ବଜ୍ର ପ୍ରହାର

0

ପଡ଼ିଆରେ ଚାଲିଥିଲା ହକି ମ୍ୟାଚ୍‌ । କ୍ରୀଡ଼ାବିତ୍‌ ଜାଣି ନ ଥିଲେ ଏହି ଖେଳ ହେବ ସେମାନଙ୍କର କାଳ । ହଠାତ୍‌ ମାରିଲା ଘଡ଼ଘଡ଼ି । ଆଉ ବଜ୍ରପାତରେ ଟଳିପଡିଲେ ୩ ଖେଳାଳି । ଗୁରୁତର ହେଲେ ଆଉ ୨ ଜଣ ପିଲା । ମୃତକଙ୍କ ମଧ୍ୟରେ ଥିଲେ ଗୋଟିଏ ପରିବାରର ଦୁଇଭାଇ । ସୁନ୍ଦରଗଡ଼ ଜିଲା ଶଙ୍କରାବାହାଲ ଗାଁର ଏହା ଥିଲା ରବିବାରର ଦାରୁଣ ଘଟଣା । ଗାଁ ଗହଳିରେ କୌଣସି ଲୋକ ଅତି ବିପଦ (ଅନ୍ୟାନ୍ୟ ସମସ୍ୟା)ରେ ପଡ଼ିଲେ ସାଧାରଣରେ କୁହାଯାଏ- ତା’ ମୁଣ୍ଡରେ ବଜ୍ର ପଡିଲା । ସତରେ ଶଙ୍କରାବାହାଲ ଗାଁର ଏହି ପରିବାର ପାଇଁ ବଜ୍ରପ୍ରହାର ହିଁ ନେଲା ଦୁଇ ଦୁଇଟି ଅମୂଲ୍ୟ ଜୀବନ । ୨୦୧୫ ମାର୍ଚ୍ଚରେ ଅନୁରୂପ ଏକ ଅଭାବନୀୟ ଘଟଣା ଘଟିଥିଲା ଖୋର୍ଦ୍ଧା ଜିଲା ଜରିପୁଟ ଅଞ୍ଚଳରେ । ଗାଁ ପଡିଆରେ କ୍ରିକେଟ୍‌ ଖେଳୁଥିବାବେଳେ ଆକସ୍ମିକ ବଜ୍ର ପଡି ଲୋଟିଗଲା ୬ଟି ଦୁର୍ଲଭ ଜୀବନ । ଏମିତି ହିସାବ ଦେଖିଲେ ଓଡ଼ିଶାରେ ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ଅତି ଉଦ୍‌ବେଗଜନକ। ଗତ ୫ ବର୍ଷରେ ରାଜ୍ୟରେ ବଜ୍ରପାତ ଗଡ଼ାଇଲାଣି ୧୬୨୩ଟି ମୁଣ୍ଡ । ଅର୍ଥାତ୍‌ ବର୍ଷକୁ ବଜ୍ରପାତ ଯୋଗୁଁ ହାରାହାରି ୩୨୫ ଲୋକଙ୍କ ପ୍ରାଣହାନି ଘଟୁଛି । ରାଜ୍ୟରେ ବାତ୍ୟା, ଘୂର୍ଣ୍ଣିଝଡ଼, ପ୍ରବଳ ବର୍ଷା, ଅଂଶୁଘାତ, ବୋଟ୍‌ ବୁଡ଼ି, ସାପ କାମୁଡ଼ା ଓ ଗାଧୋଇବା ବେଳେ ବୁଡ଼ିଯିବା ଭଳି ଆକସ୍ମିକ ଦୁର୍ଘଟଣା ଅପେକ୍ଷା ବଜ୍ରପାତ ମୃତ୍ୟୁ ସର୍ବାଧିକ । ଗତ ୩୬ ଘଣ୍ଟାରେ ୩୪ ଜଣଙ୍କ ମୃତ୍ୟୁ ଘଟିବା ଉପରୋକ୍ତ ହିସାବର ଏକ ସ୍ପଷ୍ଟୀକରଣ ବୋଲି ଗ୍ରହଣ କରାଯାଇପାରେ । ବିଶେଷକରି ରାଜ୍ୟରେ ଅନ୍ୟାନ୍ୟ ପ୍ରାକୃତିକ ଅଘଟଣଜନିତ ମୃତ୍ୟୁ ଅପେକ୍ଷା ବଜ୍ରପାତଜନିତ ଜୀବନହାନି ୩୦ ପ୍ରତିଶତ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ସଂଖ୍ୟା କେବଳ ମେ ମାସରୁ ସେପ୍ଟେମ୍ବର ମଧ୍ୟରେ ୮୫ ପ୍ରତିଶତ । ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର ପୂର୍ବୋକ୍ତ ୮ଟି ବିପର୍ଯ୍ୟୟ ମଧ୍ୟରୁ ଅଂଶୁଘାତକୁ ଛାଡ଼ି ଅନ୍ୟାନ୍ୟ ବିତ୍ପାତଜନିତ ମୃତ୍ୟୁ ଲାଗି ପ୍ରତି ମୃତକଙ୍କ ପରିବାରକୁ ୧.୫ ଲକ୍ଷ ଟଙ୍କା ପରିବର୍ତ୍ତେ ୩ ବର୍ଷ ହେଲା ଅନୁକମ୍ପା ରାଶିକୁ ୪ ଲକ୍ଷ ଟଙ୍କାକୁ ବଢାଇଛନ୍ତି ।
ତେବେ ଅନୁକମ୍ପା ଓ କ୍ଷତିପୂରଣ ରାଶି ବଢାଇବା ସମସ୍ୟାର ପ୍ରକୃତ ସମାଧାନ ନୁହେଁ । ଏଥିଲାଗି ରାଜ୍ୟ ସରକାର ଆସନ୍ତା ସପ୍ତାହରେ କୁଆଡେ ଏକ୍ଷେତ୍ରରେ ଆଗୁଆ ସୂଚନା ପ୍ରଦାନ କରୁଥିବା ଆମେରିକାର ଏକ ସଂସ୍ଥା ‘ଆର୍ଥନେଟୱର୍କ’ ସହ ବୁଝାମଣାପତ୍ର ସ୍ୱାକ୍ଷର କରିବାକୁ ଯାଉଛନ୍ତି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ବଜ୍ରପାତର ଏକଘଣ୍ଟା ପୂର୍ବରୁ ସଂପୃକ୍ତ ଅଞ୍ଚଳର ଲୋକଙ୍କୁ ଆଗୁଆ ସୂଚନା ମିଳିପାରିବ । ସେମାନେ ସଚେତନ ହୋଇ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇପାରିବେ । ବଡ଼ବଡ଼ ଉଚ୍ଚସ୍ଥାନ, ଅଟ୍ଟାଳିକାରେ ଏହି ସଂସ୍ଥା ଲାଇଟିନିଙ୍ଗ୍‌ ଆରେଷ୍ଟର ଲଗାଇବା ସହ ସେନ୍‌ସର୍‌ ଖଞ୍ଜି ଆଗୁଆ ତଥ୍ୟ ହାସଲ କରିପାରିବ । ଆମେରିକାରେ ଏହାକୁ ଲଗାଯାଇ ଏଥିରୁ ସୁଫଳ ମିଳିଛି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏକଘଣ୍ଟା ପୂର୍ବରୁ ସୂଚନା ତ’ ମିଳିଯିବ; କିନ୍ତୁ ଏହି ସୂଚନାକୁ ବିଜୁଳିବେଗରେ ସଂପୃକ୍ତ ଅଞ୍ଚଳର ଲୋକଙ୍କ ନିକଟରେ ପହଞ୍ଚାଇବା ସରକାର ତଥା ପ୍ରଶାସନ ଲାଗି ସବୁଠୁ ବଡ଼ ଆହ୍ୱାନ । ଫେସ୍‌ବୁକ୍‌, ଟ୍ୱିଟର, ହ୍ୱାଟ୍ସଆପ୍‌, ଇନ୍‌ଷ୍ଟାଗ୍ରାମ, ଟେଲିଭିଜନ ଓ ଏସଏମଏସ ଜରିଆରେ ଏହି ପ୍ରାକ୍‌ ସୂଚନାକୁ ତ୍ବରିତ୍‌ ପହଞ୍ଚାଇବା ଲାଗି ସରକାର ଓ ସଂପୃକ୍ତ ସଂସ୍ଥା ବ୍ୟବସ୍ଥା କରିବେ । ଅବଶ୍ୟ ଏଇ କିଛିବର୍ଷ ହେଲା ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ଏସଂକ୍ରାନ୍ତରେ ଆଗୁଆ ସତର୍କ ସୂଚନା ଜାରି କରାଯାଉଛି । କେଉଁ କେଉଁ ଜିଲାରେ ବଜ୍ରପାତ ଘଟିବା ଆଶଙ୍କା ରହିଛି ତା’ର ପୂର୍ବାନୁମାନ କରି ବିଭାଗ ତରଫରୁ ମଧ୍ୟ ସୂଚନା ଦିଆଯାଉଛି । ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ମଧ୍ୟ ତଥ୍ୟ ମିଳୁଛି । ମାତ୍ର ଏକ୍ଷେତ୍ରରେ ସାଧାରଣରେ ଯେଭଳି ସଚେତନତା ଆସିବା କଥା ତାହା ସମ୍ଭବପର ହୋଇପାରୁନି; ଫଳରେ ଆସନ୍ନ ମୃତ୍ୟୁ ରୋକିବା ସମ୍ଭବପର ହୋଇପାରୁନି । ଏଭଳି ଶୀତଳ ମୃତ୍ୟୁର ଶିକାର ହେଉଛନ୍ତି ବିଶେଷକରି ଶ୍ରମଜୀବୀ ଓ ଗରିବ ଶ୍ରେଣୀର ଲୋକ । କୃଷି ଓ ନିର୍ମାଣକ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ, କେନ୍ଦୁପତ୍ର ତୋଳାଳି ବଜ୍ରପାତରେ ଅକାଳରେ ଜୀବନ ହରାଉଛନ୍ତି । ଏମାନଙ୍କ ଆଗୁଆ ସତର୍କ କରାଇବା ଓ ସଚେତନତା ବଢାଇବା ଏକ ବଡ଼ ଚାଲେଞ୍ଜ ସରକାରଙ୍କ ଲାଗି । କେବଳ ସରକାର ନୁହନ୍ତି, ସାମାଜିକ ଅନୁଷ୍ଠାନ, ସଂସ୍ଥା, ସ୍ୱେଚ୍ଛାସେବୀ, ପ୍ରତିଟି ସଚେତନ ନାଗରିକ ମଧ୍ୟ ଏନେଇ ଜନସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଏବେ ମଧ୍ୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ କିଭଳି ବଜ୍ରପାତଜନିତ ବିପଦକୁ ଏଡାଇ ନିଜକୁ ସୁରକ୍ଷିତ ରଖିପାରିବେ ସେଥିପାଇଁ ଅନେକ ସଚେତନତାମୂଳକ ତଥ୍ୟ ଓ ସୂଚନା ଆଦାନପ୍ରଦାନ କରାଯାଉଛି । ସରକାର ମଧ୍ୟ ବିଭିନ୍ନ ସମୟରେ ଏସଂକ୍ରାନ୍ତରେ ବିଜ୍ଞାପନ ଜରିଆରେ ସତର୍କ ଓ ସଚେତନ କରାଉଛନ୍ତି ।
ତଥାପି ପ୍ରକୃତିର ତାଣ୍ଡବ ଏହି ବଜ୍ରପାତଜନିତ ଆକସ୍ମିକ ଜୀବନଦୀପ ଲିଭିବାର ପରିସଂଖ୍ୟାନ ହ୍ରାସ ପାଉନାହିଁ । ମାଲକାନଗିରି, ଗଜପତି, ଦେଓଗଡ଼, କନ୍ଧମାଳ, ଝାରସୁଗୁଡ଼ା, ରାୟଗଡ଼ା ଭଳି ପାର୍ବତ୍ୟାଞ୍ଚଳ ଓ ଜଙ୍ଗଲବହୁଳ ଜିଲାରେ ବଜ୍ରପାତ ମୃତ୍ୟୁ କମ୍‌ ଥିବାବେଳେ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାର ଜିଲାଗୁଡ଼ିକରେ ଏହି ପରିସଂଖ୍ୟାନ ଅତ୍ୟନ୍ତ ଚିନ୍ତାଜନକ । ଅତୀତରେ ସୁଦୀର୍ଘ ତାଳଗଛ, ନଡିଆଗଛ ସଂଖ୍ୟା ଅଧିକ ଥିବାରୁ ଏଗୁଡିକ ଏକପ୍ରକାର ଲାଇଟିନିଂ ଆରେଷ୍ଟର (ବଜ୍ରପାତରୋଧୀ) ଭାବେ କାର୍ଯ୍ୟ କରୁଥିଲା । ଏବେ ବାଇଚଢେଇ ତ ଅବଲୁପ୍ତ ହେବାକୁ ବସିଲାଣି, ତାଳଗଛ ବା ଆସିବ କୁଆଡୁ । ନିକଟରେ ଜଗତସିଂହପୁର ଜିଲା ପ୍ରଶାସନ କେନାଲ କୂଳରେ ତାଳଗଛ ରୋପଣ ନେଇ ଯେଉଁ ଅଭିନବ ପଦକ୍ଷେପ ନେଇଛନ୍ତି ତାହା ପ୍ରଶଂସନୀୟ ।
ପ୍ରକୃତି ଉପରେ ମାନବ ସଭ୍ୟତାର ଯେଉଁ ସଂହାରଲୀଳା ଚାଲିଛି , ଝଡ଼ବାତ୍ୟା ଓ ବଜ୍ରପାତ ତା’ର ଗୋଟିଏ ଗୋଟିଏ ପ୍ରତିଫଳନ । ତେଣୁ ପ୍ରକୃତିର ସୁରକ୍ଷା ସହ ଜନସଚେତନତାକୁ ମଣିଷ ରୋକିନପାରେ; ମାତ୍ର ତଦ୍‌ଜନିତ ମୃତ୍ୟୁସଂଖ୍ୟାକୁ ନିଶ୍ଚିତ ରୂପେ କମାଇପାରିବ । ଅନୁକମ୍ପା ରାଶି ଅପେକ୍ଷା ବ୍ୟାପକ ସଚେତନତା ଓ ସବୁଜବଳୟ ସୃଷ୍ଟି ହିଁ ଠିକଣା ପ୍ରତିକାର ।

Leave A Reply