ବନବାସୀଙ୍କୁ ଉଚ୍ଛେଦ,ପ୍ରଥମେ ଥଇଥାନ ବ୍ୟବସ୍ଥା ନିଶ୍ଚିତ କରାଯାଉ
ଓଡ଼ିଶା ସମେତ ଦେଶର ୧୬ଟି ରାଜ୍ୟର ଜଙ୍ଗଲାଞ୍ଚଳରେ ବସବାସ କରୁଥିବା ୧୧ଲକ୍ଷ ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କୁ ଉଚ୍ଛେଦ କରିବାକୁ ସୁପ୍ରିମକୋର୍ଟ ଯେଉଁ ନିର୍ଦେଶ ଦେଇଥିଲେ ସଂପୃକ୍ତ ପ୍ରଦେଶମାନଙ୍କର ଅର୍ଜିକୁ ବିଚାରକୁ ନେଇ ନିକଟରେ ତା’ଉପରେ ସର୍ବୋଚ୍ଚଅଦାଲତ ରହିତାଦେଶ ଜାରି କରିଛନ୍ତି। ୨୦୦୬ର ଜଙ୍ଗଲ ଅଧିକାର ଆଇନ ଅନୁସାରେ ଏସବୁ ଲୋକଙ୍କର ଜଙ୍ଗଲରେ ରହିବାର ଅଧିକାର ନାହିଁ। ଏହା ଏକ ସାମୟିକ ଆଶ୍ବାସନାର ବିଷୟ ଯେ ଏହି ଆଦିବାସୀ ଓ ବନବାସୀ ଏବେ ନିଜ ଭିଟାମାଟିରୁ ଉଚ୍ଛେଦ ହେବେନାହିଁ। ତେବେ ଏସବୁ ବର୍ଗର ଲୋକଙ୍କ ସାମାଜିକ, ଆର୍ଥିକ ସ୍ଥିତି ଯାହା ସେମାନଙ୍କୁ ଜଙ୍ଗଲ ଜମିରୁ ଉେଚ୍ଛଦ କଲେ ସେମାନେ ଦାଣ୍ଡର ଭିକାରି ପାଲଟିବା ନିଶ୍ଚିତ। ଅତଏବ ରହିତାଦେଶ ବା ଆଇନଗତ ଲଢ଼େଇ ଶେଷଯାଏ ଅପେକ୍ଷା ନ’କରି ଏହି ଲୋକଙ୍କୁ ସ୍ଥାୟୀଭାବେ ଥଇଥାନ କରିବାର ଆବଶ୍ୟକତା ରହିଛି। ଯେଉଁମାନେ ପାରମ୍ପରିକ ବନବାସୀ, ବିଶେଷକରି ଆଦିବାସୀ ସେମାନଙ୍କର ଜଙ୍ଗଲରେ ରହିବା ଅଧିକାର ତୁଟିଗଲେ ସେମାନେ ଅଧିକ କ୍ଷତିଗ୍ରସ୍ତ ହେବେ। ତେେବ ଯେଉଁମାନେ ଆଦିବାସୀ ନୁହନ୍ତି, ଅଥଚ ପୁରୁଷାନୁକ୍ରମେ ବନାଞ୍ଚଳରେ ବସବାସ କରୁଛନ୍ତି ସେମାନଙ୍କ ପାଇଁ ପ୍ରସଙ୍ଗଟି କିଞ୍ଚିତ ଭିନ୍ନ।
ତେବେ ସେ ଯା’ ହେଉ ପାରମ୍ପରିକ ବନବାସୀ ଜଙ୍ଗଲ ଲୁଟ କରିବାର ଉଦାହରଣ ବିରଳ; ସେମାନେ ବରଂ ଏହାର ସୁରକ୍ଷା କରିଥାନ୍ତି। ତେଣୁ ସେମାନେ ଯେପରି ଜଙ୍ଗଲ ଜମିରେ ରହିବାର ଅଧିକାର ପାଇବେ ସେଥିପାଇଁ ଆଇନର ସଂଶୋଧନ ଜରୁରୀ। ଆବଶ୍ୟକ ପଡ଼ିଲେ ଏହି ବନବାସୀମାନଙ୍କ ପାଇଁ ଚୀନ ଢ଼ାଞ୍ଚାରେ ସ୍ବତନ୍ତ୍ର ଆଇନ କରି ସେମାନଙ୍କୁ ବନ ଓ ପରିବେଶ ସୁରକ୍ଷା କାର୍ଯ୍ୟରେ ବିନିଯୋଗ କଲେ ଭଲ ହେବ। ଏହାଦ୍ବାରା ଏହି ଗରିବ ଲୋକମାନେ ରୋଜଗାର ପାଇବେ ଏବଂ ଜଙ୍ଗଲ ସୁରକ୍ଷାସହ ନୂତନ ଜଙ୍ଗଲ ସୃଷ୍ଟି ହୋଇପାରିବ। ଅଭିଯୋଗ ହେଉଛି ଯେ ଜଙ୍ଗଲର ମାତ୍ରାଧିକ ବ୍ୟାବସାୟିକ ଉପଯୋଗ ଯୋଗୁଁ ଏହା କ୍ଷତିଗ୍ରସ୍ତ ହେଉଛି। ପ୍ରଶ୍ନ ଉଠୁଛି ଏଥିପାଇଁ କ’ଣ ଏଇ ବନବାସୀମାନେ କେବଳ ଦାୟୀ? ସେମାନଙ୍କୁ ହଟାଇ ଜଙ୍ଗଲସୁରକ୍ଷା କାର୍ଯ୍ୟରେ ବଜାରର ତଥାକଥିତ ପେସାଦାର କମ୍ପାନୀ ଓ ସଂସ୍ଥାକୁ ଏ ଦାୟିତ୍ବଦେଲେ ଜଙ୍ଗଲ ସୁରକ୍ଷିତ ହୋଇପାରିବ ତ? ୨୦୦୬ ଜଙ୍ଗଲ ଆଇନ କାର୍ଯ୍ୟକାରୀ ହେଉ; କିନ୍ତୁ ଏଥିରେ ପାରମ୍ପରିକ ବନବାସୀଙ୍କୁ ଉଚ୍ଛେଦ ନ’କରି ବିକଳ୍ପ ଥଇଥାନ ବ୍ୟବସ୍ଥା କରାଯାଉ। ପ୍ରଚଳିତ ନ୍ୟାୟ କହୁଛି ‘ଦଖଲ, ଆଇନର ନବ ଦଶମାଂଶ’। ଏହାକୁ ସମ୍ମାନ ଦିଆଯାଉ।