ବସୁନ୍ଧରାଙ୍କ ଘୋଷଣା: କୋଟିଏ ପରିବାରଙ୍କୁ ମାଗଣା ସ୍ମାର୍ଟ ଫୋନ

0

ଜୟପୁର: ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀ ପରିବାରଙ୍କୁ ଇଣ୍ଟରନେଟ୍‍ ସଂଯୋଗ ସହିତ ମାଗଣା ସ୍ମାର୍ଟ ଫୋନ୍‍ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଘୋଷଣା ଦ୍ୱାରା ଏକ କୋଟିରୁ ଅଧିକ ପରିବାର ଉପକୃତ ହେବେ। ଏହି ଯୋଜନାର ନାମ ‘ଭାମଶାହ ଡିଜିଟାଲ ପରିବାର ଯୋଜନା’ ରଖାଯାଇଛି। ଯୋଜନା ସମ୍ପର୍କରେ ଘୋଷଣା କରି ମଙ୍ଗଳବାର ସିନ୍ଧିଆ କହିଛନ୍ତି ଯେ ପ୍ରତି ହିତାଧିକାରୀଙ୍କୁ ‘ଭାମଶାହ କାର୍ଡ’ ଯୋଗାଇ ଦିଆଯାଉଛି। ପ୍ରତ୍ୟେକ ପରିବାରର ବୟୋଜ୍ୟେଷ୍ଠ ବା ମୁରବି ମହିଳାଙ୍କୁ ଏହି କାର୍ଡ ମିଳିବ ଓ ଏହା ମାଧ୍ୟମରେ ମୋଟ ୫୪ ପ୍ରକାର ସେବା ଉପଲବ୍ଧ ହେବ। ଛ’କୋଟିରୁ ଅଧିକ ସଦସ୍ୟ ଥିବା ରାଜ୍ୟର ୧କୋଟି ୬୪ଲକ୍ଷ ପରିବାର ଏହି କାର୍ଡରେ ସଂଯୁକ୍ତ ହୋଇଛନ୍ତି। ସେଥିମଧ୍ୟରୁ ୧କୋଟି ୩ଲକ୍ଷ ପରିବାରଙ୍କୁ ଡିଜିଟାଲ ପରିବାର ଯୋଜନାରେ ମାଗଣା ସ୍ମାର୍ଟ ଫୋନ୍‍ ମିଳିବ। ପରିବାର ପିଛା ଫୋନ୍‍ ସଂଯୋଗ ପାଇଁ ଦୁଇ ପର୍ୟ୍ୟାୟରେ ୧୦୦୦ଟଙ୍କା ସେମାନଙ୍କ ବ୍ୟାଙ୍କ ଏକାଉଣ୍ଟରେ ଜମା କରାଯିବ ଓ ସ୍ୱତନ୍ତ୍ର ଶିବିର ଆୟୋଜନ ମାଧ୍ୟମରେ ପ୍ରଦାନ କରାଯିବ। ଫେନ୍‍ ନିର୍ମାତା କମ୍ପାନୀ ଓ ଟେଲିକମ୍‍ ସଂସ୍ଥା ଓ ଜିଲା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଫୋନ୍‍ ପ୍ରଦାନ, ଇଣ୍ଟରନେଟ୍‍ ସଂଯୋଗ ସହିତ ବିଭିନ୍ନ ସରକାରୀ ଆପ୍‍ ଡାଉନ୍‍ଲୋଡ୍‍ କରାଯିବ। କଂଗ୍ରେସ ପକ୍ଷରୁ ସିନ୍ଧିଆଙ୍କୁ ଏହି ପରିପ୍ରେକ୍ଷୀରେ ସମାଲୋଚନା କରାଯାଇଛି। କୌଣସି ବିକାଶମୂଳକ କାର୍ୟ୍ୟ କରିନଥିବା ରାଜ୍ୟ ସରକାର ଏବେ କ୍ଷମତା ପାଇଁ ବ୍ୟାକୁଳ ହୋଇ ଏଭଳି ଯୋଜନା କାର୍ୟ୍ୟକାରୀ କରିଛନ୍ତି ବୋଲି କହିଛନ୍ତି ଦଳର ନେତା ସଚିନ ପାଇଲଟ।

Leave A Reply