ପୁରୀ-ଭୁବନେଶ୍ୱର ବସ୍ ଚଳାଚଳ ବନ୍ଦ
ପୁରୀ: ଯାତ୍ରୀବାହୀ ବସ୍ ଚଳାଚଳ ସମୟକୁ କେନ୍ଦ୍ରକରି ପୁଣିଥରେ ବିବାଦ ଦେଖାଦେଇଛି। ପୁରୀ-ଭୁବନେଶ୍ୱର ମଧ୍ୟରେ ୨ଦିନ ଧରି ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ମାଲିକଙ୍କ ମଧ୍ୟରେ ବ୍ୟବସାୟିକ କଳି ଯୋଗୁଁ ସାଧାରଣ ଜନତା ନାହିଁନଥିବା ଦୁର୍ଦଶା ଭୋଗୁଛନ୍ତି। ଜିଲା ପ୍ରଶାସନ, ପୁଲିସ ଏବଂ ପରିବହନ ବିଭାଗ ନିରବ ହୋଇ ବସିଛି। ପୁରୀ ଓ ଭୁବନେଶ୍ୱର ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ ତୀବ୍ର ଆକାର ଧାରଣ କରିଛି। ପୁରୀ ବସ୍ଷ୍ଟାଣ୍ଡରେ
ଭୁବନେଶ୍ୱର ମାଲିକଙ୍କ କିଛି ଯାତ୍ରୀବାହୀ ବସ୍ ଅଟକ ରଖାଯାଇଥିବାବେଳେ ଭୁବନେଶ୍ୱରରେ ପୁରୀ ମାଲିକଙ୍କ ବସ୍ ଅଟକ ରଖାଯାଇଛି। କେନ୍ଦ୍ରାଞ୍ଚଳ ପୁଲିସ ଆଇଜିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବୈଠକ ନିଷ୍ପତ୍ତି ୨ଟିଯାକ ବସ୍ ମାଲିକ ସଂଘ ମାନୁ ନାହାନ୍ତି। ଏଥିଯୋଗୁଁ ପୁରୀରେ ପ୍ରାୟ ୬୦ଟି ବସ୍ ଅଟକି ରହିଛି।
ଏ ସମ୍ପର୍କରେ ପୁରୀ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଲୋକନାଥ ପାଣିଙ୍କୁ ପଚାରିବାରୁ ସେ କହିଲେ ଭୁବନେଶ୍ୱର ସଂଘର କେତେକ ସଭ୍ୟ ବାରମ୍ବାର ପୁରୀରୁ ଯାଉଥିବା ବସ୍ଗୁଡ଼ିକୁ ବରମୁଣ୍ଡା ଏବଂ କଳ୍ପନା ଷ୍ଟାଣ୍ଡରେ ହଇରାଣ କରୁଛନ୍ତି। ବାରମ୍ବାର ଆଲୋଚନା ସତ୍ତ୍ବେ ସେଥିରୁ ସଫଳତା ମିଳୁନାହିଁ। ପୁରୀ ବସ୍ଗୁଡ଼ିକୁ ଯାତ୍ରୀ ଉଠାଇବାରେ ଭୁବନେଶ୍ୱର ମାଲିକ ବାଧା ଦେଉଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ବସ୍ ଚଳାଇବା ସମ୍ଭବପର ନୁହେଁ ବୋଲି ଶ୍ରୀ ପାଣି ଗଣମାଧ୍ୟମକୁ କହିଛନ୍ତି। ଏଥିନେଇ ଭୁବନେଶ୍ୱର ସଂଘ କର୍ମକର୍ତ୍ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।