍‌ରେ ୮ଟି ୱିକେଟ ହରାଇଥିବା ସୌରାଷ୍ଟ୍ରର ପରାଜୟ ନିଶ୍ଚିତ ଲାଗୁଥିଲା। ତେବେ ପୂଜାରା ଓ କମଳେଶ ମକ୍‌ୱାନା ୯ମ ୱିକେଟ ପାଇଁ ଲଢ଼ୁଆ ୬୫ ରନ୍‌ ଯୋଗ କରିଥିଲେ। ପୂଜାରା ରନ୍‌ଆଉଟ ହେବା ସହ ସୌରାଷ୍ଟ୍ର ବିଜୟ ଆଶା ମଉଳି ଯାଇଥିଲା। ପୂଜାରା ୧୨୭ ବଲ୍‌ରୁ ଗୋଟିଏ ଛକା ଓ ୧୦ଟି ଚୌକା ସହ ୯୪ ରନ୍‌ କରିଥିଲେ। ମକ୍‌ୱାନା ୨୦ ରନ୍‌କରି ଅପରାଜିତ ଥିଲେ। କର୍ଣ୍ଣାଟକ ପେସ୍‌ ବୋଲର ଏମ୍‌. ପ୍ରସିଦ୍ଧ କୃଷ୍ଣ ଓ ଅଫ୍‌ସ୍ପିନର କେ. ଗୌତମ ୩ଟି ଲେଖାଏଁ ୱିକେଟ ନେଇଥିଲେ। ମୟଙ୍କ ଅଗ୍ରୱାଲ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।

Leave A Reply