www.samajalive.in
Sunday, December 14, 2025
19.1 C
Bhubaneswar

ବିଜେପିର ‘ପଶ୍ଚିମ’ ଚିନ୍ତା

ଭୁବନେଶ୍ୱର/ସମ୍ବଲପୁର : ପଞ୍ଚାୟତ ନିର୍ବାଚନର ଅପ୍ରତ୍ୟାଶିତ ସଫଳତା, ୮ ଜିଲାରେ ପରିଷଦ ଗଠନ ପରେ ଆତ୍ମବିଶ୍ୱାସରେ ଭରପୁର ବିଜେପିର ମିଶନ ୧୨୦କୁ ବିଜେପୁର ଉପନିର୍ବାଚନ ଦେଇଛି ପ୍ରଚଣ୍ଡ ଧକ୍କା । ଏହି ଧକ୍କା ଏତେ ତୀବ୍ର ହୋଇଛି ଯେ ତିନି ସପ୍ତାହ ପରେ ମଧ୍ୟ ରାଜ୍ୟ ନେତୃତ୍ୱ ଏଯାଏ ଏଥିରୁ ମୁକୁଳି ପାରି ନାହାନ୍ତି । ସଭା-ସମିତି, ହରତାଳ-ବିକ୍ଷୋଭ, ବିବୃତି-ସାମ୍ବାଦିକ ସମ୍ମିଳନୀରେ ପ୍ରତିଦିନ ଗଣମାଧ୍ୟମର ଶୀର୍ଷକ ପାଲଟୁଥିବା ନେତାମାନଙ୍କ ତୁଣ୍ଡ ଖୋଲୁ ନାହିଁ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ଦ୍ରୁତବେଗରେ ବୁଡ଼ିବାକୁ ଯାଉଛି ବୋଲି ମନ୍ତବ୍ୟ କଟା ଘା’ରେ ଚୂନ ମାରିବା ପରି ହୋଇଛି । ତେଣୁ ଦଳର କର୍ମୀମହଲରେ ସୃଷ୍ଟି ହୋଇଥିବା ନୈରାଶ୍ୟ ଦୂର କରିବା ଏବଂ ପଶ୍ଚିମ ଓଡ଼ିଶାରେ ଦଳର ସଙ୍ଗଠନକୁ ପୁନଃ ସଙ୍ଗଠିତ କରିବା ପାଇଁ ଆସନ୍ତାମାସରେ ବଲାଙ୍ଗିର ଓ କଳାହାଣ୍ଡିରେ ଦୁଇଟି ବିଶାଳ ସମାବେଶ ଆୟୋଜନ କରିବାକୁ ଦଳ ନିଷ୍ପତ୍ତି ନେଇଛି। ବଲାଙ୍ଗିରରେ ଦଳ ପକ୍ଷରୁ ଯୁବ ସମାବେଶ ଏବଂ କଳାହାଣ୍ଡିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ସମାବେଶ ପାଇଁ ଆପାତତଃ ଚୂଡ଼ାନ୍ତ ହୋଇଛି । ଖୁବ୍‌ ଶୀଘ୍ର ଏ ସଂକ୍ରାନ୍ତରେ ତାରିଖ ଘୋଷଣା ହେବ ବୋଲି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି।
ପଶ୍ଚିମ ଓଡ଼ିଶାରେ ନିଜର ସ୍ଥିତି ସୁଦୃଢ଼ କରିବା ପାଇଁ ବିଜେଡ଼ି ପୁରା ରଣନୀତି ପ୍ରସ୍ତୁତ କରିଛି। ପ୍ରତି ୩ଟି ନିର୍ବାଚନମଣ୍ଡଳୀକୁ ନେଇ ଗୋଟିଏ କ୍ଲଷ୍ଟର ଏବଂ ପ୍ରତି କ୍ଲଷ୍ଟରରେ ନିର୍ବାଚନ ପରିଚାଳନା ନିମନ୍ତେ ଜଣେ ଦକ୍ଷ ସଙ୍ଗଠକଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ସାଙ୍ଗଠନିକ ଦୃଢ଼ୀକରଣ ସହ ଲୋକଙ୍କୁ ଦଳ ସହ ଯୋଡ଼ିବା ଓ ସାଧାରଣ ଲୋକଙ୍କୁ ପ୍ରଭାବିତ କରିବା ନିମନ୍ତେ ପଶ୍ଚିମ ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ପାଣି, ସଡ଼କ ଆଦି ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ବିଧାନସଭାରେ ବିଜେପିର ମୋଟ ୧୦ ବିଧାୟକଙ୍କ ମଧ୍ୟରୁ ୮ ଜଣ କେବଳ ପଶ୍ଚିମ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଛନ୍ତି । ଏକମାତ୍ର ସାଂସଦ ଜୁଏଲ୍‌ ଓରାମ ମଧ୍ୟ ପଶ୍ଚିମ ଓଡ଼ିଶାରୁ ନିର୍ବାଚିତ ହୋଇଛନ୍ତି। ତେଣୁ ପଶ୍ଚିମ ଓଡ଼ିଶାରେ ବିଜେପିର ସ୍ଥିତିକୁ ଦୁର୍ବଳ କରିବା ପାଇଁ ବିଜେଡ଼ି ଯେଉଁ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିଛି ଓ ଯେଉଁପରି ଭାବରେ ନିର୍ବାଚନ ପରିଚାଳନା କରୁଛି ତାହାର ପ୍ରାଥମିକ ସଫଳତା ବିଜେପୁରରେ ହାସଲ କରିଛି । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଦୁର୍ଗକୁ ଚୁରମାର କରିବା ସହ ବିଜେପିର କଅଁଳୁଥିବା ଆଶାରେ ଏସିଡ଼୍‌ ଢ଼ାଳି ଦେଇଛି । ଏହି ପରିପ୍ରେକ୍ଷୀରେ ନିଜର ‘ପଶ୍ଚିମା ଭୋଟ୍‌’କୁ ସୁରକ୍ଷିତ ରଖିବା ବିଜେପି ପାଇଁ ସବୁଠାରୁ ବଡ଼ ଆହ୍ୱାନ ହୋଇଛି ଏବଂ ବଲାଙ୍ଗୀର ଓ ଭବାନୀପାଟଣାରେ ପ୍ରସ୍ତାବିତ ସମାବେଶ ଏହାର ପ୍ରତିଫଳନ ମାତ୍ର।
ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲାରେ ଦଳର ସଙ୍ଗଠନକୁ ଅଧିକ ଦୃଢ଼ କରିବା ପାଇଁ ଦଳ ଲକ୍ଷ୍ୟଭେଦୀ ପଦକ୍ଷେପ ଗ୍ରହଣ କରିବ । ଯେଉଁ ସଦସ୍ୟ ସଂଖ୍ୟାକୁ ନେଇ ଦଳ ଏକଦା ଗର୍ବ କରୁଥିଲା ଏବେ ସେ ଗର୍ବ ଆଉ ଦେଖିବାକୁ ମିଳୁନାହିଁ। କାରଣ ଯେଉଁମାନେ ମୋବାଇଲ୍‌ ମେସେଜ୍‌ ବା ମିସ୍‌ କଲ୍‌ ଦେଇ ଦଳର ସଦସ୍ୟ ହୋଇଥିଲେ ସେମାନେ ନିର୍ବାଚନରେ ଦଳକୁ ଭୋଟ ଦେବେ ତାହା ବିଶ୍ୱାସ କରି ହେଉ ନାହିଁ। ଓଡ଼ିଶାର ବିଜେପୁର, ଉତ୍ତରପ୍ରଦେଶର ଗୋରଖପୁର ଓ ଫୁଲପୁରରେ ତାହା ପ୍ରମାଣିତ ହୋଇ ସାରିଛି । ବୁଥ୍‌ସ୍ତରରେ ଦଳ କିଛିଟା ସଙ୍ଗଠିତ ହୋଇଥିଲେ ହେଁ ନେତୃତ୍ୱ ସୃଷ୍ଟି ହୋଇ ପାରିନାହିଁ। ଯାହା ଫଳରେ ତଳସ୍ତରରେ ଦଳ ଦିଶାହୀନ ହୋଇ ଯାଇଛି। ପୂର୍ବ ଓଡ଼ିଶା ଦଖଲ ସ୍ୱପ୍ନ ଦେଖିବା ପୂର୍ବରୁ ପଶ୍ଚିମ ଓଡ଼ିଶାରେ ନିଜର ଦୋହଲିଥିବା ସ୍ଥିତିକୁ ସୁଦୃଢ଼ କରିବାକୁ ଦଳ ପ୍ରସ୍ତୁତ କରିଛି ନୂଆ ରଣନୀତି ଏବଂ ବଲାଙ୍ଗୀର ଓ ଭବାନୀପାଟଣାର ପ୍ରସ୍ତାବିତ ସମାବେଶ ଏହାର ଅଂଶବିଶେଷ ବୋଲି ମନେ କରାଯାଉଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories