ପାକିସ୍ତାନରେ ପ୍ରଥମ ଘଟଣା: ଦଳିତ ହିନ୍ଦୁ ମହିଳା ସିନେଟର ନିର୍ବାଚିତ

0

କରାଚି: ମୁସଲମାନ ବହୁଳ ପାକିସ୍ତାନର ସିନ୍ଧ ପ୍ରଦେଶର ଦଳିତ ହିନ୍ଦୁ ମହିଳା କୃଷ୍ଣା କୁମାରୀ କୋହ୍ଲି ପ୍ରଥମଥର ପାଇଁ ସିନେଟର ଭାବେ ନିର୍ବାଚିତ ହୋଇଛନ୍ତି। ୩୯ ବର୍ଷୀୟା କୃଷ୍ଣା ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ନେତୃତ୍ୱାଧୀନ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ପକ୍ଷରୁ ମନୋନୀତ ହୋଇଥିଲେ। ସୂଚନାଯୋଗ୍ୟ, ସିନ୍ଧ ଅଞ୍ଚଳର ଉକ୍ତ ସିଟ୍‌ ମହିଳାଙ୍କ ଲାଗି ସଂରକ୍ଷିତ ଥିଲା। ଏହି ନିର୍ବାଚନରେ କୃଷ୍ଣା ବିପକ୍ଷ ତାଲିବାନ ସହ ଜଡ଼ିତ ଜଣେ ମୌଲାନାଙ୍କୁ ପରାଜିତ କରିଛନ୍ତି। ତେବେ କୃଷ୍ଣା ସିନେଟର ଭାବେ ନିର୍ବାଚିତ ହେବା ଦ୍ୱାରା ପାକିସ୍ତାନରେ ରହୁଥିବା ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଲାଗି ଆଶାର ଆଲୋକ ପାଲଟି ଯାଇଛନ୍ତି। ସେ ସିନ୍ଧ ପ୍ରାନ୍ତରର ଥାର ସୁଦୂର ନଗରପାରକର ଜିଲାର ବାସିନ୍ଦା। ୧୯୭୯ ମସିହାରେ ଜନ୍ମଲାଭ କରିଥିବା କୃଷ୍ଣାଙ୍କ ବିବାହ ମାତ୍ର ୧୬ ବର୍ଷ ବୟସରେ ହୋଇଥିଲା। ସେହି ସମୟରେ ସେ ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ। ତେବେ ବିବାହ ପରେ କୃଷ୍ଣା ପାଠପଢ଼ା ଜାରି ରଖିଥିଲେ ଏବଂ ୨୦୧୩ରେ ସିନ୍ଧ ବିଶ୍ୱବିଦ୍ୟାଳୟରୁ ସମାଜଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ବିଶ୍ୱବିଦ୍ୟାଳୟରେ ପଢ଼ା ସମୟରେ ହିଁ ସେ ପିପିପିରେ ଯୋଗଦେଇଥିଲେ।

Leave A Reply