ପତ୍ନୀ ଦୃଷ୍ଟିହୀନ, ଝିଅ ଭିନ୍ନକ୍ଷମ ; ପ୍ରଶାସନ କୁମ୍ଭକର୍ଣ୍ଣ

0

କୃଷ୍ଣପ୍ରସାଦ: ସତୁରୀପର ବୃଦ୍ଧ ତ୍ରିନାଥ ବିଶ୍ୱାଳଙ୍କ ପାଇଁ ବିପଦ ଯେମିତି ବୋଝ ଉପରେ କୋରଡ଼ା ମାଡ଼ କରିଛି। ପତ୍ନୀ ଦୃଷ୍ଟିହୀନ ଓ ଝିଅ ଭିନ୍ନକ୍ଷମ; ଅଥଚ ଏଭଳି ବୃଦ୍ଧଙ୍କୁ ସହାୟତା ଲାଗି ପ୍ରଶାସନ କୁମ୍ଭକର୍ଣ୍ଣ ପାଲଟିଛି। ନା ଅଛି ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ କୁଡ଼ିଆ ଯୋଜନାରେ ଘର, ନା ଦିଆଯାଇଛି ପତି-ପତ୍ନୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ନା ମିଳିଛି ଅଭିଆଡ଼ି ଝିଅକୁ ଭିନ୍ନକ୍ଷମ ଭତ୍ତା ଓ ସହାୟତା। ଫାଇଲିନ୍‌ରେ ଉଜୁଡି ଥିବା ଘରେ ଏବେ ପଲିଥିନ୍ ଟାଣି ମୁଣ୍ଡ ଗୁଞ୍ଜିଛି ତ୍ରିନାଥଙ୍କ ତିନିପ୍ରାଣୀ ପରିବାର। ଅତ୍ୟନ୍ତ ଦୟନୀୟ ଭାବେ ଜୀବନ ବିତାଉଥିଲେ ବି ସରକାରଙ୍କ ପ୍ରଚାରସର୍ବସ୍ବ ଯୋଜନା ଏହି ଭିନ୍ନକ୍ଷମ ଗରିବ ପରିବାରଟି ଲାଗି ସତେଯେମିତି ଏକବାର ବାଟବଣା ହୋଇଯାଇଛି।
ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବଡ଼ଝାଡ଼ ପଞ୍ଚାୟତ ମର୍ଦ୍ଦରାଜପୁର ଗ୍ରାମର ତ୍ରିନାଥ ବିଶ୍ୱାଳ। ପତ୍ନୀ, ୬ ଝିଅ ଓ ୨ ପୁଅଙ୍କୁ ନେଇ ତାଙ୍କ ସଂସାର। ଅର୍ଥାଭାବରୁ ସେ ମଇଁଷି ଜଗୁଥିବା ବେଳେ ଦୁଇ ପୁଅ ମୂଲ ଲାଗି ଦୁଃଖକଷ୍ଟେ ଚଳାଉଥିଲେ ପରିବାର। ପଇସାପତ୍ର ନ ଥିବାରୁ ପାଞ୍ଚ ଝିଅ ନିଜ ନିଜର ମନ ମୁତାବକ ବର ବାଛି ଶାଶୂଘରକୁ ଚାଲିଗଲେ । ଏହାପରେ ତ୍ରିନାଥଙ୍କ ଭାଗ୍ୟରେ ଘୋଟି ଆସିଲା କଳାବାଦଲ । ବୟସାଧିକ୍ୟ ହେତୁ ତ୍ରିନାଥ ଆଉ ପୂର୍ବଭଳି କାମ କରିପାରୁନଥିବା ବେଳେ ସ୍ତ୍ରୀଙ୍କ ଆଖିରୁ କ୍ରମଶଃ ଦୃଷ୍ଟିଶକ୍ତି କମିବାରେ ଲାଗିଲା । ଏବେ ଆଦୌ ଦିଶୁନି । ୨୯ ବର୍ଷିୟ ଝିଅ ଶର୍ମିଷ୍ଠାର ଆଣ୍ଠ ୁଦରଜ ହୋଇ ଫୁଲିଥିବାବେଳେ ସେ ଆଉ ଚଲାବୁଲା କରିପାରୁ ନାହିଁ । ଗୋଟିଏ ଅଙ୍ଗ ସମ୍ପୂର୍ଣ୍ଣ ନଷ୍ଟ ହୋଇ ସେ ଏବେ ଶଯ୍ୟାଶାୟୀ। ଭିନ୍ନକ୍ଷମ ଝିଅ ଏବେ ପରିବାର ଉପରେ ବୋଝ ହୋଇଛି। ଗଲା ଫାଇଲିନରେ ତ୍ରିନାଥଙ୍କ କୁଡ଼ିଆଟି ମାଟିରେ ମିଶିଗଲା । ପୂରା ଘର ଭାଙ୍ଗିଥବା ଲୋକେ ୧୫ ହଜାର ଟଙ୍କା ସରକାରୀ ସାହାଯ୍ୟ ପାଇଥିବା ବେଳେ ତ୍ରିନାଥ କିନ୍ତୁ ତହସିଲଦାରଙ୍କଠାରୁ ପାଇଥିଲେ ମାତ୍ର ୩ ହଜାର ୨ଶହ ଟଙ୍କା । ଦୁଇପୁଅ ବାପାଙ୍କଠାରୁ ଅଲଗା ହୋଇ ଅନ୍ୟ ଏକ ସ୍ଥାନରେ ପଲିଥିନ ତଳେ ନିଜର ପରିବାର ସହ ରହୁଛନ୍ତି । ତେଣେ ୭୨ ବର୍ଷିୟ ତ୍ରିନାଥ ପତ୍ନୀ ଓ ଭିନ୍ନକ୍ଷମ ଝିଅକୁ ଧରି ଅତି ଦୟନୀୟ ଅବସ୍ଥାରେ ଚିରା ପଲିଥିନ୍‍ ତଳେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି । ପ୍ରଶାସନ ତାଙ୍କୁ ଇନ୍ଦିରା ଆବାସଟିଏ ଯୋଗାଇ ଦେବାକୁ ସମର୍ଥ ହୋଇପାରି ନାହିଁ । ତେଣେ ବୟସାଧିକ୍ୟ ହେତୁ ତ୍ରିନାଥ ଆଉ ପୂର୍ବଭଳି ମଇଁଷି ଜଗିବା କାର୍ଯ୍ୟ କରିପାରୁ ନାହାଁନ୍ତି । ଝିଅର ଆଣ୍ଠୁ ଚିକିତ୍ସା ଲାଗି କୌଣସି ସରକାରୀ ସାହାଯ୍ୟ ନ ମିଳିବାରୁ ଭିଣୋଇମାନେ ଚାନ୍ଦାଭେଦା କରି ଶର୍ମିଷ୍ଠାର ଚିକିତ୍ସା କରିବାକୁ ଉଦ୍ୟମ କରିଥିଲେ ; ମାତ୍ର ସେଥିରୁ କୌଣସି ସୁଫଳ ମିଳିନଥିଲା । ତ୍ରିନାଥ ଏ ବିଷୟରେ ଜଣାଇବା ଲାଗି ଅନେକ ଥର ସ୍ଥାନୀୟ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କ ସାକ୍ଷାତ ପାଇବାକୁ ସମର୍ଥ ହୋଇପାରିନାହାନ୍ତି ବୋଲି ଶର୍ମିଷ୍ଠା କୋହଭରା କଣ୍ଠରେ କହିଛନ୍ତି। ବାପା ଓ ମାଆଙ୍କ ବାର୍ଦ୍ଧକ୍ୟ ଭତ୍ତା ଲାଗି ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ସେ ବାରମ୍ବାର ଅନୁରୋଧ କରି ଆସୁଥିଲେ ମଧ୍ୟ ତାହା ଏଯାଏଁ ସଫଳ ହୋଇପାରି ନାହିଁ । ଏଭଳି ଅବସ୍ଥା ଦେଖି ତାଙ୍କ ବାପା ଅନେକଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ବିଡିଓ ଅଶୋକ ମହାନ୍ତି କହିଛନ୍ତି ବ୍ଲକ ପକ୍ଷରୁ ପ୍ରସ୍ତୁତ ତାଲିକାରେ ତାଙ୍କର ନାମ ରହିଛି କି ନାହିଁ ତାହା ଯାଞ୍ଚ ପରେ ପଦକ୍ଷେପ ନିଆଯିବ। କୃଷ୍ଣପ୍ରସାଦରେ ଶୁକ୍ରବାର ହେବାକୁ ଥିବା ଶିବିରରେ ଆବେଦନକାରୀମାନେ ଆସି ଯଦି ଆବେଦନ କରିବେ ତେବେ ଆବଶ୍ୟକ ଭତ୍ତା ଓ ସରକାରୀ ସହାୟତା ଦିଆଯିବ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ଜିଲାପାଳ ଜ୍ୟୋତିପ୍ରକାଶ ଦାସଙ୍କ ନିକଟକୁ କେତେକ ସମାଜସେବୀ ଶର୍ମିଷ୍ଠାଙ୍କ ଅବସ୍ଥା ଓ ଅଭିଯୋଗ ସଂକ୍ରାନ୍ତ ଏକ ଭିଡିଓ କ୍ଲିପିଂକୁ ହ୍ୱାଟ୍‍ସଆପ୍‍ ଯୋଗେ ପଠାଇ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଥିବା ଜଣାପଡ଼ିଛି । ତେବେ ତୁରନ୍ତ ଶର୍ମିଷ୍ଠାଙ୍କୁ ସିଡିଏମଓଙ୍କୁ ଦେଖା କରାଇବା ପରେ ଯାଇ ସେ ପଦକ୍ଷେପ ନେବେ ବୋଲି କହିଛନ୍ତି । ବାସିଓଳିକୁ ଦାନା ନଥିବା ତ୍ରିନାଥ ବିଶ୍ୱାଳ ତାଙ୍କର ଦୃଷ୍ଟିହୀନ ସ୍ତ୍ରୀ ଓ ଭିନ୍ନକ୍ଷମ ଝିଅକୁ କିଭଳି ବ୍ଲକ ପରିସରରେ ଆୟୋଜିତ ହେବାକୁ ଥିବା ଶିବିର ଓ ସିଡିଏମ୍‍ଓଙ୍କ ସମ୍ମୁଖକୁ କେମିତି ନେବେ ତାହାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି । ତେବେ ପରିସ୍ଥିତିର ଗମ୍ଭୀରତା ପ୍ରତି ଦୃଷ୍ଟି ଦେଇ ତ୍ରିନାଥଙ୍କ ପରିବାରକୁ ସାହାଯ୍ୟ କରିବାକୁ ନୂଆପଡ଼ା ସମିତି ସଭ୍ୟ ଉତ୍ତମ ତରେଇ ସହଯୋଗ ଯୋଗାଇ ଦେବାକୁ ହାତ ବଢ଼ାଇଥିବା ଖବର ମିଳିଛି।

Leave A Reply